ଯାଜପୁରରୁ ସତ୍ୟବ୍ରତ ସାମଲଙ୍କ ରିପୋର୍ଟ
ବାଇଧର ମହାପାତ୍ର । ଯାଜପୁର ଅନ୍ତର୍ଗତ ଗରିଆପୁର ବାସିନ୍ଦା ବାଇଧର ଜଣେ ସାଧାରଣ ଲୋକ ହୋଇଥିଲେ ମଧ୍ୟ ତାଙ୍କର କାର୍ଯ୍ୟ ଅସାଧାରଣ । ନିଜ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ବାଇଧରଙ୍କ ନିଶା ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ଐତିହାସିକ କିର୍ତ୍ତୀରାଜ ସ୍ଥାପନ । ନିଜର ସ୍ୱଭାବ ସୁଲଭ ଧୋତି ଓ ଗାମୁଛା ପିନ୍ଧା ବେଶଭୂଷାରେ ସେଥିପାଇଁ ବାରଦ୍ୱାର ବୁଲନ୍ତି ଓ ଲୋକଙ୍କ ସହଯୋଗ ଲୋଡନ୍ତି । ଆଜି ପର୍ଯ୍ୟନ୍ତ ଏହି ପ୍ରବୃତ୍ତି ମେଣ୍ଟଇବାରେ ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି ବାଇଧର । ଯାଜପୁର ଟାଉନ୍ ଶିବମନ୍ଦିର ପାଶ୍ୱର୍କୁ ଲାଗି ତାଙ୍କ ସ୍ୱପ୍ନର କିର୍ତ୍ତୀରାଜ ଯଯାତିକେଶରୀଙ୍କ ଚିତ୍ରପଟ ସ୍ଥାପନରେ ଏବେ ଦିନରାତି ମନ ଓ ଶ୍ରମ ଲଗାଇଛନ୍ତି ସେ । ଦୁଇଜଣ ଶିଳ୍ପୀଙ୍କ ନିହାଣ ତାଙ୍କର ସ୍ୱପ୍ନ ସାକାର କରିବାକୁ ଯାଉଛି । ବାଇଧରଙ୍କ ଏହି ଉଦ୍ୟମ ସମଗ୍ର ଯାଜପୁର ବାସିନ୍ଦାଙ୍କ ମନ କିଣି ନେଇଛି ।
ଯଯାତିକେଶରୀଙ୍କ ଚିତ୍ରପଟ ସ୍ଥାପନ ପଛରେ ବାଇଧରଙ୍କ ଯୁକ୍ତି ବେଶ୍ ବଳିଷ୍ଠ । ଇତିହାସର ସ୍ମୃତିର ଆଇନାରେ ଯାଜପୁରର ଗଭୀର ଅତୀତକୁ ଆଜି ଜୀବନ୍ତ ଅନୁଭବ କରୁଥିବା କହିଛନ୍ତି । ଅତୀତର କଳିଙ୍ଗରାଜ୍ୟର ରାଜଧାନୀ ଯାଜ୍ରନଗର ଅଧୁନା ଯାଜପୁର ଭାବେ ପରିଚିତ । ଯାଜପୁରରେ ଥିବା ଦଶାଶ୍ୱମେଧଘାଟ ଯାଯାତିକେଶରୀ ଅଶ୍ୱମେଧ ଯଜ୍ଞ ନିମନ୍ତେ ଦେଶ ତଥା ବିଦେଶରେ ପରିଚିତ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ତଥା ଅଧୁନା ଓଡ଼ିଶାର ଅନେକ କିର୍ତ୍ତୀ ଯଯାତି କେଶରୀଙ୍କ ସମୟରେ ସ୍ଥାପନ ହୋଇଛି । ଯାଜପୁରରୁ କଟକ ଏବଂ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରିତ ହୋଇଯିବା ସ୍ଥଳେ ଆଜି ଦୁର୍ବଳ ନେତୃବର୍ଗ ତଥା ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଯାଜପୁର ଅବହେଳିତ ହୋଇପଡ଼ିଛି । ଅବିଭକ୍ତ କଟକରୁ ଯାଜପୁର ଅଲଗା ଜିଲ୍ଲା ହେଲା ପରେ ସଦର ମହକୁମା ଯାଜପୁରରେ ପ୍ରତିଷ୍ଠା ହେଲା । ସେ ସମୟରେ ପାଣିକୋଇଲିର ନାଁ ଯଯାତିନଗର କରିବାକୁ ତତ୍କାଳୀନ କଂଗ୍ରେସ ସରକାରକୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ତାହା ସେହି ପ୍ରସ୍ତାବରେ ହିଁ ରହିଗଲା । ନିଜମାଟିରେ ଏହି ମହାନ୍ ଐତିହାସିକ ପୁରୁଷ ଆଗାମୀ ପୀଡ଼ି ପାଇଁ ଅଜଣା ହୋଇନଯାଆନ୍ତୁ ଏହି ଲକ୍ଷ୍ୟରେ ସେ ଖଟାଇଛନ୍ତି ନିଜସ୍ୱ ଉଦ୍ୟମ । ସେଥିରେ ଯାଜପୁରବାସୀଙ୍କ ଅକୁଣ୍ଠ ସହଯୋଗ ଓ ସମର୍ଥନ ପାଇଁ ଚିର କୃତଜ୍ଞ ବୋଲି ବାଇଧର କହିଛନ୍ତି ।