ଭୁବନେଶ୍ୱର: ଗତକାଲି ଥିଲା ଦ୍ୱିତୀୟ ଶନିବାର । ଛୁଟି ଦିନ । ସଂଧ୍ୟାରେ ହଠାତ୍ ନବୀନ ନିବାସରେ ଦେଖିବାକୁ ମିଳିଲା ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କୁ । ନବୀନଙ୍କୁ ଭେଟି ବାହାରକୁ ଆସିଲା ପରେ ସୌମ୍ୟଙ୍କ ଗୋରା ତକ ତକ ମୁହଁଟି ଲାଲ ଦିଶୁଥିଲା । ନବୀନ ନିବାସରୁ ବାହାରି ଗଣମାଧ୍ୟମକୁ କହିଲେ, ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟରେ ଚାଷୀ ସମସ୍ୟା, ଚିଟଫଣ୍ଡ ଜମାକାରୀଙ୍କ ସମସ୍ୟା ଓ ନିଶା ନିବାରଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆସିଥିଲେ । ନବୀନଙ୍କ ସହ ଏଭଳି ଅଚାନକ ସାକ୍ଷାତ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି କି ବୋଲି ଗଣମାଧ୍ୟମ ପ୍ରଶ୍ନରେ ଘାବରେଇ ଯାଇଥିଲେ ସୌମ୍ୟ । ବିଜେଡ଼ିରେ ସେ ମିଶୁନାହାନ୍ତି ବୋଲି ଛେପ ଢ଼ୋକି ଉତ୍ତର ଦେଇଥିଲେ । ତେବେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡ଼ି ସହ ଆମ ଓଡ଼ିଶା ପାର୍ଟି ମେଣ୍ଟ ସମ୍ଭାବନାକୁ ଏଡାଇ ପାରି ନ ଥିଲେ ସୌମ୍ୟ ।
ନବୀନଙ୍କୁ ତାଙ୍କ ବାସଭବନରେ ସୌମ୍ୟଙ୍କର ଏହି ଅବେଳିଆ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ସୌମ୍ୟ ବିଜେଡ଼ି ଆଡକୁ ଗୋଡ଼ ଟେକିବାର ଚର୍ଚ୍ଚା ବଢ଼ିଯାଇଛି । ପଞ୍ଚାୟତ ନିର୍ବାଚନ ପରେ ପରେ ସେ ବିଜେପି ଆଡକୁ ଆଖି ପକାଇଥିଲେ । ମାତ୍ର ସେଠାରୁ ନିରୁତ୍ସାହିତ ହେଲା ପରେ ବିଜେଡ଼ି ଘରକୁ ମୁହାଁଇଥିବା କୁହାଯାଉଛି । କିଛି ଦିନ ହେଲାଣି କଳବଳେ କୌଶଳେ ନବୀନଙ୍କ ହାତ ଧରିବାକୁ ଫୁଲ୍ ଦମ୍ ଖଟାଇଥିଲେ । ହେଲେ ଯୋଗସୂତ୍ରକାରୀ ଯୁବମନ୍ତ୍ରୀଙ୍କ କ୍ଷମତା ଚ୍ଛେଦନ ତାଙ୍କୁ ହତାସ୍ କରିଥିଲା । ତେବେ ଏହି ହତାସ ବେଶୀ ଦିନ ରହିନି । ପୂର୍ବତନ ଯୁବମନ୍ତ୍ରୀଙ୍କ ସହଯୋଗରେ ଉତ୍ତର ଓଡ଼ିଶାର ଜଣେ ସାଂସଦ ନୂଆ ମଧ୍ୟସ୍ଥି ଭାବେ ଉଭା ହୋଇଛନ୍ତି । ଚିଟଫଣ୍ଡ ଦୁର୍ନାମ ମୁଣ୍ଡାଇଥିବା ଏହି ସାଂସଦ ଜଣଙ୍କ ଏବେ ନବୀନଙ୍କ ଖାସ୍ ଲୋକ ହୋଇଛନ୍ତି । ସୌମ୍ୟଙ୍କ ସହ ତାଙ୍କର ସମ୍ପର୍କ ବି ବହୁତ ଭଲ । ତେଣୁ ସୌମ୍ୟଙ୍କୁ ନବୀନଙ୍କ ପାଖକୁ ନେବାରେ ସେ ମୁଖ୍ୟ ଭୂମିକା ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମନି ଓ ମାଡ଼ିଆ ପାୱାରରେ ବୈଜୟନ୍ତ ପଣ୍ଡାଙ୍କର ବିକଳ୍ପ ଭାବେ ସୌମ୍ୟଙ୍କୁ ସେ ଉପସ୍ଥାପନ କରିଛନ୍ତି । ନବୀନଙ୍କ ସହ ସିଧାସଳଖ ଭେଟଘାଟ କରାଇ ତାଙ୍କୁ ମନେଇବାର ଏହା ପ୍ରଥମ ଉଦ୍ୟମ ବୋଲି କୁହାଯାଉଛି । ନବୀନଙ୍କୁ ବୁଝେଇବାରେ ସେ ନିଶ୍ଚିତ ସଫଳ ହେବେ ବୋଲି ସାଂସଦ ବାବୁ ଜଣଙ୍କ ସୌମ୍ୟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟପକ୍ଷରେ ସୌମ୍ୟଙ୍କ ସମ୍ଭାବ୍ୟ ବିଜେଡ଼ି ଯୋଗଦାନକୁ ବିଜେଡ଼ିର ଏକ ବଡ଼ଗୋଷ୍ଠୀ ବିରୋଧ କରୁଛନ୍ତି । ଯେଉଁ ପଟ୍ଟନାୟକ ପରିବାର ପାଇଁ ଆଜି ଓଡ଼ିଶାରେ କଂଗ୍ରେସ ଡୁବିଯାଇଛି ସେହି ପରିବାରର ଦାୟାଦ ସୌମ୍ୟଙ୍କୁ ବିଜେଡ଼ିକୁ ଆଣିଲେ ଜନସାଧାରଣଙ୍କ ଆଖିରେ ଦଳ ନିନ୍ଦିତ ହେବ ବୋଲି ସେମାନେ ଯୁକ୍ତି କରୁଛନ୍ତି । ପଟ୍ଟନାୟକ ପରିବାରର ଖଣି ଦୁର୍ନୀତିଠାରୁ ଆରମ୍ଭ କରି ଯାବତୀୟ କଳଙ୍କର ବୋଝକୁ ନବୀନ ସମ୍ଭାଳି ପାରିବେ ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ରାଜନୀତିରେ ଚଉକି ଖଣ୍ଡେ ପାଇଁ ସୌମ୍ୟ ଆଶ୍ରା ଖୋଜୁଥିବା ଖବର ପ୍ରଥମେ “ମିଡ଼-ଡ଼େ ଓଡ଼ିଶା” ଲେଖିଥିଲା ।






