ଭୁବନେଶ୍ୱର: ରାଜ୍ୟର ମହିଳାମାନଙ୍କ ପାଇଁ ଖୁସି ଖବର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ମିଳିବ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଥିଲେ । ସେଥିରେ ୭୦ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଘୋଷଣା କରାଯାଇଥିଲା । ମହିଳାମାନଙ୍କ ପାଇଁ ଏହା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି ।
ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ର ଜଣେ ମହିଳା ମମତା ପଡ଼ିଆମୀ ମୁଖ୍ୟମନ୍ତ୍ରୀଙ୍କୁ ମହିଳାମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସହାୟତା ରାଶି ବୃଦ୍ଧି ପାଇଁ ଅନୁରୋଧ କରିଥିଲେ । ମାଲକାନଗିରିର ଏହି ମହିଳାଙ୍କ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ବେଶ୍ ପ୍ରଭାବିତ କରିଥିଲା । ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଗ୍ରହଣ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଚିକିତ୍ସା ସହାୟତା ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ ।
ସୂଚନାଯୋଗ୍ୟ, ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆସନ୍ତା ଅଗଷ୍ଟ ୧୫ ତାରିଖରୁ କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ପୂର୍ବରୁ ଏହି ଘୋଷଣା କରିଛନ୍ତି ।