ଭୁବନେଶ୍ୱର: ନିର୍ବାଚନ କମିଶନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୋଟିସ୍ ଜାରି କରିଛନ୍ତି । ନିର୍ବାଚନୀ ଖର୍ଚ୍ଚ ନେଇ ମିଥ୍ୟା ସତ୍ୟପାଠ ମାମଲାରେ ନିର୍ବାଚନ କମିଶନ ଏହି ନୋଟିସ୍ ଦେଇଛନ୍ତି । ୨୦୧୪ ନିର୍ବାଚନରେ ହିଞ୍ଜିଳିରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ମୁଖ୍ୟମନ୍ତ୍ରୀ ମିଥ୍ୟା ସତ୍ୟପାଠ ଦେଇଛନ୍ତି ବୋଲି ହାଇକୋର୍ଟରେ ଦୁଇଟି ପୃଥକ୍ ମାମଲା ରୁଜୁ ହୋଇଥିଲା । ମିଥ୍ୟା ସତ୍ୟପାଠ ଦେଇଥିବାରୁ ତାଙ୍କ ନିର୍ବାଚନ ବାତିଲ କରିବାକୁ ସାମାଜିକ କର୍ମୀ ସୁବାସ ମହାପାତ୍ର ଓ ହିଞ୍ଜିଳିରୁ ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଆବେଦନ କରିଥିଲେ । ପରେ ସୁବାସ ମହାପାତ୍ର ମାମଲାକୁ ସୁପ୍ରିମକୋର୍ଟ ନେଇଥିଲେ ।
ଗତ ଅକ୍ଟୋବର ୨୭ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ତିନି ମାସ ମଧ୍ୟରେ ପଦକ୍ଷେପ ନେବାକୁ ଭାରତର ନିର୍ବାଚନ କମିଶନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେହି ନିର୍ଦ୍ଦେଶ ଅନୁଯାୟୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ନିର୍ବାଚନ କମିଶନଙ୍କ ନୋଟିସ୍ କପି ପାଇ ନ ଥିବା ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ନୋଟିସ୍ କପି ପାଇଲା ପରେ ନିର୍ବାଚନ କମିଶନଙ୍କୁ ସବୁ ତଥ୍ୟ ଦିଆଯିବ ବୋଲି ସେ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ଓ ସତ୍ୟପାଠ ଦାଖଲରେ କୌଣସି ଅନିୟମିତତା ହୋଇନାହିଁ ବୋଲି ସଫେଇ ଦେଇଛନ୍ତି ।