ଭୁବନେଶ୍ୱର: ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଖକୁ ଯାଇଛି ପ୍ରାର୍ଥୀ ଚୟନର ସବୁତକ କ୍ଷମତା । ୧୪୭ ଟି ଯାକ ବିଧାନସଭା ଓ ୨୧ ଟି ଲୋକସଭା ଆସନରେ କିଏ କେଉଁଠୁ ଲଢ଼ିବେ ତାଙ୍କ ନିଷ୍ପତ୍ତି ହେବ ଶିରୋଧାର୍ଯ୍ୟ । ସେ ହେବେ କଂଗ୍ରେସର ଜନ୍, ଜାନି, ଜନାର୍ଦ୍ଦନ । ଆଜି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକରେ ନିରଞ୍ଜନଙ୍କୁ ଏହି କ୍ଷମତା ଦିଆଯାଇଛି । ଅଧିକାଂଶ ଆସନରେ ପ୍ରବଳ ଝାମେଲା ଥିବାରୁ ସଭାପତିଙ୍କ ଉପରକୁ ଦାୟିତ୍ୱ ଛାଡ଼ିଦିଆଯାଇଛି । ନିରଞ୍ଜନଙ୍କ ନିଷ୍ପତ୍ତିକୁ କେନ୍ଦ୍ରୀୟ କମିଟିର ଅନୁମୋଦନ ପାଇଁ ପଠାଯିବ । ଏକ ସୂତ୍ରର ଖବର ଅନୁଯାୟୀ, ନିରଞ୍ଜନଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ରୀୟ କମିଟି କେବଳ ମୋହର ମାରିବ । ନିରଞ୍ଜନ ଏହାର ଉତ୍ତରଦାୟିତ୍ୱକୁ ବି ମୁଣ୍ଡାଇବେ ।
ଆଜି କଂଗ୍ରେସ ଭବନରେ ନିର୍ବାଚନ କମିଟି ବୈଠକ ବସି ସ୍କ୍ରିନିଂ କମିଟି ପଠାଇଥିବା ନାଁ ଗୁଡ଼ିକ ଉପରେ ତର୍ଜମା ହୋଇଥିଲା । ୧୪୭ ଟି ଯାକ ବିଧାନସଭା ଓ ୨୧ ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା ବିଚାରକୁ ନିଆଯାଇଥିଲା । ଅଳ୍ପ କିଛି ଆସନକୁ ଛାଡ଼ିଦେଲେ, ପ୍ରାୟ ସବୁ ଆସନରେ ଅଛନ୍ତି ଏକାଧିକ ସମ୍ଭାବ୍ୟ ପ୍ରାର୍ଥୀ । ଗୋଟେ ଗୋଟେ ଆସନରେ ୬ରୁ ୭ ଜଣ ଲେଖାଏଁ ସମ୍ଭାବ୍ୟ ପ୍ରାର୍ଥୀ ଅଛନ୍ତି । ସ୍ଥିତି ଏଭଳି ଯେ ତାଲିକା କାଟଛାଣ୍ଟ୍ କରିବା ବି ସମ୍ଭବ ହୋଇ ନ ଥିଲା । ଶେଷରେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତକୁ ଚୂଡ଼ାନ୍ତ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ଏଥିରେ ହାଇକମାଣ୍ଡଙ୍କ ସମ୍ମତି ଥିବା ଜଣାପଡ଼ିଛି । ନିରଂଜନଙ୍କ ଚୂଡ଼ାନ୍ତ ତାଲିକାକୁ କେନ୍ଦ୍ରୀୟ କମିଟିରେ କେବଳ ମୋହର ଦିଆଯିବ ।
କିଛି ନିର୍ଦ୍ଦିଷ୍ଟ ଆସନରେ କିଏ ପ୍ରାର୍ଥୀ ହେବେ ଜଣାପଡୁଥିଲେ ମଧ୍ୟ ତାଲିକା ଚୂଡ଼ାନ୍ତ ପ୍ରକାଶ ନ ପାଇଲା ପର୍ଯ୍ୟନ୍ତ କିଛି କହି ହେବ ନାହିଁ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି । ନିରଞ୍ଜନ କ୍ଷମତା ପାଇଥିଲେ ମଧ୍ୟ ତାଙ୍କ ପାଇଁ ଅନେକ ବାଧ୍ୟବଧକତା ଅଛି । ଏମିତି କିଛି ଜାଗା ଅଛି ଯେଉଁଠି ତାଙ୍କ ପସନ୍ଦର ବ୍ୟକ୍ତିଙ୍କୁ ସେ ଚାହିଁଲେ ବି ଟିକେଟ ଦେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ନିଜେ ନିରଞ୍ଜନ କେଉଁଠୁ ଲଢ଼ିବେ ତାହା ସେ ସ୍ଥିର କରିନାହାନ୍ତି । ରାଉରକେଲା, ଭଣ୍ଡାରୀପୋଖରୀ ଓ ଘଷିପୁରା ଆସନ ପାଇଁ ତାଲିକାରେ ତାଙ୍କ ନାଁ ଚଢ଼ିଛି । ସେ ବାଛିବେ କେଉଁଠି ତାଙ୍କୁ ଜିତିବା ସୁବିଧା ହେବ । ତାଙ୍କ ପୁଅ ଦିବ୍ୟଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନରୁ ଲଢ଼ିବା ଏକ ପ୍ରକାର ଚୂଡ଼ାନ୍ତ ବୋଲି ଜଣାପଡ଼ିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି । କଳାହାଣ୍ଡି ଲୋକସଭା ଆସନରୁ ଭକ୍ତ ଦାସ ଓ ନବରଙ୍ଗପୁର ଆସନରୁ ପ୍ରଦୀପ ମାଝୀଙ୍କ ନାଁ ଏକପ୍ରକାର ଚୂଡ଼ାନ୍ତ ବୋଲି କୁହାଯାଉଛି । ଭୁବନେଶ୍ୱର ଲୋକସଭା ଆସନରୁ ଦଳର ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କ ନାଁ ସମ୍ଭାବ୍ୟ ତାଲିକାରେ ରହିଛି । ଭୁବନେଶ୍ୱର ଲୋକସଭା ନଚେତ୍ ଚାନ୍ଦବାଲି ବିଧାନସଭା ଆସନରୁ ସେ ଲଢ଼ିପାରନ୍ତି ।