– ମାମଲାକୁ ଗ୍ରହଣ କଲେ କେନ୍ଦ୍ରାପଡ଼ା ଏସଡ଼ିଜେଏମ୍ କୋର୍ଟ
– ପୁଲିସକୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ,ଜୁଲାଇ ୧୫ ସୁଦ୍ଧା ତଦନ୍ତ ସରିବ
କେନ୍ଦ୍ରାପଡ଼ା/ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଉ ଏକ ବଡ଼ ଝଟକା । ଏଥର ଫୋର୍ ଟୋଣ୍ଟି କେସ୍ ରେ ପଡ଼ିଛନ୍ତି । ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଓ ଏହା ଜରିଆରେ କେନ୍ଦ୍ରାପଡ଼ା ଜନସାଧାରଣଙ୍କୁ ଠକେଇ ଭଳି ସଙ୍ଗୀନ ଆବେଦନକୁ କେନ୍ଦ୍ରାପଡ଼ା ଏସଡ଼ିଜେଏମ୍ କୋର୍ଟ ଅପରାଧିକ ମାମଲା ଭାବେ ଗ୍ରହଣ କରିଛନ୍ତି । ପୁଲିସକୁ ମାମଲା ରୁଜୁ କରି ତଦନ୍ତ ପାଇଁ ଆଜି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୧୫ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀପ କୁମାର ଦାସ ନାମକ ଜଣେ ବ୍ୟକ୍ତି କେନ୍ଦ୍ରାପଡ଼ା ଏସଡ଼ିଜେଏମ କୋର୍ଟରେ ସାଂସଦଙ୍କ ନାମରେ ଅଭିଯୋଗ କରିଥିଲେ । ୨୦୧୪ ନିର୍ବାଚନରେ ବୈଜୟନ୍ତ ତାଙ୍କ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଛନ୍ତି ଏବଂ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ‘ଇମ୍ଫା’ର ଉପସଭାପତି ଭାବେ ଚାକିରି କରି ଦରମା ନେଉଥିଲେ ମଧ୍ୟ ସତ୍ୟପାଠରେ ତାହା ଦର୍ଶାଇନଥିଲେ । ଏହା ରିପ୍ରେଜେଣ୍ଟେସନ୍ ଅଫ ପିପୁଲ ଆକ୍ଟ ଧାରା ୧୨୫-ଏ ଉଲ୍ଲଂଘନ କରୁଛି । ତାଙ୍କ ବିରୋଧରେ ଆଇପିସି ଧାରା ୪୧୫/୪୧୬/୪୧୭/୪୧୮/୪୧୯/୪୨୦ ରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆବେଦନ କରିଥିଲେ । ଖାଲି ସେତିକି ନୁହେଁ, ଏହି ମିଥ୍ୟା ସତ୍ୟପାଠ କରି ନିର୍ବାଚନମଣ୍ଡଳୀ ଲୋକଙ୍କୁ ସେ ପ୍ରତାରଣା କରିଛନ୍ତି ଏବଂ ଠକିଛନ୍ତି ବୋଲି ଆବେଦନକାରୀ ଦର୍ଶାଇ ତାଙ୍କ ବିରୋଧରେ ଆଇପିସି ଧାରା ୪୧୯/୪୨୦ ଅପରାଧିକ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ । ଏଥିସହ ଆବେଦନକାରୀ କ୍ରିମିନାଲ୍ ପ୍ରୋସିଜିଓର ଧାରା ୧୫୬(୩) ଅନୁଯାୟୀ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବେଦନ କରିଥିଲେ । ଏହି କପ୍ଲେନ୍ ପିଟିସନ୍ କୁ ପୁଲିସ ରେଜିଷ୍ଟ୍ରି କରି ତଦନ୍ତ କରିବାକୁ କୋର୍ଟର ନିର୍ଦ୍ଦେଶ ଆବେଦନ କରିଥିଲେ ପିଟିସନକାରୀ ଶ୍ରୀ ଦାସ ।
କେନ୍ଦ୍ରାପଡ଼ା ଏସଡ଼ିଜେଏମ୍ କୋର୍ଟ ଏହାକୁ ଫିଟ୍ କେସ୍ ବୋଲି ଆଜି ଗ୍ରହଣ କରିଛନ୍ତି । ଆବେଦନକାରୀଙ୍କ କପ୍ଲେନ୍ ପିଟିସନ୍ ରେଜିଷ୍ଟ୍ରି ପାଇଁ ପଠାଇବା ସହ ମାମଲାର ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଟାଉନ୍ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ରିମିନାଲ୍ ପ୍ରୋସିଜିଓର୍ ଧାରା ୧୫୬(୩) ଏବଂ ରିପ୍ରେଜେଣ୍ଟେସନ୍ ଅଫ ପିପୁଲ ଆକ୍ଟ ଧାରା ୧୨୫-ଏ ଏବଂ ଆଇପିସି ଧାରା ୪୧୫/ ୪୧୬/ ୪୧୭/ ୪୧୮/ ୪୧୯/ ୪୨୦ ରେ କେସ୍ ରୁଜୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାରେ ବୈଜୟନ୍ତ ଦୋଷୀ ପ୍ରମାଣିତ ହେଲେ ତାଙ୍କ ବିରୋଧରେ ନିମ୍ନଲିଖିତ ଦଣ୍ଡ ମିଳିପାରେ ।
(୧) ୧୨୫-ଏ ରିପ୍ରେଜେଣ୍ଟେସନ୍ ଅଫ ପିପୁଲ ଆକ୍ଟ,୧୯୫୧ ରେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ।
(୨) ଆଇପିସି ୪୨୦ ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।
(୩) ୬ ବର୍ଷ ପାଇଁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ ।