ଭୁବନେଶ୍ୱର: ନିକଟରେ ବିଜେଡ଼ିରେ ଯୋଗଦେଇଥିବା ଟାଣୁଆ ଯୁବନେତା ମାନସ ରଞ୍ଜନ ମଙ୍ଗରାଜଙ୍କୁ ଦଳରେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ପାଇଁ ତାଙ୍କୁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି ମିଳିଥିବା ବେଳେ ବିଜୁ ଜନତା ଦଳ ମିଡ଼ିଆ ପ୍ୟାନେଲିଷ୍ଟ ଦାୟିତ୍ୱ ଦିଆଯାଇଛି । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ସେହିଭଳି ରାଜେନ୍ଦ୍ର ଆଚାର୍ଯ୍ୟଙ୍କୁ କୋରାପୁଟ ଜିଲ୍ଲା ପାଇଁ ଅନ୍ୟତମ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ମାନସ ମଙ୍ଗରାଜ ସାମ୍ବାଦିକତାରୁ ରାଜନୀତିକୁ ଆସିଛନ୍ତି । ରାଜ୍ୟର ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ ଏକଦା ସେ ବେଶ୍ ଜଣାଶୁଣା । ଏଥିସହ ଜଣେ ଉତ୍ତମ ସଂଗଠକ ଭାବେ ସେ ସୁପରିଚିତ । ୨୦୦୯ ମସିହାରେ ଚିଲିକା ନିର୍ବାଚନମଣ୍ଡଳୀରୁ ସେ କଂଗ୍ରେସ ପ୍ରାର୍ଥୀ ଥିଲେ । ଅତୀତରେ ଯୁବ କଂଗ୍ରେସର ମୁଖ୍ୟ ମୁଖପାତ୍ର ଓ ପିସିସିର ମୁଖପାତ୍ର ଭାବେ ମାନସ ସଫଳତାର ସହ କାର୍ଯ୍ୟ କରିଥିଲେ । ବିଜେଡ଼ିର ସାଂଗଠନିକ ଦାୟିତ୍ୱ ସହ ପ୍ୟାନେଲିଷ୍ଟ ଭାବେ ତାଙ୍କର ନୂତନ ନିଯୁକ୍ତିକୁ ଦଳର ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।