କଟକରୁ ସୌମ୍ୟଜିତ୍ ମହାନ୍ତି
ନ୍ୟୁ ଇୟର୍ ସେଲିବ୍ରସନ୍ ଟାଇମରେ ହଠାତ୍ ଖବର କାଗଜ ଓ ଟେଲିଭିଜନ୍ ମିଡିଆ ଗୁଡ଼ିକୁ ମିଳିଛି ଏକ ଜବରଦସ୍ତ ଖବର । ଦେହ ବ୍ୟବସାୟରେ ଲିପ୍ତ ଥିବା ଅଭିଯୋଗରେ କିଛି ବାଂଲାଦେଶୀ ଯୁବତୀ କମିଶନରେଟ୍ ପୋଲିସ ଜାଲରେ ପଡ଼ିବା ପରେ ଏମାନଙ୍କୁ ମସଲା ମିଳିଯାଇଛି । ଯେମିତି ଖବର କାଗଜର ପୃଷ୍ଠା ଲେଉଟାଉ ଲେଉଟାଉ ପାଠକ ବାନ୍ଧି ହୋଇ ରହିବେ ଏବଂ ଟେଲିଭିଜନ୍ ଖୋଲୁ ଖୋଲୁ ଦର୍ଶକ ଉଠିବାକୁ ମନ ନକରିବେ । ଏମିତି ସେକ୍ସ ଷ୍ଟୋରି ସେଲ୍ କରିପାରିଲେ ଭଲ ଟିଆରପି ଆସିବ, ଆଉ ପେପରର ଚାହିଦା ବି ବଢ଼ିବ ।
ସେକ୍ସ ଷ୍ଟୋରିର ଶବ୍ଦ ସଂଯୋଜନାକୁ ନେଇ ଆରମ୍ଭ ଆରମ୍ଭ ହୋଇଛି ପ୍ରତିଯୋଗିତା । ହଠାତ୍ ବାହାରିଛି ‘ସେକ୍ସ ଦିଦି’ ଶବ୍ଦ । ପୂର୍ବରୁ ଦେହ ବ୍ୟବସାୟ ସଂକ୍ରାନ୍ତ ଖବର ସହ ‘ରାଣୀ ମହୁମାଛି’ ଶବ୍ଦକୁ ନେଇ ପରିଚିତ ପାଠକ ହଠାତ୍ ଏକ ନୂଆ ଶବ୍ଦ ପାଇଛନ୍ତି । ସେକ୍ସ ଦିଦି କାନକୁ ଭଲ ଶୁଭୁଥିବା ଏ ଶବ୍ଦ ଏବେ ଖଟିରେ ଜମୁଛି । ତେବେ ଦିଦି ପୁଣି ସେକ୍ସ ଦିଦି କିଏ ? କେଉଁଠୁ ଆସିଲା ଏ ଶବ୍ଦ ? ହଁ, କୌଣସି ଜଣେ ମହିଳା କାମ ଦେବାର ପ୍ରତିଶ୍ରୁତି ଦେଇ ଏହି ଯୁବତୀମାନଙ୍କୁ ବାଂଲାଦେଶରୁ ଓଡ଼ିଶା ଆଣିଥିବା ପୋଲିସ୍ କହିଲା । ଆଉ ଅଟକ ଯୁବତୀମାନେ ମହିଳାଙ୍କ ନାଁ ନକହି ‘ଦିଦି’ ସମ୍ବୋଧନ କରୁଥିବା ବେଳେ ଆମ ଗଣମାଧ୍ୟମ ବନ୍ଧୁମାନେ ‘ଦିଦି’ ଶବ୍ଦ ପୂର୍ବରୁ ସେକ୍ସ ଯୋଡ଼ିଦେଲେ ।
ରାଣୀ ମହୁମାଛିର ବିକଳ୍ପ ଏ ଶବ୍ଦକୁ ନେଇ ଗୁଲିଖଟି ସରି ନଥିବା ବେଳେ ଫଲୋ ଅପ୍ ଷ୍ଟୋରି (ଗପ)ରେ ଆଉ ପାଦେ ଆଗକୁ ଚାଲି ଯାଇଛି ପ୍ରମୁଖ ଖବର କାଗଜ । ଏହି ଖବର କାଗଜ ଏମିତି ‘ସଟ୍’ ମାରିଛି ଯାହା ରାଜଧାନୀରେ ବାଂଲାଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ ସଂକ୍ରାନ୍ତ ଖବରକୁ ଅଧିକ ତାଜା କରି ରଖିଛି । ଖବରରେ ‘ସଟ୍ ପିଛା ୫ରୁ ୧୦ ହଜାର ଟଙ୍କା’ ପର୍ୟ୍ୟନ୍ତ ଦର ଉଲ୍ଲେଖ କରାଯାଇଛି । ସମଝଦାରୋଁ କୋ ଇସାରା କାଫି ହୈ, ଶୈଳୀରେ ଅନେକ ଏହା ବୁଝିନେଲେ । ହେଲେ କୁନି ପିଲାଟି କିଛି ଠଉରେଇ ପାରିଲାନି । ଖବର କାଗଜଟି ଧରି ହଠାତ୍ ଜେଜେଙ୍କ ପାଖକୁ ଚାଲିଗଲା । ଜେଜେ ସଟ୍ ପିଛା ୫ରୁ ୧୦ ହଜାର, ଏ ସଟ୍ ମାନେ କଣ ?
