ଭୁୁବନେଶ୍ୱର: ପୁରୁଣା ବର୍ଷ ଶେଷକୁ ନୂଆ ବର୍ଷ ଆରମ୍ଭ, ମଉଜ ମସ୍ତି ନାଁରେ ସ୍ମାର୍ଟ ସିଟିରେ ଅପସଂସ୍କୃତିର ସମ୍ଭାର । ହୋଟେଲ୍, ରେସ୍ତୋରେଁ, ଗେଷ୍ଟ ହାଉସ୍, ବିଉଟି ଓ ମସାଜ୍ ପାର୍ଲରରେ ସର୍ଭିସ୍ ନାଁରେ ଜମେଇ ଚାଲିଛି ଦେହ ବେପାର । ଏପରିକି ରେସିଡେନସିଆଲ୍ ଏରିଆର କିଛି କିଛି ଆପାର୍ଟମେଣ୍ଟରେ କଂଚା ମାଂସ ବେପାରର ଆସର ମେଲିଗଲାଣି । ନିକଟରେ କିଛି ବାଂଲାଦେଶୀ ଯୁବତୀ ପୋଲିସ୍ ଜାଲରେ ପଡ଼ିବା ପରେ ସ୍ମାର୍ଟ ସିଟିର ସେକ୍ସ ଚେହେରା ପଦାକୁ ଆସିଛି । ହ୍ୱାଟସ୍ ଆପ୍, ଫେସବୁକ୍ଟ୍ଟ ଏପରିକି ଫୋନ୍ କଲରେ କୋଡ୍ ୱାର୍ଡରେ ଚାଲିଛି କାରବାର ।
କମିଶନରେଟ୍ ପୋଲିସ୍ ଏଥିପ୍ରତି କଡ଼ା ନଜର ରଖୁ । ନୂଆବର୍ଷ ପାଳନ ନାଁରେ ରାଜଧାନୀରେ ଯେମିତି ଓଡ଼ିଆ ସଂସ୍କୃତିକୁ ଅପସଂସ୍କୃତି କବଳିତ ନକରିବ, ସେଥି ପାଇଁ କମିଶନରେଟ୍ ପୋଲିସ୍ ସଜାଗ ରହୁ । ପୁରୁଣା ଓ ନୂଆ ବର୍ଷର ଇଣ୍ଟରଭାଲ୍ ପିରିଅଡ୍ ହିଁ ଯାବତୀୟ ଅପସଂସ୍କୃତିର ସମୟ । ତେଣୁ ହୋଟେଲ୍, ରେସ୍ତୋରେ, ବାର୍, ପାର୍କ, ସପିଂ ମଲ୍, ଗେଷ୍ଟ ହାଉସ୍ ଆଦି ଉପରେ ପୋଲିସ୍ ତୀକ୍ଷଣ୍ ନଜର ରଖିବାକୁ କଳିଙ୍ଗ ସେନା ଦାବି କରିଛି । କଳିଙ୍ଗ ସେନାର ସାଧାରଣ ସମ୍ପାଦକ ସ୍ୱାତୀଶ ରଞ୍ଜନ ସାହୁ, ବିଜୟ ରାଜ୍ ଏବଂ ସମ୍ପାଦକ ଅବଦ୍ଦୁଲ୍ କୟିମ୍ ଖାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ତାଙ୍କ କାର୍ୟ୍ୟାଳୟରେ ଭେଟି ଦାବି ପତ୍ର ଦେଇଛନ୍ତି ।
ନ୍ୟୁ ଇୟର ସେଲିବ୍ରେସନ୍ ନାଁରେ ସ୍ମାର୍ଟ ସିଟିରେ ଅପସଂସ୍କୃତି ରୋକିବାରେ କମିଶନରେଟ୍ ପୋଲିସକୁ କଳିଙ୍ଗ ସେନା ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଏଥି ସହିତ କଳିଙ୍ଗ ସେନାର କର୍ମୀମାନେ ହୋଟେଲ୍, ରେସ୍ତୋରେଁ, ବାର, ସପିଂ ମଲ୍ ଆଦି ଉପରେ ନଜର ରଖିବେ । ଯେଉଁଠାରେ ଅପସଂସ୍କୃତିର ଝଲକ ନଜରକୁ ଆସିବ, ସେନା ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେଇ ତାହା ରୋକିବାକୁ ଚେଷ୍ଟା କରିବ ବୋଲି ଦଳର ସଭାପତି ହେମନ୍ତ ରଥ କହିଛନ୍ତି । ଏହି ଅବସରରେ କଳିଙ୍ଗ ସେନାର କୌମସି ବି କର୍ମୀ ଆଇନକୁ ନିଜ ହାତକୁ ନେଇ ମୋରାଲ୍ ପୋଲିସ୍ ନ ସାଜିବାକୁ ନିବେଦନ କରିଛନ୍ତି ।
ସେପଟେ ନ୍ୟୁ ଇୟର୍ ସେଲିବ୍ରେସନ୍ ସମୟରେ ମଦ ର ଡିମାଣ୍ଡ ଅଧିକ ଥିବାରୁ କମିଶନରେଟ୍ ପୋଲିସ୍, ନୂଆ ଟ୍ରାଫିକ୍ ଆଇନକୁ କଡ଼ାକଡ଼ି କରିବାକୁ ଅନୁରୋଧ କରିଛି କଳିଙ୍ଗ ସେନା । ଡିସିପି ଅନୁପ ସାହୁ କଳିଙ୍ଗ ସେନାର ଦାବିପତ୍ର ଗ୍ରହଣ କରିବା ସହ ସେଲିବ୍ରେସନ ସମୟରେ ସହରର ଆଇନ ଶୃଙ୍ଖଳା ରକ୍ଷା ପ୍ରତି କମିଶନରେଟ୍ ପୋଲିସ୍ ଯଥେଷ୍ଟ ଧ୍ୟାନ ଦେବ ବୋଲି କହିଛନ୍ତି ।
ନୂଆବର୍ଷକୁ ପାଶ୍ଚାତ୍ୟ ଶୈଳୀରେ ପାଳନ କରିବାକୁ ଭୁବନେଶ୍ବରର ଅଧିକାଂଶ ହୋଟେଲ୍ ଏବଂ ରେସ୍ତୋରେଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ତେବେ ଯୁବଗୋଷ୍ଠୀ ସେସବୁ ମାୟାରେ ନପଡ଼ି ନିଜ ସଂସ୍କୃତି ପ୍ରତି ସଚେତନ ରହି ନୂଆବର୍ଷ ପାଳନ କରିବାକୁ ନିବେଦନ କରିଛି କଳିଙ୍ଗ ସେନା ।