ଭୁବନେଶ୍ୱର: ଗତ ନିର୍ବାଚନରେ ବିଜେଡ଼ି ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହିଁ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଛ କହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଛନ୍ଦିବା ସହ ସରକାରଙ୍କ ବିଫଳତାକୁ ସମାଲୋଚନା କରିଛନ୍ତି ।
ଶ୍ରୀ ପ୍ରଧାନ କହିଥିଲେ, ସମସ୍ତଙ୍କ ପାଇଁ ପକ୍କା ଘର, ଯୁବପୀଢ଼ିଙ୍କ ପାଇଁ ନିଯୁକ୍ତି, ସାର୍ବଜନୀନ ସୁରକ୍ଷା, ଜଳସେଚନ, ପାନୀୟ ଜଳ, କୃଷି ଓ କୃଷକ କଲ୍ୟାଣ ଆଦି କ୍ଷେତ୍ରରେ ରାଜ୍ୟ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଯାହା ଦାବି କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ।୨୦ ଲକ୍ଷ ଲୋକଙ୍କୁ ପକ୍କାଘର ଦେଇଥିବା ମୁଖ୍ୟମନ୍ତ୍ରୀ ହିସାବ ଦେଉଛନ୍ତି । ମାତ୍ର ସେଥିମଧ୍ୟରୁ ୧୭ ଲକ୍ଷ ଘର କେନ୍ଦ୍ର ଟଙ୍କାରେ ଦିଆଯାଇଛି । ସେହିପରି ଓଡ଼ିଶାରେ ୨୦ ଲକ୍ଷ ଭୂମିହୀନଙ୍କୁ ସ୍ଥାୟୀପଟ୍ଟା ଦେଇଥିବା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଜ ଘର ପାଖ ଲୋକ ବି ଜମିପଟ୍ଟା ପାଇ ନ ଥିଲା ବେଳେ ମୁଖ୍ୟମନ୍ତ୍ରୀ କେତେ ସତ କହୁଛନ୍ତି ଜଣାପଡୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
୧୦ ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ ପ୍ରତିଶ୍ରୁତି, ସବୁ ବ୍ଲକ୍ ରେ ଶୀତଳଭଣ୍ଡାର, କାଳିଆ ହିତାଧିକାରୀଙ୍କ ତାଲିକା, ୩୦ ବର୍ଷରୁ ଅଧିକ ବୟସ୍କ ଅବିବାହିତା, ବିଧବା, ଅସହାୟ ମହିଳାଙ୍କ ପେନସନ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ ।
ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅଭ୍ୟାସଗତ ମିଛୁଆ କହି ସମାଲୋଚନା କରିଛନ୍ତି ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର । ସେ କହିଛନ୍ତି, ରାଜ୍ୟବାସୀଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କିଭଳି ପାଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲନ୍ତୁ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଓ ପୋଲାଭରମ୍ ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କ’ଣ ପ୍ରହେଳିକା ଓ ପ୍ରବଚଂନା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିଭଳି ୫ କୋଟି ଉଜ୍ଜଳା ହିତାଧିକାରୀଙ୍କ ତାଲିକା ୱେବସାଇଟ୍ ରେ କାହିଁକି ଦେଉନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡ଼ି ମୁଖପାତ୍ର ।