ଭୁବନେଶ୍ୱର: ମହାନଦୀ ସୁରକ୍ଷା ପାଇଁ ବିଜେଡ଼ିର ଦ୍ୱିତୀୟ ପର୍ଯ୍ୟାୟ ଜନ ଆନ୍ଦୋଳନ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ମହାନଦୀ ଅବବାହିକାରେ ଥିବା ୧୫ ଟି ଜିଲ୍ଲାରେ ଲୋକଙ୍କୁ ସାମିଲ କରି ବ୍ୟାପକ ଜନ ଜାଗରଣ ସୃଷ୍ଟି କରାଯିବ । ‘ମହାନଦୀ ସୁରକ୍ଷା ଅଭିଯାନ’ ନାମରେ ଏହି ବିଶାଳ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରୁ ଅଭିଯାନ ଆରମ୍ଭ ହୋଇ ଦୀର୍ଘ ୧୫୮୫ କିମିର ଯାତ୍ରା ପରେ ପାରାଦ୍ୱୀପରେ ଶେଷ ହେବ । ଆଜି ବିଜେଡ଼ି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି ।
କାର୍ଯ୍ୟକ୍ରମ ଅନୁଯାୟୀ, ମହାନଦୀ ତଟବର୍ତ୍ତୀ ଏବଂ ମହାନଦୀ ଦ୍ୱାରା ପ୍ରଭାବିତ ହେଉଥିବା ୧୫ ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀର ବ୍ଲକ୍ ଓ ନଗରାଞ୍ଚଳ ମଧ୍ୟ ଦେଇ ଯିବ ‘ମହାନଦୀ ସୁରକ୍ଷା ଅଭିଯାନ’ । ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ କୃଷକ, ମତ୍ସ୍ୟଜୀବୀ, ଛାତ୍ର, ଯୁବ, ମହିଳା ଓ ସମାଜର ଅନ୍ୟ ସବୁ ବର୍ଗର ଜନସାଧାରଣଙ୍କୁ ସାମିଲ କରାଯିବ । ରାସ୍ତାରେ ପଡୁଥିବା ଗାଁ ଓ ସହରରେ ସବୁ ସ୍ଥାନରେ ସାଧାରଣ ସଭା, ପଥପ୍ରାନ୍ତ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମହାନଦୀ ସଙ୍କଟର ବାସ୍ତବ ଚିତ୍ର ଉପସ୍ଥାପନ କରାଯିବ । ପୁସ୍ତିକା ଓ ପ୍ରଚାରପତ୍ର ଜରିଆରେ ମହାନଦୀ ଷଡ଼ଯନ୍ତ୍ରର ପର୍ଦ୍ଦଫାସ କରାଯାଇ ସଙ୍କଟର ଭୟାବହତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ଏହି ଯାତ୍ରାରେ ସମସ୍ତ ଜନସାଧାରଣ ଓ ରାଜନୈତିକ ଦଳ ସାମିଲ ହେବାକୁ ବିଜେଡ଼ି ଉପସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନିବେଦନ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ, ସମ୍ପାଦକ ବିଜୟ ନାୟକ ମହାନଦୀ ସଙ୍କଟର ଭୟାବହତା ବର୍ଣ୍ଣନା କରିବା ସହ ମହାନଦୀକୁ ବଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ସପ୍ତାହକ ମଧ୍ୟରେ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା ।
ସେପଟେ ବିଜେଡ଼ିର ମହାନଦୀ ସୁରକ୍ଷା ଅଭିଯାନକୁ ନାଟକବାଜି କହି ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି । ଏଭଳି ଅଭିଯାନକୁ ସେମାନେ ଭୋଟ ରାଜନୀତିର ଆଖ୍ୟା ଦେଇଛନ୍ତି । ଏହାଦ୍ୱାରା ମହାନଦୀ ସମସ୍ୟାର ସମାଧାନ ହେବ ନାହିଁ ବୋଲି ଦୁଇ ବିରୋଧୀ ଦଳ କହିଛନ୍ତି ।