ଭୁବନେଶ୍ୱର: ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି ବିଜେପୁର ଉପନିର୍ବାଚନ ମୈଦାନକୁ ଓହ୍ଲାଇଛି ବିଜେପି । ଗତକାଲି ବିଳମ୍ବିତ ରାତିରେ ବିଜେପି କେନ୍ଦ୍ରୀୟ କମିଟି ଶ୍ରୀ ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଛି । ବହୁପୂର୍ବରୁ ବିଜେଡ଼ି ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ କଂଗ୍ରେସ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛି । ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ ଏବଂ ଗାଈସିଲଟ୍ ବ୍ଲକ୍ ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରିବ ସ୍ଥିର କରିପାରୁନି । ଆଜି ହେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ବିଜେପୁର ଯାଇ ସ୍ଥିତି ପରଖୁଛନ୍ତି । ସେଠାରୁ ଫେରିଲା ପରେ ପ୍ରାର୍ଥୀ ଚୂଡ଼ାନ୍ତ ହେବେ ।
୨୪ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ । ଆସନ୍ତା ୨ ତାରିଖରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ନାମାଙ୍କନପତ୍ର ଦାଖଲ କରିବାକୁ ଥିବା ବେଳେ ୫ ତାରିଖରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ନାମାଙ୍କନପତ୍ର ଦାଖଲ କରିବେ । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ତେବେ ବିଜେପୁର ଆସନ ଜିତିବା ପାଇଁ ତିନିଟି ଯାକ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିସାରିଲେଣି । ବିଜେଡ଼ି ପ୍ରତି ପଞ୍ଚାୟତରେ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇସାରିଥିବା ବେଳେ ବିଜେପି ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଜୟନାରାୟଣ ମିଶ୍ରଙ୍କ ଦାୟିତ୍ୱରେ ତିନିଟି ଯାକ ବ୍ଲକ୍ ଛାଡ଼ିଛି । ତଳିଆ ବିଜେପି ନେତାମାନେ ବ୍ଲକ୍, ପଞ୍ଚାୟତକୁ ଖେଦି ଗଲେଣି । କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇସାରିଥିବା ବେଳେ ନେତାଙ୍କ ପ୍ରସ୍ତୁତିପର୍ବ କିନ୍ତୁ ପଛରେ ପଡ଼ିଯାଇଛି । ପ୍ରାର୍ଥୀ ଘୋଷଣା ହେଲା ପରେ ଦଳ ଫୁଲ ଦମ୍ ଖଟାଇବ ବୋଲି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
ବିଜେପୁରରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କରା ଟକ୍କରି ଆରମ୍ଭ ହୋଇସାରିଛି ସତ ହେଲେ କଂଗ୍ରେସ ବି ପଛରେ ରହିବନି ବୋଲି ଅନୁମାନ କରାଯାଉଛି । ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରାଗଲେ କଂଗ୍ରେସ ଅପେକ୍ଷାକୃତ ଭଲ କରିବ ଏବଂ ବିଜେଡ଼ି/ପ୍ରାର୍ଥୀଙ୍କୁ ଟକ୍କର ଦେଇପାରିବ ବୋଲି କୁହାଯାଉଛି । ଗାଈସିଲଟ୍ ବ୍ଲକ୍ ରେ ପ୍ରଣୟଙ୍କର ଯଥେଷ୍ଟ ପ୍ରଭାବ ଓ ଦବଦବା ଥିବାରୁ ସେ ଉଭୟ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କୁ ଅକଳରେ ପକାଇପାରିବେ । ସୁତରାଂ ପ୍ରଣୟ ପ୍ରାର୍ଥୀ ହେଲେ ତ୍ରିମୁଖୀ ଲଢ଼େଇ ନିଶ୍ଚିତ ବୋଲି କୁହାଯାଉଛି । ଅବଶ୍ୟ ରିପୁନାଥ ସେଠ୍ ଙ୍କୁ ଦଳ ଯଦି ପ୍ରାର୍ଥୀ କରେ ତେବେ ତ୍ରିମୁଖୀ ଲଢ଼େଇ ଯେ ହେବନି ତାହା ବି କୁହାଯାଇ ନ ପାରେ । କଂଗ୍ରେସ ନେତୃତ୍ୱ ସମସ୍ତଙ୍କୁ ଏକାଠି ନେଇ ଦଳର ଭୋଟକୁ ସଂଗଠିତ କରିପାରିଲେ ବିଜେଡ଼ି ଓ ବିଜେପି ସହ ଟକ୍କର ଦେଇପାରିବେ । ତେବେ ସେ ଯାହା ହେଉ, ପ୍ରାରମ୍ଭିକ ଆକଳନରେ ସେଠାରୁ କାହାର ବିଜୟ ନେଇ ଏବେ ଠାରୁ ସୁନିଶ୍ଚିତ କରାଯାଇପାରିବନି ।