ଭୁବନେଶ୍ୱର: ଓଡ଼ିଶାର ମହିଳା ଏବଂ ଯୁବବର୍ଗ ବିଭିନ୍ନ କ୍ଷେତ୍ରରେ ନିଜର ଅପୂର୍ବ ଶକ୍ତି ଓ ପାରଦର୍ଶିତା ଦେଖାଇ ଚାଲିଛନ୍ତି । ସମାଜର ସେବାରେ ନିଜକୁ ନିୟୋଜିତ କରି ଏକ ପରିବର୍ତ୍ତନର ଆଶା ରଖିଛନ୍ତି । ଏହି ସଶକ୍ତ ଭାବନାକୁ ଧରି ମୋ ଓଡ଼ିଶା ଆଜି ଦ୍ରୁତ ପରିବର୍ତ୍ତନ ପଥରେ ଆଗେଇ ଚାଲିଛି । ଆସନ୍ତୁ ଏହି ପରିବର୍ତ୍ତନର ସଂକଳ୍ପରେ ସମସ୍ତଙ୍କୁ ସାମିଲ କରିବା । ଏହି ସୁନ୍ଦର ଜଗତରେ ନିଜ ଚାରିପଟର ମଣିଷଙ୍କ ମୁହଁରେ ହସ ଫୁଟାଇ ନିଜ ପୀଢ଼ି ପାଇଁ ଉଦାହରଣ ସୃଷ୍ଟି କରିବା । ଏହା ଆମ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ଏକାଠି ବାନ୍ଧି ରଖିପାରିବ । ମୁଁ ଜାଣିଛି ଆପଣମାନେ ପାରିବେ ।
ଏମିତି କିଛି ପ୍ରଗଳ୍ପତାକୁ ଆଜି ନିଜ ଭାଷାରେ ସଜାଇ ବେଶ୍ ଭାବୁକ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସର ଥିଲା ଇଣ୍ଡିଆ ଟୁଡେ ର ମାଇଣ୍ଡ ରକସ୍ ଇଭେଣ୍ଟ । ନିକଟ ଅତୀତର ଚର୍ଚ୍ଚିତ ତିନୋଟି ଉଦାହରଣରୁ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ । ପ୍ରଥମଟି ହେଲା, କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ନିଜ ଜୀବନକୁ ବାଜି ଲଗାଇ ବହୁ ଲୋକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀ ପୂର୍ଣ୍ଣିମା ଏବଂ ସବିତା । ଦ୍ୱିତୀୟ, ମାଲକାନଗିରି ଜିଲ୍ଲାର ମମତା ପଢ଼ିଆମୀ ଯିଏ ୬ ମାସ ତଳେ ତାଙ୍କୁ(ମୁଖ୍ୟମନ୍ତ୍ରୀ) ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଯାହାର ଫଳସ୍ୱରୂପ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ସ୍ୱାସ୍ଥ୍ୟସେବା ରାଶି ୭ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ତୃତୀୟ, ସୁନ୍ଦରଗଡ଼ର ଜୟନ୍ତୀ ଏକ୍କା । ନିଜର ଦକ୍ଷତା ଓ ନେତୃତ୍ୱ ଯୋଗୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଶହ ଶହ ସଫଳ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି ।






