ଭୁୁବନେଶ୍ୱର: ଆଖିରେ କଳା ଚଷମା ମାର୍କା ନିମାପଡ଼ା ବିଧାୟକ ସମୀର ଦାଶଙ୍କ ମନ୍ତ୍ରୀମୋହ ତାଙ୍କ ପାଇଁ କାଳ ହେବାକୁ ଯାଉଛି । ଏଥର ମନ୍ତ୍ରୀମଣ୍ଡଳରେ ତାଙ୍କୁ କୁଆଡେ ନବୀନ ବଡ଼ ମନ୍ତ୍ରୀ କରିଥାଆନ୍ତେ । ମାତ୍ର ସଞ୍ଜୟ ଦାସବର୍ମା ଏହା କରାଇଦେଲେନି । ମନର ରାଗ ଝଡ଼ାଇବାକୁୁ ସମୀର ଟିଭି ସାମ୍ବାଦିକଙ୍କୁ ଡାକି ମନଇଚ୍ଛା ଗାଳି କରିଥିଲେ । କ୍ୟାମେରା ଆଗରେ ଯାହା ପାଇଲେ ଗପିଗଲେ । ସଞ୍ଜୟ ତ ସଞ୍ଜୟ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ର ଗାଳି ଦେବାକୁ ପଛାଇଲେ ନାହିଁ । ଅଫ୍ କ୍ୟାମେରାରେ ତାଙ୍କ ରୂପ ଆହୁରି ଭୟଙ୍କର ହୋଇଥିଲା । ସଞ୍ଜୟଙ୍କ ଚଉଦ ପୁରୁଷ ଉଦ୍ଧାର କରିଥିଲେ । କହିଥିଲେ, ୩୦ ବର୍ଷ ଧରି ସେ ରାଜନୀତି କରୁଛନ୍ତି । ଅତୀତରେ ତାଙ୍କର ଏମିତି କାଟତି ଥିଲା ଯେ ସଞ୍ଜୟ ତାଙ୍କୁ ଚା, ପାନ ପରସୁଥିଲେ । ମନ୍ତ୍ରୀ ହେଇଯିବା ପରେ ସଞ୍ଜୟ ତାଙ୍କର ଔକାତ୍ ଭୁଲିଗଲେ ବୋଲି ସମୀର ଚଢ଼ାଗଳାରେ କହିିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଯାଛାତା ଗପିଥିଲେ । ତେବେ ଟିଭିରେ ସମୀରଙ୍କ ଟିପ୍ପଣୀ ଆସିବା ପରେ ଚଡ଼କ ପଡ଼ିଯାଇଛି । ମନ୍ତ୍ରୀ ଆଶାୟୀ ଅସନ୍ତୁଷ୍ଟ ତାଲିକାରେ ତାଙ୍କ ନାଁ ଚଢ଼ିଯାଇଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାନକୁ କଥାା ଗଲା ପରେ ସମୀରଙ୍କ ଉପରେ ସେ ଖଡ଼ଗହସ୍ତ ହୋଇଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ସମୀରଙ୍କୁ ଡାକି ଭଲ କରି ଦି ପଦ ଶୁଣାଇଛନ୍ତି । ଏଭଳି ବିବୃତି ନ ଦେବାକୁ କଡ଼ା ତାଗିଦ୍ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରାଗ ଦେଖି ସମୀରଙ୍କ ହୋସ୍ ଉଡ଼ିଯାଇଛି । ସମୀର ଭଲଭାବେ ଜାଣିଛନ୍ତି ନବୀନ ତାଙ୍କୁ ବହୁତ କିଛି ଦେଇଛନ୍ତି । ନିମାପଡ଼ାରୁ ଦୁଇ ଦୁଇ ଥର ଟିକେଟ୍ ଦେଇ ଜିତାଇଛନ୍ତି । ଏବେ ଦଳର ମୁଖପାତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ସାଙ୍ଗକୁ ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ବସାଇ ରାଷ୍ଟ୍ରମନ୍ତ୍ରୀର ମର୍ଯ୍ୟାଦା ଦେଇଛନ୍ତି । ତେବେ ସେଥିରେ ସମୀର ସନ୍ତୁଷ୍ଟ ନ ହୋଇ ମନ୍ତ୍ରୀ ହେବାକୁ ମନ ବଳାଇବା ଏବଂ ମନ୍ତ୍ରୀ ହୋଇ ନ ପାରି ବାଉଳାଚାଉଳା ହେବା ମୁଖ୍ୟମନ୍ତ୍ରୀଙ୍କୁ କ୍ଷୁବ୍ଧ କରିବା ସ୍ୱାଭାବିକ । ଆଉ ମୁଖ୍ୟମନ୍ତ୍ରୀଙ୍କ ରୂପ ଦେଖି ସମୀର ଛାନିଆଁ ହୋଇଯାଇଛନ୍ତି । ଯାହା ପାଇଛନ୍ତି ତାହା ହାତରୁ ଚାଲିଯିବାର ଆଶଙ୍କାରେ ନିଦ ହଜିଯାଇଛି ।
ରାଜନୈତିକ ମହଲର କହିବା କଥା, ମନ୍ତ୍ରୀ ଆଶାୟୀ ସମୀର ଦାଶ ନିଜକୁ ବିଜେପିର ସମ୍ବିତ ପାତ୍ର ବୋଲି ଭାବୁଛନ୍ତି । ନବୀନ ତାଙ୍କୁ କେଉଁ ମାପକାଠିରେ ମୁଖପାତ୍ର କରିଛନ୍ତି ତାହା କେବଳ ସେହି ନବୀନଙ୍କୁ ଜଣା । କ୍ୟାମେରା ଆଗରେ ଆଖିରୁ ଚଷମା ଟେକି ଗାଁ ଟାଉଟର ଭଳି ଏଣୁତେଣୁ ଗପୁଥିବା ସମୀରଙ୍କର ସବଜେକ୍ଟ ଉପରେ ବିଶେଷ ଜ୍ଞାନ ନ ଥାଏ । ଏକ ପ୍ରମୁଖ ରାଜନୈତିକ ଦଳ ମୁଖପାତ୍ରର ଗାରିମାକୁ ସମୀରଙ୍କ ଭଳି ନେତା ଧୂଳିସାତ୍ କରିଛନ୍ତି ବୋଲି ସାମ୍ବାଦିକମହଲରେ ବି ଚର୍ଚ୍ଚା ହେଉଛି । ତେବେ ସେ ଯାହା ହେଉ, ସମୀରଙ୍କ ଆଚରଣ ଓ ଉଚ୍ଚାରଣ ନବୀନଙ୍କ ସ୍କାନରକୁ ଆସିବା ପରେ ତାଙ୍କ ଫୁଟାଣି ଭାଙ୍ଗିଯାଇଛି ।







