ଭୁବନେଶ୍ୱର: ଚିକମିକ୍ ଆଲୁଅରେ ଝଲସୁଥିଲା ଆଖି । ମଞ୍ଚରେ ଜଣଙ୍କ ପରେ ଜଣେ ଆସୁଥିଲେ ଆକର୍ଷଣୀୟ ମଡ଼େଲ । ଓଡ଼ିଶାର ପାରମ୍ପରିକ ଇକ୍କତ୍ ଓ ପଟ୍ଟଚିତ୍ରରେ ପ୍ରସ୍ତୁତ ଆଧୁନିକ ପୋଷାକର ପରିଧାନ ସେମାନଙ୍କୁ ଆହୁରି ଆକର୍ଷଣୀୟ କରୁଥିଲା । ଖାଲି ସେତିକି ନୁହେଁ, କୁନି କୁନି ପିଲା ବି ମଡେଲିଂରେ କିଛି କମ୍ ନ ଥିଲେ । କ୍ୟାଟ୍ ୱାକ୍ ସହ ମନଲୋଭା ଠାଣି ଓ ଅଙ୍ଗଭଙ୍ଗୀ ଉପସ୍ଥିତ ଦର୍ଶକଙ୍କ ମନ କିଣିନେଇଥିଲା । ଜେଡ଼ି ଇନଷ୍ଟିଚ୍ୟୁଟ୍ ଅଫ ଫେସନ୍ ଟେକ୍ନୋଲୋଜି ପକ୍ଷରୁ ‘ଜେଡ଼ି ଆନୁଆଲ୍ ଡିଜାଇନ୍ ଆୱାର୍ଡସ୍ -୨୦୧୭’ ଅବସରରେ ଏଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁକ୍ରବାରର ବର୍ଷାଭିଜା ସଂଧ୍ୟାକୁ ଆକର୍ଷଣୀୟ କରିଦେଇଥିଲା ।
ଭୁବନେଶ୍ୱରର ପ୍ରସିଦ୍ଧ ଅନୁଷ୍ଠାନ ଜେଡ଼ି ଇନଷ୍ଟିଚ୍ୟୁଟ୍ ଅଫ ଫେସନ୍ ଟେକ୍ନୋଲୋଜିର ଡିଜାଇନ୍ ଓ ଇଣ୍ଟେରିଅର୍ ଡିଜାଇନିଂ ବିଭାଗ ଛାତ୍ରଛାତ୍ରୀଙ୍କ ସୃଜନଶୀଳ କାର୍ଯ୍ୟ ଲୋକଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଥିଲା ଉତ୍ସବର ମୁଖ୍ୟ ଲକ୍ଷ୍ୟ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍ ଓ ଇଣ୍ଟେରିଅର୍ ଡିଜାଇନିଂକୁ ପ୍ରଦର୍ଶନ କରିଥିଲେ । ପୋଲାଣ୍ଡର ଆର୍ନ୍ତଜାତିକ ମଡେଲ୍ ମିସ୍ ଡୋମିନିକା ଥିଲେ ଉତ୍ସବର ମୁଖ୍ୟ ଆକର୍ଷଣ । କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଥିଲେ ଶିବଦତ୍ତ ସୁବୁଦ୍ଧି । ସେଣ୍ଟର ଡାଇରେକ୍ଟର ବିଶାଲ ସୁବୁଦ୍ଧି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର.ସି.ଦଲାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।