କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡୁଆ ବଢ଼ିଛି । ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଏବେ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କ ଦରବାରକୁ ଆସିଛି । ଗଗନ ବିହାରୀ ଜେନା ନାମକ ଜନୈକ ଆଡଭୋକେଟ୍ ଆଜି ଜିଲ୍ଲାପାଳଙ୍କୁ ଭେଟି ସାଂସଦଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସାଂସଦ ନିଜ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇ କେନ୍ଦ୍ରାପଡ଼ା ଭୋଟରଙ୍କୁ ପ୍ରତାରିତ କରିଛନ୍ତି । ଏଣୁ ରିପ୍ରେଜେଣ୍ଟେସନ୍ ଅଫ ପିପୁଲସ୍ ଆକ୍ଟ ଏବଂ ଇଣ୍ଡିଆନ୍ ପେନାଲ୍ କୋଡ୍ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
ଦୁଇଦିନ ତଳେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଜେଡ଼ି ବିଧାୟକ ଓ ଜିଲ୍ଲା ସଭାପତି ଭୁବନେଶ୍ୱରରେ ଏକ ପ୍ରେସ୍ ମିଟ୍ କରି ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଥିଲେ । ଇମଫାର ଉପାଧ୍ୟକ୍ଷ ପଦରେ ଥାଇ ସେ କୋଟି କୋଟି ଟଙ୍କା ଦରମା ନେଉଥିଲେ ମଧ୍ୟ ୨୦୧୪ ନିର୍ବାଚନୀ ସତ୍ୟପାଠରେ ଦର୍ଶାଇନାହାନ୍ତି । ଏହି ତଥ୍ୟ ଲୁଚାଇ ସେ କେନ୍ଦ୍ରାପଡ଼ା ଭୋଟରଙ୍କୁ ପ୍ରତାରିତ କରିଛନ୍ତି । ତେଣୁ ତୁରନ୍ତ ତାଙ୍କପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ୍, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଏବଂ ଜିଲ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁ ଉପସ୍ଥିତ ଥିଲେ ।
ଆଜି ଏହି ନିର୍ଦ୍ଦିଷ୍ଟ ଅଭିଯୋଗ ଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ଦୃଷ୍ଟିକୁ ଆଣିଛନ୍ତି ଆଡଭୋକେଟ୍ ଗଗନ ବିହାରୀ ଜେନା । ସାଂସଦ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କର ଇମଫା ଚାକିରି କେନ୍ଦ୍ରାପଡ଼ା ଭୋଟରଙ୍କୁ ଲୁଚାଇଛନ୍ତି । ନିଜକୁ ପବ୍ଲିକ୍ ସର୍ଭାଣ୍ଟ ଦେଖାଇବାକୁ ଯାଇ ମୋଟା ଅଙ୍କର ଘରୋଇ ଚାକିରିକୁ ଚାପି ରଖିଛନ୍ତି । ଏଭଳି କାର୍ଯ୍ୟଦ୍ୱାରା ସାଂସଦ କେନ୍ଦ୍ରାପଡ଼ା ଭୋଟରଙ୍କୁ ଭକୁଆ ବନାଇବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି । ତାଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ସେ ଦାବି କରିଛନ୍ତି । ସେପଟେ ଅଭିଯୋଗପତ୍ରକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।