ଭୁବନେଶ୍ୱର: ରାଜ୍ୟରେ ସରକାରୀ ଚାକିରୀରେ ହେଉଛି ଫିକ୍ସିଂ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । ସରାକାରୀ ଚାକିରୀକୁ ନେଇ ଓଡିଶା ସରକାର ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀମାନଙ୍କ ଭାଗ୍ୟ ସହିତ ଖେଳୁଥିବା ସେ ଅଭିଯୋଗ କରିଛନ୍ତି ।
ଶ୍ରୀ ନାୟକ ଦର୍ଶାଇଛନ୍ତି, ରେଲୱେ ରିକ୍ରୁଟିମେଣ୍ଟ ବୋର୍ଡ ପରିଚାଳନା କରୁଥିବା ସହାୟକ ଲୋକ ପାଇଲଟ୍ ପାଇଁ ମୁଖ୍ୟ ପରୀକ୍ଷାର ତାରିଖ ୨୦ ଜାନୁଆରୀ, ୨୦୧୯ ପୂର୍ବରୁ ସ୍ଥିରୀକୃତ ହୋଇଛି । ଆଇ.ବି.ପି.ଏସ୍. ଦ୍ୱାରା ପରିଚାଳିତ ଏକ ସର୍ବ ବ୍ୟାଙ୍କ ପରୀକ୍ଷା ମଧ୍ୟ ସମାନ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦୁଇଟି ସର୍ବ ଭାରତୀୟ ସ୍ତରର ମୁଖ୍ୟ ପରୀକ୍ଷା ପାଇଁ ଓଡିଶାର ୧୦ ହଜାରରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଏମାନେ ସମସ୍ତେ ଏହି ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ଦୃଢ଼ ଆଶାବାଦୀ ଅଛନ୍ତି । ଏପରି ସ୍ଥଳେ ଓଡିଶା ଲୋକସେବା ଆୟୋଗ ପରିଚାଳନା କରୁଥିବା ଏଏସଓ ପରୀକ୍ଷାକୁ ସମାନ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଛି । ଏହାକୁ ନେଇ ଲକ୍ଷ ଲକ୍ଷ ଓଡିଆ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କଂଗ୍ରେସ ପକ୍ଷରୁ ଶ୍ରୀ ନାୟକ ଏହା ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି । ଓଡିଶାରେ ଶାସନ କରୁଥିବା ବିଜୁ ଜନତା ଦଳ ରାଜ୍ୟର ଶିକ୍ଷିତ ବେକାରଙ୍କ ପାଇଁ ଲୋକ ଦେଖାଣିଆ ଭାବରେ ରାଜ୍ୟରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ସମ୍ମୁଖରେ ବିକ୍ଷୋଭ କରୁଥିବା ସ୍ଥଳେ ରାଜ୍ୟରେ ସରକାରୀ ଚାକିରୀର ପରୀକ୍ଷା ପରିଚାଳନା କରୁଥିବା ଓଡିଶା ଲୋକସେବା ଆୟୋଗ ଜାଣିଶୁଣି ଏହିଭଳି ଦିନ ଓ ତାରିଖ ଧାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ଅଗଣିତ ଶିକ୍ଷିତ ବେକାର ଓ ଚାକିରୀ ଆଶାୟୀମାନେ ପରୀକ୍ଷା ଦେବାରୁ ବଂଚିତ ହେବେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶା ସରକାର ଜାଣିଶୁଣି ଏଭଳି ଦିନ ଓ ତାରିଖ ଧାର୍ଯ୍ୟ କରୁଛନ୍ତି ଯେଉଁଦିନ ଚାକିରୀ ଆଶାୟୀ ଓଡିଶାର ମେଧାବୀ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବସିବାର ସୁଯୋଗ ପାଇବେ ନାହିଁ ଏବଂ ସରକାରୀ ଚାକିରୀକୁ ନିଜର ଦଳୀୟ କର୍ମୀଙ୍କୁ ବିକ୍ରୀ କରି ଦେବାକୁ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁଯୋଗ ପାଇବେ । ଚଳିତ ମାସ ଜାନୁଆରୀ ୨ ତାରିଖରେ ରାତିଅଧିଆ ଏଭଳି ନିଷ୍ପତି ନେଇ ପରୀକ୍ଷା ପାଇଁ ଯେଉଁ ତାରିଖ ଘୋଷଣା କଲେ ତାହା ସରକାରୀ ଚାକିରୀକୁ ଦଳୀୟ ପାଣ୍ଠି ପାଇଁ ବିକ୍ରୀ କରିଦେବା ପାଇଁ ହୋଇଥିବା ଏକ ଗଭୀର ଷଡଯନ୍ତ୍ରର ଅଂଶବିଶେଷ ବୋଲି ସେ ଅଭିଯୋଗ କରିଛନ୍ତି ।
ଅନ୍ୟ ଏକ ଘଟଣାକ୍ରମରେ ରାଜ୍ୟ ସରକାର “କାଳିଆ” ଯୋଜନା ପାଇଁ ଛପା ହେବାକୁ ଥିବା ପୋଷ୍ଟର ଓ ବ୍ୟାନର ପ୍ରଭୃତି ପାଇଁ ଟେଣ୍ଡର ପ୍ରକ୍ରୀୟା ସରି ନଥିବା ବେଳେ ବର୍ତମାନ ଉକ୍ତ ଯୋଜନାର ପୋଷ୍ଟର ଏବଂ ବ୍ୟାନର ଏକ ନିର୍ଦ୍ଦିଷ୍ଟ ଛାପାଖାନାରେ ଛପା ଯାଉଥିବା ନେଇ ଶ୍ରୀ ନାୟକ ତଥ୍ୟ ରଖିଛନ୍ତି । ଏଥିରୁ ଜଣାପଡୁଛି ରାଜ୍ୟରେ ଟେଣ୍ଡର ଫିକ୍ସିଂ ତା’ର ଚରମସୀମାରେ ପହଂଚିଛି ଏବଂ ବିନା ଟେଣ୍ଡରରେ “କାଳିଆ” ଯୋଜନା ପାଇଁ ପୋଷ୍ଟର ଓ ବ୍ୟାନର ପ୍ରଭୃତି ଛପା ଚାଲିଛି । ଏଥିରୁ ସ୍ପଷ୍ଟ ଅନୁମେୟ ଟେଣ୍ଡର କାହାକୁ ଦିଆଯିବା ସେକଥା ଆଗରୁ ସ୍ଥିର ହୋଇସାରିଛି ଏବଂ ଲୋକ ଦେଖାଣିଆ ଭାବରେ ଟେଣ୍ଡର ପ୍ରକ୍ରୀୟାକୁ ସଂପାଦନ କରାଯାଉଛି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ସୁଦର୍ଶନ ଦାସ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।