ଭୁବନେଶ୍ୱର: ଗୋଟେ ପଟେ ପିପିଲିର ଦୁଇ ଷଣ୍ଢ ପ୍ରଦୀପ ମହାରଥୀ ଓ ଯୁଧିଷ୍ଠିର ସାମନ୍ତରାୟ ତ ଆର ପଟେ ଜୟପୁରର ଦୁଇ ଷଣ୍ଢ ରବି ନନ୍ଦ ଓ ତାରା ବାହିନୀପତି । ଏହି ଦୁଇ ବଳୀୟାନ୍ ଯୋଡିଙ୍କ ଯୋଡାଯୋଡି ଆଜି ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି । ସଚିବାଳୟରେ ମହାରଥୀଙ୍କ ଚାମ୍ବରରେ ଯୋଡାଯୋଡି ପର୍ବ ଏକ ମହାଜାଗତିକ ଦୃଶ୍ୟର ଅବତାରଣା କରିଥିଲା । ରାଜନୈତିକ ଓ ବ୍ୟକ୍ତିଗତ ଭାବେ ଅହି ନକୂଳ ସମ୍ପର୍କରେ ଦୀର୍ଘ ଦୁଇ ଦଶନ୍ଧି ଧରି ବନ୍ଧା ମହାରଥୀ-ସାମନ୍ତରାୟ ଓ ନନ୍ଦ-ବାହିନୀପତି ଖାଲି ପିପିଲି କି ଜୟପୁର କାହିଁକି ଓଡ଼ିଶା ରାଜନୀତିରେ ସୁପର ଡୁପର୍ ବିରୋଧୀ ହିଟ୍ ଯୋଡି ଭାବେ ଜଣାଶୁଣା । ପିପିଲିରେ ତ କେହି କାହାରି ଛାଇ ଦେଖିଲେ ଉଭୟ ପକ୍ଷର ଖଣ୍ଡା ତରବାଲି ବୁଲେ । ବୋମା, ବନ୍ଧୁକ ଫୁଟେ । ଜୟପୁରରେ ଅବସ୍ଥା ବି କିଛି କମ୍ ନୁହେଁ ।
ନିର୍ବାଚନ ପାଖେଇ ଆସୁଥିଲା ବେଳେ ଉପକୂଳ ଅହି ନକୂଳ ଯୋଡି ମହାରଥୀ-ସାମନ୍ତରାୟ ଓ ଦକ୍ଷିଣୀ ଅହି ନକୂଳ ଯୋଡି ନନ୍ଦ-ବାହିନୀପତି କୋଳାକୋଳି ହେବାକୁ ରାଜନୈତିକ ମହଲ ଗମ୍ଭୀରତାର ସହ ନେଇଛନ୍ତି । ସିଧା ସିଧାରେ କହିଲେ, ସେମାନଙ୍କ ଭଗାରି ସମ୍ପର୍କ ଫାଟର ସୁଯୋଗ ପଦ୍ମଦଳିଆଙ୍କୁ ସମର୍ପି ନ ଦେବାକୁ ଉଭୟ ଯୋଡି ଏକାଠି ହୋଇଛନ୍ତି । ଖୋଦ୍ ମହାରଥୀ ଓ ସାମନ୍ତରାୟ ଏହାକୁ ଖୋଲାଖୋଲି ସ୍ୱୀକାର କରିଛନ୍ତି । ସେମାନଙ୍କ କହିବା କଥା, ଧରମୁ(ଧର୍ମେନ୍ଦ୍ର ପ୍ରଧାନ)ଚଳାଇଥିବା ବିଜେପିକୁ ଆମ ଇଲାକାରେ ପୂରାଇ ଦେବୁନୁ । ଲଢ଼େଇ ବିଜେଡ଼ି-କଂଗ୍ରେସ ଭିତରେ ହେବ । ପଦ୍ମ ପୋଖରୀ ଖୋଳିବାକୁ ଦିଆଯିବନି ବୋଲି ମହାରଥୀ-ସାମନ୍ତରାୟ ଦମ୍ଭ ଦେଖାଇଥିଲେ । ବିଜେପିବାଲାଙ୍କୁ ବ୍ରଏଲର୍ କୁକୁଡ଼ା ବୋଲି କଟାକ୍ଷ କରିବାକୁ ଭୂଲି ନ ଥିଲେ ମହାରଥୀ । ସିଧାରେ ନ ହେଲେ ମଧ୍ୟ ବଙ୍କାରେ ବଙ୍କାରେ ଏକା କଥା ଦୋହରାଇଥିଲେ ନନ୍ଦ-ବାହିନୀପତି ଯୋଡି ।
ବିଜେପିକୁ ଚେକ୍ ଦେବା ପାଇଁ ମହାରଥୀଙ୍କ ଚାମ୍ବରରେ ଏହି ଅହି ନକୂଳଙ୍କ ମହାମିଳନ ପର୍ବ ସୁଚିନ୍ତିତ ଥିଲା ନା ଅଚାନକ ହୋଇଗଲା ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପିପିଲି ଅଞ୍ଚଳର ବିକାଶ ପ୍ରସଙ୍ଗ ଧରି ସେ ମହାରଥୀଙ୍କ ସହ ଆଲୋଚନା ପାଇଁ ଆସିଥିଲେ ବୋଲି ସାମନ୍ତରାୟ କଥା ଯୋଡିଥିଲେ । ସେହିଭଳି ଜୟପୁରର ବିକାଶ ପ୍ରସଙ୍ଗରେ ଆଲୋଚନା ପାଇଁ ସେମାନେ ମନ୍ତ୍ରୀଙ୍କ ପାଖକୁ ଆସିଥିଲେ ବୋଲି ନନ୍ଦ-ବାହିନୀପତି ସଫେଇ ଦେଇଥିଲେ । ସୂଚନାଯୋଗ୍ୟ, ମହାରଥୀ-ସାମନ୍ତରାୟ ଯୋଡି ୪୫ ମିନିଟ୍ ଧରି ବେଶ୍ ହସଖୁସି କରିଥିଲେ । ଆଲୋଚନା ମଝିରେ ମଝିରେ ଦୁହିଁଙ୍କ ଥଟ୍ଟାମଜା ପରିବେଶକୁ ଚମକାଇଥିଲା । ଦୁହିଁଙ୍କ ଆଲୋଚନା ମଝିରେ ଚାମ୍ବର ଭିତରକୁ ପଶି ଆସିଥିଲେ ନନ୍ଦ-ବାହିନୀପତି ଯୋଡି । ଆଉ ସେଠୁଁ ଡବଲ ଜମିଥିଲା ଡ଼ବଲ ଯୋଡିଙ୍କ ଥଟ୍ଟାତାମସା ।