କଟକ: ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂ ତାଙ୍କର ପଦ ହରାଇଛନ୍ତି । ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ଜାଲ୍ ଜାତିଗତ ପ୍ରମାଣପତ୍ର ନେଇ ଯୋଗେଶଙ୍କ ବିରୋଧରେ ଦୁଇ ଦୁଇଟି ନିର୍ବାଚନୀ ଅନିୟମିତତା ମାମଲା ହାଇକୋର୍ଟରେ ବିଚାରାଧୀନ ଥିଲା । ଆଜି ଦୁଇଟି ଯାକ ମାମଲାର ରାୟ ଶୁଣାଇ ହାଇକୋର୍ଟ ସୁନ୍ଦରଗଡ଼ ନିର୍ବାଚନକୁ ଅସିଦ୍ଦ ଘୋଷଣା ସହ ଯୋଗେଶଙ୍କ ସଭ୍ୟପଦ ରଦ୍ଦ କରିଦେଇଛନ୍ତି ।
୨୦୧୪ ମସିହାରେ ଯୋଗେଶ ସିଂ ସୁନ୍ଦରଗଡ଼(ଏସଟି/ସଂରକ୍ଷିତ)ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ସେ ଜାଲ୍ ଜାତିଗତ ସାର୍ଟିଫିକେଟ୍ ଦେଇ ନିର୍ବାଚନ ଲଢ଼ିଥିବା ଉଭୟ ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଅଭିଯୋଗ କରିଥିଲେ । ବିଜେପି ପ୍ରାର୍ଥୀ ସହଦେବ ଖାଖା ଯୋଗେଶଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ପୃଥକ୍ ଭାବେ ଅଜୟ ପଟେଲ ନାମକ ଜଣେ ବ୍ୟକ୍ତି ମଧ୍ୟ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଦୁଇଟି ଯାକ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ତାଙ୍କ ରାୟ ପ୍ରଦାନ କରିଛନ୍ତି । ଯୋଗେଶଙ୍କ ସଭ୍ୟପଦ ରଦ୍ଦ ହେବା କଂଗ୍ରେସ ପାଇଁ ଧକ୍କା ପହଞ୍ଚାଇଛି । ଅନ୍ୟପକ୍ଷରେ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍ କରିବେ ବୋଲି ଯୋଗେଶ କହିଛନ୍ତି ।
ହାଇକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ବିଧାନସଭା ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଯଦିଓ ମାମଲା ସୁପ୍ରିମକୋର୍ଟ ଯିବ ତେବେ ତାହାକୁ ଅପେକ୍ଷା ନ କରି ବିରୋଧୀ ଶିବିର ପକ୍ଷରୁ ଉପନିର୍ବାଚନ ଅବଶ୍ୟମ୍ଭାବୀ ବୋଲି ପ୍ରଚାର ହେଲାଣି । ବିଜେପୁର ଉପନିର୍ବାଚନ ମୈଦାନ ଗରମ ହେଉଥିବା ବେଳେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ଅସିଦ୍ଧ ଘୋଷଣା ରାଜନୈତିକ ମାହୋଲକୁ ସରଗରମ କରିଛି ।