ଭୁବନେଶ୍ୱର: ଫେରିଛନ୍ତି ସୁବ୍ରତ ବାଗଚୀ । ଦୀର୍ଘ ଦିନ ଧରି ଗାଏବ ରହିଥିବା ଓଡ଼ିଶା ସରକାରଙ୍କ କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ଆଜି ପୁଣି ମୈଦାନକୁ ଆସିଛନ୍ତି । ବାଗଚୀ ଆଜି ତାଙ୍କ ସମ୍ବୋଧନରେ ଚିରାଚରିତ ଭାବେ ବିଭିନ୍ନ ଢ଼ଗଢ଼ାଗ ଦେଇ କରୋନା ସମ୍ପର୍କରେ ସଚେତନତା ବାଣ୍ଟିଛନ୍ତି । କରୋନା ଲମ୍ବା ଲଢ଼େଇରେ ଜୁନ୍ ମାସ ନିର୍ଣ୍ଣାୟକ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନିଜ ଶୈଳୀରେ ଉପସ୍ଥାପିତ କରିଛନ୍ତି ।
ବାଗଚୀ କହିଥିଲେ, ଜୁନ୍ ମାସ ହେଉଛି କରୋନାର ଚତୁର୍ଥ ପର୍ଯ୍ୟାୟ ସମୟ । ଆମେ ଜୀବନ, ଜୀବିକା ଦ୍ୱନ୍ଦ ଭିତରେ ରହିଥିବା ବେଳେ ବାସ୍ତବତାକୁ ଗ୍ରହଣ କରିବାକୁ ପଡ଼ିବ । କରୋନାକୁ ନ ଜଗିଲେ ଜଙ୍ଗଲର ମଣିଷଖିଆ ବାଘ ପରି ଆମ ଆଡକୁ ମାଡ଼ି ଆସିବ । ଆମେ ନିଜକୁ, ପରିବାରକୁ, ସମାଜକୁ ଆସନ୍ନ ବିପଦରୁ ରକ୍ଷା କରିବାକୁ ପଡ଼ିବ ।
ଜୁନ୍ ମଝିରୁ ଜୁଲାଇ ମଝି ପର୍ଯ୍ୟନ୍ତ କରୋନା ସଂକ୍ରମଣ ବିସ୍ଫୋରଣ ଆକାର ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଥିବାରୁ ଆମକୁ ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ । ଲକ୍ ଡାଉନ୍ କୋହଳକୁ କରୋନା ସରିଗଲା ବୋଲି ଭାବିଲେ ଭୟଙ୍କର ପରିସ୍ଥିତି ହେବ । ଜୁନ୍ ଘାଟି ପାରିହେଲେ ଯାଇ ଆମ ଉପରୁ ବିପଦ ଟଳିବ । ମହାପ୍ରଭୁ ତିନି ମାସ ଧରି ଭକ୍ତଙ୍କଠାରୁ ଦୂରରେ ରହି କଷ୍ଟ ସହୁଛନ୍ତି । ନିଜେ ମହାପ୍ରଭୁ ବେଢ଼ି ପିନ୍ଧୁଛନ୍ତି, ଆସନ୍ତୁ ଆମେ ବେଢ଼ି ପିନ୍ଧିବା ