ଭୁବନେଶ୍ୱର: ବେଆଇନ ଖଣି ଖନନ କରିଥିବା ଖଣି ମାଲିକଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ଝଟକା । ବେଆଇନ ଭାବେ ଯେତିକି ଅର୍ଜଛନ୍ତି ସେତିକି ତଣ୍ଡ ଗଣିବେ ସରକାରଙ୍କୁ । ବେଆଇନ ଖଣି ଖନନକାରୀଙ୍କୁ ଶତପ୍ରତିଶତ ଜରିମାନା କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ଖଣି ଦୁର୍ନୀତି ଉପରେ ସୁପ୍ରିମକୋର୍ଟ ଆଜି ଏହ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ଜରିମାନା ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନଦେଲେ ସେମାନଙ୍କ ଖଣି ବନ୍ଦ କରିଦିଆଯିବ । କମନ୍ କଜ୍ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଗତ ମାମଲା ଉପରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ତେବେ ମାମଲାର ସିବିଆଇ ତଦନ୍ତ ଦାବିକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ରାୟ ପ୍ରକାଶ ପରେ ବେଆଇନ କାରବାରରେ ଲିପ୍ତ ଖଣିମାଲିକମାନଙ୍କୁ ବଡ଼ ଝଟକା ଲାଗିଛି । ଆଗାମୀ ଦିନରେ ଆଇନଗତ ଲଢ଼େଇ କରିବାକୁ ପୂର୍ବାଞ୍ଚଳ ଖଣି ମାଲିକ ସଂଘ ସଜବାଜ ହେଉଛି ।
ଲକ୍ଷାଧିକ ହଜାର କୋଟି ଟଙ୍କାର ଖଣି ମହାଦୁର୍ନୀତି ଅଭିଯୋଗ ୨୦୧୨ ମସିହା ବେଳକୁ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଅନୁମୋଦିତ ଜାଗା ବାହାରେ, ବିନା ପରିବେଶ ମଂଜୁରୀରେ ଖଣି ଖନନ, ଖଣିଜପଦାର୍ଥ ଉତ୍ତୋଳନ, ପରିବହନ ଆଦି ଅନିୟମିତତା ବର୍ଷ ବର୍ଷ ଧରି ଚାଲିଥିଲା । ଏହା ଉପରେ ରାଜ୍ୟ ସରକାର ଆଖି ବୁଜିଦେଇଥିବାରୁ ଅବାଧ ହୋଇଥିଲା କାରବାର । ଅଧିକାଂଶ ଖଣିମାଲିକ ରାତାରାତି କୁବେର ବନିଯାଇଥିଲେ । ଖଣିବେପାରୀଙ୍କ ସହ ନେତା, ଅଫିସର ମେଣ୍ଟ କରି ମାଲେମାଲ ହୋଇଥିଲେ । ଜଷ୍ଟିସ୍ ଏମ.ବି ଶାହା କମିସନଙ୍କୁ ସୁପ୍ରିମକୋର୍ଟ ଏହାର ତଦନ୍ତ ଦାୟିତ୍ୱ ଦେବା ସହ ସିଇସି ଗଠନ କରିଥିଲେ । ଉଭୟ ସିଇସି ଓ ଶାହା କମିସନଙ୍କ ନିକଟରେ ରାଜ୍ୟ ସରକାର ରଖିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୬୦୦ ଖଣି ଲିଜ୍ ମଧ୍ୟ ମଧ୍ୟରୁ ୨୪୦ ଟି ଖଣିରେ ଅନିୟମିତତା ରହିଥିବା କୁହାଯାଇଥିଲା । ଆବଶ୍ୟକୀୟ ଅନୁମତି ନ ଥାଇ ସେମାନେ ବର୍ଷ ବର୍ଷ ଧରି ଖଣି ଖନନ କରୁଥିଲେ । ସେହି ୨୪୦ ଖଣିକୁ ବନ୍ଦ କରାଯାଇଥିବା ରାଜ୍ୟ ସରକାର ଜଣାଇଥିଲେ । ଏଥିସହ ୧୪୦ଟି ଖଣିକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଦର୍ଶାଇଥିଲେ । ୧୨୯ଟି ଖଣି ଅପରେସନାଲ୍ ଥିବା ରାଜ୍ୟ ସରକାର ଅବଗତ କରିଥିଲେ ।
ଇତିମଧ୍ୟରେ ରାଜ୍ୟ ସରକାର ବେଆଇନ ଖଣି କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ । ୧୪୬ ଖଣି ଉପରେ ୬୧ ହଜାର କୋଟି ଟଙ୍କା ଜରିମାନା କରିଥିଲେ । ମାତ୍ର ଏହି ଜରିମାନା ଆଦାୟ କରିବାରେ ସରକାର ଏଯାଏଁ ସକ୍ଷମ ହୋଇନାହାନ୍ତି ।