ୟାଡୁ ସ୍ୟାଡୁ କହି ଜେଜେ, ନାତିକୁ ସିନା ଭୁଲାଇ ଦେଲେ, ହେଲେ ଖବର କାଗଜରେ ଏଭଳି ଶବ୍ଦ ବ୍ୟବହାରକୁ ସେ ହଜମ କରିପାରିଲେନି । କାହିଁକି, ଏଭଳି ଶବ୍ଦର ବ୍ୟବହାର ଏବଂ କାହିଁକି ଏଭଳି ଅଦରକାରୀ ଖବରକୁ ଅଯଥାରେ ଫେଣାଯାଉଛି, ତାକୁ ନେଇ ବୁଦ୍ଧିଜୀବୀ ମହଲ ଚିନ୍ତା ପ୍ରକଟ କରିଛନ୍ତି ।
ସେକ୍ସ ଷ୍ଟୋରିକୁ ନେଇ ଖବର କାଗଜର ଶବ୍ଦ ସଂଯୋଜନା ଚର୍ଚ୍ଚା ସରି ନଥିବା ବେଳେ ହଠାତ୍ ଗୋଟେ ପରେ ଗୋଟେ ଟେଲିଭିଜନରେ ଉଭା ହେଉଛନ୍ତି ବାଂଲାଦେଶୀ ଯୁବତୀ । ଟିଆରପି ପାଇଁ ମୁହଁ ବ୍ଲର୍ କରି ଚାଲୁଛି ଇଣ୍ଟର୍ଭ୍ୟୁ କମ୍ପିଟିସନ୍ । କେମିତି ବାଂଲାଦେଶରୁ ଆସିଲ? କାହିଁକି ଆସିଲ? ତୁମକୁ ଆଣିଥିବା ସେକ୍ସ ଦିଦି କୁଆଡ଼େ ଗଲେ? କେମିତି ଗ୍ରାହକଙ୍କ ସହ କଣ୍ଟାକ୍ଟ ହୁଏ? ଦିନରେ କେତେ? ରାତିରେ କେତେ? ଏମିତି ଅନେକ ପ୍ରଶ୍ନ ।
ଦେହ ବ୍ୟବସାୟ ବେଆଇନ୍ । ପୁଣି ଖବର ପାଇଲେ ପୋଲିସ୍ ଆକ୍ସନ୍ସ ନେଉଛି । ସଂପୃକ୍ତ ପୁରୁଷ ଜେଲ୍ ଯାଉଥିବା ବେଳେ ସର୍ଟ ଷ୍ଟେ ହୋମରେ କିଛି ଦିନ ରହି କାଉନସେଲିଂ ପରେ ମୁକ୍ତ ହେଉଛନ୍ତି ସଂପୃକ୍ତ ମହିଳା । ସମୟ ଅତିକ୍ରାନ୍ତ ସହ ଏଭଳି ଗୁରୁତ୍ୱହୀନ ଖବର ମିଳାଇ ଯାଉଛି । କିନ୍ତୁ ଏମିତି ଖବର ପାଇଲେ, ପ୍ରକାଶନ ବେଳେ ସାମାଜିକ ଦୃଷ୍ଟିକୋଣରୁ ଅଧିକ ଦାୟିତ୍ୱବାନ ଆଶା କରାଯାଉଥିବା ଗଣମାଧ୍ୟମ କିନ୍ତୁ ଦାୟିତ୍ୱହୀନ ହୋଇ ଯାଉଛନ୍ତି, ଯାହା ଅତ୍ୟନ୍ତ ପରିତାପର ବିଷୟ ।