ଭୁବନେଶ୍ୱର: ଗଧିଆଟି କୁକୁଡାର ବେକକୁ ଚାପି ଧରିଥିଲା । କୁକୁଡ଼ା ଗଧିଆକୁ ଅନୁରୋଧ କଲା ଆପଣ ଗୋଟେ ଗୀତ ଗାଆନ୍ତୁ । ଭଳିଗଲା ଗଧିଆ । ଗୀତ ଗାଇବା ପାଇଁ ମୁହଁ ଖୋଲୁ ଖୋଲୁ କୁକୁଡ଼ା ପାର୍ । ବିଚରା ଗଧିଆ ବୁଝିଲା ଯେ ମୁହଁ ଖୋଲିଲେ କେଡେ ବଡ଼ ବିପଦ । ମୁହଁ ଖୋଲି ସେମିତି ବିପଦରେ ପଡିଗଲେ ସିସୋର୍ ଚିଟଫଣ୍ଡ୍ ଅଭିଯୁକ୍ତ ପ୍ରଶାନ୍ତ ଦାଶ । ସାମ୍ବାଦିକମାନଙ୍କୁ ସାମ୍ନା କରି ଜେଲରେ ସେ ଭାବିଥିବା କଥାଗୁଡ଼ିକ ଗଳଗଳ କରି ଗାଇ ଦେଇଥିଲେ । କହିଥିଲେ, ସିସୋର ଏକ ଚିଟଫଣ୍ଡ୍ ସଂସ୍ଥା ନୁହେଁ । ନିଜକୁ ଏକ ବଡ଼ ଶିଳ୍ପପତି ଭାବେ ପ୍ରତିଷ୍ଠା କରିବାକୁ ଯାଇ ଏକଥା କହୁଥିଲେ ପ୍ରଶାନ୍ତ । ସେମିତି ମିଡ଼ ନାଇଟ୍ ଅପରେସନ ଓ ପରବର୍ତୀ ତାଙ୍କ ଗିରଫଦାରୀ ଉପରେ ଫୁଟାଣି ଢ଼ଙ୍ଗରେ ମୁହଁ ଖୋଲି ବିଜେଡ଼ିର ଅଜାଗା ଘା’ରେ ହାତ ମାରିଲେ । କହିଲେ, ମିଡ଼ନାଇଟ୍ ଅପରେସନ ପରେ ସୁନାମୀ ମାଡି ଆସିଥିଲା ।
ପ୍ରଶାନ୍ତ ବୁଝିବା ଉଚିତ ଥିଲା ସେ ଯେଉଁ ସୁନାମୀ ଆସିଥିଲା, ତାହା ଅତିକ୍ରାନ୍ତ । ଏବେ ସେ ବିଷୟରେ ଉଲ୍ଲେଖ କରିବାର ସମୟ ନୁହେଁ । “ଘରେ ଟିକେ ସମୟ କାଟିବି, ପରେ କଥାବାର୍ତା ହେବି’ ବୋଲି କହି ପ୍ରସଙ୍ଗକୁ ଟାଳି ନଦେଇ ଏତେ ବଡ଼ କାଣ୍ଡ ପରେ ବି ସଗର୍ବେ ନିଜକୁ ତୁଳସୀ ବୋଲି ପ୍ରମାଣିତ କରିବାକୁ ଚାହିଁଲେ । ଯାହାର ଫଳ ସେ ଭୋଗିଛନ୍ତି । ଯିଏ ଆସୁଆସୁ ଏତେ କଥା କହିଲାଣି, ସେ ଭବିଷ୍ୟତରେ ସରକାରଙ୍କୁ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି ହେଲା । ନୀରବ ରହି ଚିଟଫଣ୍ଡ ଅନ୍ୟ ଅଭିଯୁକ୍ତମାନେ ଆରାମରେ ଏବେ ବାହାରେ ବୁଲୁଥିବା ବେଳେ ବିଚରା ପ୍ରଶାନ୍ତ ମୁହଁ ଖୋଲି ଫସି ଗଲେ ।
ଗତକାଲି ଝାରପଡ଼ା ଜେଲରୁ ବାହାରି ଘରେ ଖୁସିମଜ୍ଜାରେ ରାତି କଟାଇଥିବା ପ୍ରଶାନ୍ତ ଦାସଙ୍କୁ ପୂର୍ବ ୱାରେଣ୍ଟ ବଳରେ ଆଜି ସକାଳୁ ସକାଳୁ ଢ଼େଙ୍କାନାଳ ପୁଲିସ ଉଠାଇନେଲା । ୫ ବର୍ଷ ତଳର ୩ ଟି ମାମଲାରେ ତାଙ୍କ ବିରୋଧରେ ୱାରେଣ୍ଟ ଥିବା ପୁଲିସ କହିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରିବା ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।