ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଜଣେ ମନ୍ତ୍ରୀ ପରାମର୍ଶ ଆଳରେ ଛିଗୁଲେଇବେ ଏକଥା ବିଶ୍ୱାସ କରିହେଉ ନ ଥିଲେ ବି ସତ । ଗୁରୁବାର ବିଜେଡ଼ିର ପ୍ରତିଷ୍ଠା ଦିବସ ସମାରୋହ ମଞ୍ଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରିୟପାତ୍ର କୁହାଯାଉଥିବା ମନ୍ତ୍ରୀ ଅଶୋକ ପଣ୍ଡା ଏଭଳି ଦୁଃସାହାସ କରିଛନ୍ତି ।
ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇଥିବା ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କ ଭାଷଣରେ କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗ ଉଠାଇଥିଲେ । ଠିକ୍ ବର୍ଷକ ତଳେ ବିଜେଡ଼ି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଦେଇଥିବା ଭାଷଣକୁ ମନେ ପକାଇ ଦେଇଥିଲେ ।
ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ସେତେବେଳେ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ । ‘ଜବାବ ମାଗୁଛି ଓଡ଼ିଶା’ ଜରିଆରେ ୯ଟି ପ୍ରଶ୍ନ ପଚାରିଥିଲେ । ୫ ନଂ ପ୍ରଶ୍ନଟି ଥିଲା କୋଇଲା ରୟାଲିଟି ସଂଶୋଧନ ଉପରେ । କୋଇଲା ନିଲାମରୁ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି ଆକଳନ ହୋଇଥିଲା । ମାତ୍ର ୩ ବର୍ଷରେ ଓଡ଼ିଶାକୁ ମାତ୍ର ୩୭୦ କୋଟି ଟଙ୍କା ମିଳିଲା । ୨୦୧୫ରୁ କୋଇଲା ରୟାଲିଟି ସଂଶୋଧନ କରାଯାଇନାହିଁ । କେନ୍ଦ୍ର ସରକାର ଚାହିଁଲେ ୫ ମିନିଟ୍ ରେ ଏହି ନିଷ୍ପତ୍ତି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବର୍ଷକ ତଳର ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ମନ୍ତ୍ରୀ ଅଶୋକ ପଣ୍ଡା ମନେ ପକାଇ କୋଇଲା ରୟାଲିଟି ସଂଶୋଧନ କେବେ ହେବ ତାହା କେନ୍ଦ୍ରକୁ ପଚାରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡ଼ି ସରକାର ମଧ୍ୟରେ ରାଜନୈତିକ ସମୀକରଣ ଏବେ କେଉଁ ସ୍ଥିତିରେ ଅଛି ତାହା ମନ୍ତ୍ରୀଙ୍କୁ ଭଲ ଭାବେ ଜଣାଥିଲେ ବି ଦଳୀୟ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଆଳରେ ଏହା ଛିଗୁଲେଇବା ସଦୃଶ ବୋଲି କୁହାଯାଉଛି । ତାଙ୍କ ମନ୍ତ୍ରୀଙ୍କର ଏଭଳି ପରାମର୍ଶ ମୁଖ୍ୟମନ୍ତ୍ରୀଙ୍କୁ ଅକଳରେ ପକାଇଥିବା ଲକ୍ଷ୍ୟ କରାଯାଇଥିଲା ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କେନ୍ଦ୍ରୀୟ ଅବହେଳା ସମ୍ପର୍କରେ ପଦୁଟିଏ ବି କହି ନ ଥିଲେ । ଯୋଉ ମୁଖ୍ୟମନ୍ତ୍ରୀ ବର୍ଷକ ତଳେ କେନ୍ଦ୍ର ବିରୋଧରେ କଠୋର ଥିଲେ ଏବେ ଚୁପ୍ ରହିବା ପଛର କାରଣ ରାଜନୈତିକ ମହଲରେ କାହାରିକୁ ଅଛପା ନାହିଁ । ସେଥିରେ ତାଙ୍କର ଜଣେ ମନ୍ତ୍ରୀ କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗ ଖାଲି ଉଖୁରେଇନାହାନ୍ତି । ବରଂ ପରାମର୍ଶ ଆଳରେ ଛିଗୁଲେଇଥିବାରୁ ମନ୍ତ୍ରୀଙ୍କ ଆଡକୁ ସମସ୍ତଙ୍କ ନଜର ଯାଇଛି ।