ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମହିଳା କାର୍ଡ ଖୋଲିଛନ୍ତି । ଆସନ୍ତା ନିର୍ବାଚନରେ ଓଡ଼ିଶାର ୩୩% ମହିଳାଙ୍କୁ ପାର୍ଲିଆମେଣ୍ଟପଠାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ, ବିରୋଧୀ ଦଳଙ୍କୁ ମଧ୍ୟ ଚାଲେଂଜ ଛାଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣର ନାରା ଦେଉଥିବା ଜାତୀୟ ଦଳଗୁଡ଼ିକ ସେମାନଙ୍କ କଥା ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆଜି କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜନୈତିକ ହଟଚମଟ ସୃଷ୍ଟି କରିଛି ।
କେନ୍ଦ୍ରାପଡ଼ାରେ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡ଼ା ହେଉଛି ବିଜୁ ବାବୁଙ୍କର କର୍ମଭୂମି । ଏହି କେନ୍ଦ୍ରାପଡ଼ାରୁ ହିଁ ବିଜୁବାବୁ ସମଗ୍ର ଦେଶକୁ ବାଟ ଦେଖାଇଥିଲେ । ଭାରତବର୍ଷରେ ପ୍ରଥମ ଥର ପାଇଁ ବିଜୁ ବାବୁ ପଞ୍ଚାୟତିରାଜ ବ୍ୟବସ୍ଥା ଓ ସରକାରୀ ଚାକିରିରେ ୩୩% ମହିଳା ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ୨୦୧୨ ରେ ଆପଣଙ୍କ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ସଂରକ୍ଷଣ ହାର ୫୦% କୁ ବୃଦ୍ଧି କରିଥିଲେ । ଖାଲି ସେତିକି ନୁହେଁ, ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ପ୍ରସ୍ତାବ ନେଇ ଆପଣଙ୍କ ସରକାର ଆଗକୁ ବଢ଼ିଛି । ପ୍ରଥମ ଥର ପାଇଁ ବିଧାନସଭାରେ ଏ ନେଇ ସଂକଳ୍ପ ପାରିତ କରାଯାଇଛି । ମୁଁ ନିଜେ ସବୁ ରାଜନୈତିକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମର୍ଥନ ଲୋଡିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଭାରତବର୍ଷରେ ମହିଳା ସଶକ୍ତିକରଣ ଅଭିଯାନରେ ଓଡ଼ିଶାର ମହିଳାଙ୍କ ନେତୃତ୍ୱ ରହିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ଦେବା ସହ ଭାରତକୁ ଆମେରିକା ଓ ଚୀନ୍ ଭଳି ସମୃଦ୍ଧ ରାଷ୍ଟ୍ର ହେବାରେ ମହିଳା ସଶକ୍ତିକରଣ ହିଁ ଏକମାତ୍ର ଉତ୍ତର ବୋଲି କହିଥିଲେ । ପ୍ରଭୁ ବଳଦେବଜୀଉଙ୍କ କ୍ଷେତ୍ରରୁ ତାଙ୍କର ଘୋଷଣା ଭାରତର ମହିଳା ସଶକ୍ତିକରଣ ଯାତ୍ରାରେ ଇତିହାସ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିରୋଧୀଙ୍କ ସମାଲୋଚନା
ସେପଟେ ୩୩% ମହିଳାଙ୍କୁ ପାର୍ଲିଆମେଣ୍ଟ ପଠାଇବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ଜାତୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର କହିଛନ୍ତି, ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଯଦି ଆନ୍ତରିକତା ଅଛି ତେବେ ଖାଲି ଲୋକସଭା କାହିଁକି, ବିଧାନସଭାକୁ ୩୩% ମହିଳା ପଠାଇବା କଥା କହିଲେନି କାହିଁକି? ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭୂଆଁ ବୁଲାଉଛନ୍ତି ବୋଲି ସେ କହିଛନ୍ତି । ସେହଭଳି କଂଗ୍ରେସ ମଧ୍ୟ ବିଧାନସଭା କଥା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତାକୁ ପ୍ରଶ୍ନ କରିଛି ।