ଭୁବନେଶ୍ୱର: ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ ଯାତ୍ରା ପାର୍ଟି ମାଲିକ ବେଶରେ ଆଜି ପ୍ରେସ୍ ମିଟ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଚର୍ଚ୍ଚାର ବିଷୟ ହୋଇଛି । ଯାତ୍ରାକୁ ପ୍ରଶାସନର ଅସହଯୋଗ ଓ ବିନା କାରଣରେ ଯାତ୍ରା ପରିବେଷଣର ଅନୁମତି ଦିଆଯାଉନାହିଁ ବୋଲି ସଂଘର ସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ମନ୍ତବ୍ୟ ସହ ସେ ସ୍ୱର ମିଳାଇଛନ୍ତି । ଏମିତି କିଛି କାରଣ ପାଇଁ ଯାତ୍ରା ପାର୍ଟିଗୁଡ଼ିକ କ୍ଷତିରେ ଚାଲୁଥିବା ସେ କହିବା ସହ ଯାତ୍ରା ପାର୍ଟି ବନ୍ଦ କରିଦେବା ଧମକକୁ ସମର୍ଥନ ଜଣାଇଛନ୍ତି ।
ପ୍ରଦୀପ ମହାରଥୀ କଳିଙ୍ଗ ଯାତ୍ରା ପାର୍ଟିର ମାଲିକ ହେଲେ ବି ସମ୍ପ୍ରତି ମନ୍ତ୍ରୀମଣ୍ଡଳର ଜଣେ ଓଜନଦାର ମନ୍ତ୍ରୀ । ପଞ୍ଚାୟତିରାଜ ଓ କୃଷି ବିଭାଗ ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ । ମାତ୍ର ପ୍ରେସ୍ ମିଟରେ ସେ ଯାତ୍ରା ପାର୍ଟି ଭଳି ବ୍ୟବସାୟିକ ଅନୁଷ୍ଠାନର ପ୍ରତିନିଧିତ୍ୱ କରି ସରକାରଙ୍କୁ ପୁଳାଏ ବର୍ଷିଛନ୍ତି । କଥା ଉଠୁଛି, ପ୍ରେସ୍ ମିଟ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଯାତ୍ରା ପାର୍ଟି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ କି ? ସହଯୋଗୀ ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ କି ? ଖବର ଅନୁଯାୟୀ ମହାରଥୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କି ବିଭାଗୀୟ ମନ୍ତ୍ରୀଙ୍କ ନଜରକୁ ପୂର୍ବରୁ ଆଣିନାହାନ୍ତି । ଆଜି ହଠାତ ସଂଘର ପ୍ରେସ୍ ମିଟ୍ ରେ ସେ ହାଜର ହୋଇ ଯାତ୍ରା ପାର୍ଟି କ୍ଷତିରେ ଚାଲିବା ପଛରେ ସରକାରଙ୍କୁ ଦାୟୀ କରିଛନ୍ତି । ସଂଘର ସ୍ୱରରେ ସାମିଲ ନିଜକୁ ସାମିଲ କରିଛନ୍ତି ।
ଆଜିର ପ୍ରେସ୍ ମିଟ୍ ରେ ମହାରଥୀଙ୍କ ସମେତ୨୩ ଯାତ୍ରା ପାର୍ଟିର ମାଲିକ ଉପସ୍ଥିତ ଥିଲେ । ସଂଘର ସଭାପତି ସୌମ୍ୟରଂଜନ କହିଥିଲେ ଯାତ୍ରା ପାର୍ଟି ମାଲିକମାନେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି, କିନ୍ତୁ ଆୟ କମ୍ ହେଉଛି । ସରକାରୀ କଟକଣା ଯୋଗୁଁ ଯାତ୍ରା ପାର୍ଟି କ୍ଷତି ସହୁଛି । ଫଳରେ ଯାତ୍ରାପାର୍ଟି ଚଳାଇବା ସମ୍ଭବ ନୁହେଁ । ଏଣୁ ଆଗାମୀ ସିଜନ୍ ରୁ ଯାତ୍ରା ପାର୍ଟି ବନ୍ଦ କରାଯିବ । ଏଥିଯୋଗୁଁ ୫ ହଜାର କଳାକାର ଜୀବିକା ହରାଇବେ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ ।
ତେବେ ଯାତ୍ରା ପାର୍ଟି ସଂଘର ଏଭଳି ନିଷ୍ପତ୍ତିକୁ ଅନେକ କଳାକାର ଓ ସାଧାରଣ ଲୋକ ନାପସନ୍ଦ କରିଛନ୍ତି । ସରକାରଙ୍କୁ ଏହା ବ୍ଲାକମେଲିଂ ବୋଲି ସେମାନେ କହିଛନ୍ତି । ଯାତ୍ରାପାର୍ଟିକୁ ସରକାର ଶିଳ୍ପର ମାନ୍ୟତା ଦେଇଥିବାରୁ ଟିକସ ରିହାତି ଦେଉଛନ୍ତି । ଯାତ୍ରାପାର୍ଟି ଲାଭ କ୍ଷତିର ସରକାରୀ ଅଡ଼ିଟ୍ ନାହିଁ । ମାଲିକମାନେ କେଉଁଠୁ ଟଙ୍କା ଆଣୁଛନ୍ତି, କେତେ ଖର୍ଚ୍ଚ ଆଉ ଲାଭ କରୁଛନ୍ତି ସରକାର ତାହାର ହିସାବ ରଖୁନାହାନ୍ତି । ଅଣସଂଗଠିତ କ୍ଷେତ୍ର ଯୋଗୁଁ କଳାକାରଙ୍କ ସୁରକ୍ଷା ପାଇଁ ମାଲିକ ବି ଦାୟିତ୍ୱ ନେଉନାହାନ୍ତି । ଅନ୍ୟପକ୍ଷରେ ମାଲିକମାନେ ପ୍ରଚୁର ଲାଭ ନିଶାରେ ଯାତ୍ରାର ରଙ୍ଗଢ଼ଙ୍ଗ ବଦଳେଇ ଦେଲେଣି । କପଡ଼ା ମଂଚ ଛାଡ଼ି ଷ୍ଟିଲ୍ ମଂଚ । ତିନି ତିନିଟା ପେଣ୍ଡାଲ୍ । ଶକ୍ତି କପୁର କି ଅମିଷା ପଟେଲଙ୍କ ଭଳି ଗଣ୍ଡା ଗଣ୍ଡା ହାଇପେଡ୍ ବଲିଉଡ଼ ଷ୍ଟାରଙ୍କୁ ଆଣି ସୋ’ ଆଉ ରେକର୍ଡ ଡ୍ୟାନ୍ସ ନାଁରେ ମୋଟା ଟଙ୍କାରେ ଡ୍ୟାନସର୍ ଙ୍କୁ ଆଣି ନଗ୍ନତାକୁ ପ୍ରଶୟ । ଏଥିପାଇଁ ପ୍ରଚୁର ବ୍ୟୟ ହେଲେ ତାହାର ଭରଣା ପାଇଁ ସରକାର କାହିଁକି ଦାୟୀ ରହିବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ସରକାରୀ କଟକଣା ସମ୍ପର୍କରେ ସେମାନଙ୍କର ମତ ବି ସ୍ପଷ୍ଟ । ସ୍କୁଲ,କଲେଜ ପରୀକ୍ଷା ସମୟରେ କୌଣସି ଅଞ୍ଚଳରେ ଯାତ୍ରାପାର୍ଟିକୁ ଅନୁମତି ନ ଦେବା ଠିକ୍ କଥା ବୋଲି ସେମାନେ ମତ ଦେଇଛନ୍ତି । ବିଶିଷ୍ଟ କଳାକାର ଲୋକନାଥ ଲେଙ୍କା କହିଛନ୍ତି, ଯାତ୍ରା ଥିଲା, ରହିଛି ଏବଂ ରହିବ । ଯାତ୍ରାର ତରିକା ପରିବର୍ତ୍ତନ ହୋଇପାରେ । ହେଲେ ଏହା କେବେ ବନ୍ଦ ହେବନି ।