ଭୁୁବନେଶ୍ୱର: ଡିଜେଲ୍, ପେଟ୍ରୋଲ୍ ରେଡ୍ଡି କରିଥାଅ । କହିଲେ ସବୁ ନିଆଁ ମାରିଦେବ । ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗତକାଲି ନବରଙ୍ଗପୁର ବନ୍ଦ ପାଳନ ବେଳେ ଦଳୀୟ କର୍ମୀଙ୍କୁ ଏହି ନିର୍ଦ୍ଦେଶ ଦେଇଥିଲେ । ଆଉ ଫସିବା କଥା ଫସିଲେ । ପୁଲିସ ନିଜ ଆଡୁ ତାଙ୍କ ନାଁରେ ଏତଲା ଦେଇ ୯ଟି ସଙ୍ଗୀନ ମାମଲା ରୁଜୁ କରିଛି । ଛାନଭିନ୍ ଚାଲିଥିବାରୁ ଯେ କୌଣସି ମୁହୁର୍ତ୍ତରେ ପୁଲିସ ତାଙ୍କୁ ଗିରଫ କରିପାରେ ।
ସିଏଏ ବିରୋଧରେ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଛି । କଂଗ୍ରେସ ଏହି ହିଂସାକାଣ୍ଡକୁ ଉସକାଉଛି ବୋଲି ବିଜେପି ଅଭିଯୋଗ କରିଆସୁଛି । ଏତିକିବେଳେ କଂଗ୍ରେସର ଏହି ପୂର୍ବତନ ସାଂସଦ ଆନ୍ଦୋଳନକାରୀଙ୍କୁ ପେଟ୍ରୋଲ୍ ଢ଼ାଳି ସବୁଥିରେ ନିଆଁ ଚେଙ୍ଗିବାକୁ ପ୍ରସ୍ତୁତ ରଖିବା ଦଳ ପାଇଁ ଘାତକ ହୋଇଛି । କଥା ଦିଲ୍ଲୀ ଚାଲିଗଲାଣି । ଜାତୀୟ ଗଣମାଧ୍ୟମରେ ଏହା ଚର୍ଚ୍ଚାକୁ ଆସିଥିବା ବେଳେ ବିଜେପିର ଜାତୀୟ ନେତାମାନେ ପ୍ରଦୀପ ମାଝୀଙ୍କ ହିଂସା ଉଦ୍ରେକକାରୀ ମନ୍ତବ୍ୟ ପଛରେ ସୋନିଆ ଗାନ୍ଧୀଙ୍କୁ ଟାଣିଛନ୍ତି । ସୋନିଆଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ କଂଗ୍ରେସ ହିଂସା ଓ ଆତଙ୍କରାଜ ଆରମ୍ଭ କରିଥିବା କହି ହମଲା ଆରମ୍ଭ କରିଛନ୍ତି ।
ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ହମଲା ହୋଇଥିବା ବେଳେ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୁବ୍ ବର୍ଷିଛନ୍ତି । କଂଗ୍ରେସ ହିଂସାରେ ବିଶ୍ୱାସ କରେ । ନିର୍ବାଚନ ପରାଜୟ ପରେ ହିଂସା ଦ୍ୱାରା ଦେଶରେ ଭୟ ଓ ଆତଙ୍କରାଜ ଚଳାଇଥିବା ଧର୍ମେନ୍ଦ୍ର କହିଛନ୍ତି ।
ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଦୀପ ମାଝୀ ହିଂସା ପାଇଁ ଉସକାଇଥିବାରୁ ବିଜେଡ଼ି ବି ନିଆଁବାଣ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ସୁଶାସନ ସୂଚକାଙ୍କରେ ଓଡ଼ିଶାର ପଛୁଆ ସ୍ଥାନକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ସରକାରଙ୍କୁ ଟାର୍ଗେଟ୍ କରାଯାଇଥିଲା । ମାତ୍ର କଂଗ୍ରେସର ଆଭିମୁଖ୍ୟକୁ ବିଜେଡ଼ି ଓଲଟି କଟଶକ୍ଷ କରିଛି । ନବରଙ୍ଗପୁର ବନ୍ଦ ପାଳନ ସମୟରେ ପ୍ରଦୀପ ମାଝୀଙ୍କ ବୟାନ ଓ କଂଗ୍ରେସର ହିଂସା ଆଭିମୁଖ୍ୟରୁ ଗଣମାଧ୍ୟମର ନଜର ହଟାଇବା ଲାଗି ଏହା ଅସଫଳ ପ୍ରୟାସ ବୋଲି ଜବାବ ଦେଇଛି ବିଜେଡ଼ି ।
ବଡ଼କଥା ହେଲା, ପ୍ରଦୀପ ମାଝୀଙ୍କ ସମର୍ଥନରେ ଦଳର ନେତୃତ୍ୱ ବାହାରିନାହାନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଲଟି ପ୍ରଦୀପଙ୍କ ବୟାନ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଦଳର ଆଦର୍ଶ ବିରୋଧରେ ଯାଇ ପ୍ରଦୀପ ଠିକ୍ କରିନାହାନ୍ତି ବୋଲି ସେ ରୋକଠୋକ ଶୁଣାଇ ଦେଇଛନ୍ତି । ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଦୀପଙ୍କ ବୟାନକୁ କଡ଼ା ସମାଲୋଚନା କରିଛନ୍ତି ।
ନିଜର ନିଆଁଲଗା ବୟାନ ପାଇଁ ପ୍ରଦୀପ ମାଝୀ କିନ୍ତୁ ଦୁଃଖିତ ନୁହଁନ୍ତି । ତାଙ୍କର ବୟାନ ପାଇଁ ଦଳ ଜାତୀୟସ୍ତରରେ ନିନ୍ଦିତ ଓ ସମାଲୋଚିତ ହେଲାଣି । ସିଧାସଳଖ ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଗାଳି ଶୁଣିଲେଣି । ହେଲେ ପ୍ରଦୀପ କିନ୍ତୁ ତାଙ୍କ ମୁଣ୍ଡ ତଳକୁ କରିନାହାନ୍ତି । ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । ଜବାବ ନ ମିଳିଲେ ଜବାବ ଦେବେ ବୋଲି ଗଣମାଧ୍ୟମରେ ଦୋହରାଇଛନ୍ତି ।