ଭୁବନେଶ୍ୱର: ବମିଖାଲ୍ ରେ ନିର୍ମାଣାଧୀନ ଓଭରବ୍ରିଜ୍ ପୁଣି ଥରେ ଭୁଶୁଡ଼ି ପଡ଼ିଛି । ରାତିରେ କାମ ଚାଲିଥିବା ବେଳେ ହଠାତ୍ ବ୍ରିଜ୍ ର ଲୁହା ରେଲିଂ ଭୁଶୁଡ଼ି ପଡ଼ିଥିଲା । ତଳେ କାମ କରୁଥିବା ଦୁଇ ଶ୍ରମିକ ସୁନ୍ଦରଗଡ଼ର ଅଜୟ ଭୌମିକ ଓ ଆନନ୍ଦ ନାୟକ ସେଥିରେ ଚାପି ହୋଇ ରହିଗଲେ । ସ୍ଥାନୀୟ ଲୋକମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରିପାରି ନ ଥିଲେ । ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଚାପି ହୋଇ ରହିଥିବା ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲେ । ସେଠାରେ ଅଜୟ(୩୮)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆନନ୍ଦଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାକୁ ନେଇ ସେଠାରେ ପ୍ରବଳ ଛତ୍ତେଜନା ସୃଷ୍ଟି ହୋଇଛି । ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସାଂଘାତିକ କଥାଟି ହେଉଛି, ବମିଖାଲ୍ ଓଭରବ୍ରିଜ୍ ନିର୍ମାଣ କରୁଛି ପଣ୍ଡା ଇନଫ୍ରା ସଂସ୍ଥା । ଗତ ସେପ୍ଟେମ୍ବର ୧୦ ତାରିଖରେ ହଠାତ୍ ବ୍ରିଜ୍ ର ଏକ ସେଣ୍ଟରିଂ ଭୁଶୁଡ଼ି ପଡ଼ିଥିଲା । ସେହି ସମୟକୁ ଝାରପଡ଼ାର ଜଣେ ଯୁବକ ତାଙ୍କ ଝିଅକୁ ଡ୍ୟାନସ୍ କ୍ଲାସରୁ ଧରି ସେବାଟେ ଘରକୁ ଫେରୁଥିଲା ବେଳେ ତଳେ ଚାପିହୋଇଗଲେ । ସୌଭାଗ୍ୟକୁ କୁନିଝିଅଟି ରକ୍ଷା ପାଇଯାଇଥିବା ବେଳେ ବାପା କିନ୍ତୁ ଚାପି ହୋଇ ମରିଗଲେ । ଏହି ଦୁର୍ଘଟଣାଟି ସାରା ରାଜ୍ୟରେ ହଇଚଇ ସୃଷ୍ଟି କଲା । ସରକାର ତତ୍ପର ହୋଇଗଲେ । ତଦନ୍ତ ଚାଲିଲା । ପୂର୍ତ୍ତ ସଚିବ ନିଜେ ଯାଇ ଘଟଣାର ଅନୁଧ୍ୟାନ କଲେ । ବ୍ରିଜ୍ କାମ ନିମ୍ନମାନର ବୋଲି ତଥ୍ୟ ସାମନାକୁ ଆସିଲା । ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ମାଲିକଙ୍କୁ ପୁଲିସ ଗିରଫ କରିଥିବା ବେଳେ ସରକାର ସଂସ୍ଥାକୁ କଳା ତାଲିକାଭୁକ୍ତ କରିଥିଲେ ।
ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ସେହି କଳା ତାଲିକାଭୁକ୍ତ ପଣ୍ଡା ଇନଫ୍ରା ସଂସ୍ଥା କରୁଛି ଅସମ୍ପୂର୍ଣ୍ଣ ବ୍ରିଜ୍ ନିର୍ମାଣ କାମ । ରାଜଧାନୀର ଛାତି ତଳେ ଜନଗହଳିପୂର୍ଣ୍ଣ ବମିଖାଲ ବ୍ରିଜ୍ ର ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଗୋଟେ ନରହନ୍ତା କଳା ତାଲିକାଭୁକ୍ତ ସଂସ୍ଥା ବେଧଡ଼କ ଭାବେ କରି ଚାଲିଛି । ସରକାର ତାକୁ କେମିତି ପୁଣି ଅନୁମତି ଦେଇଛନ୍ତି ତାହା କାହାରି ମୁଣ୍ଡକୁ ପଶୁନି । ପଣ୍ଡା ଇନଫ୍ରା ମାଲିକ କ’ଣ ଏତେ ପାୱାରଫୁଲ୍ ଯେ କଳା ତାଲିକାଭୁକ୍ତ ହେଲା ପରେ ବି ସରକାରଙ୍କ ପ୍ରେମ ଭାଙ୍ଗିପାରୁନି ? ଖାଲି ବମିଖାଲ ନୁହେଁ ପଣ୍ଡା ଇନଫ୍ରା ନିର୍ମିତ ଜଟଣୀ ଓଭରବ୍ରିଜ୍ ର ନିର୍ମାଣ କାର୍ଯ୍ୟ ମଧ୍ୟ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଆସୁଛି । ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଛନ୍ତି । ମାତ୍ର ସବୁ ପରେ ବି ସରକାରଙ୍କ ସେ କାହିଁକି ଗେହ୍ଲାପୁଅ ହୋଇଛି ତାହା କେହି ବୁଝିପାରୁନାହାନ୍ତି । ପଣ୍ଡା ଇନଫ୍ରା ସଂସ୍ଥାରେ ଶାସକ ଦଳର ଜଣେ ପାୱାରଫୁଲ୍ ନେତାଙ୍କ ଟଙ୍କା ଲାଗିଥିବାରୁ ତା ଦେହରେ ହାତ ମାରିବାକୁ କାହାର ସାହାସ ନାହିଁ ବୋଲି ଆଗରୁ ଚର୍ଚ୍ଚା ହୋଇ ଆସୁଛି । ଏହି ଚର୍ଚ୍ଚା ଯେ ସତ୍ୟ ତାହା ପୁଣି ଥରେ ପ୍ରମାଣିତ ହେବାକୁ ଯାଉଥିବା ରାଜଧାନୀବାସୀ ଅନୁଭବ କଲେଣି ।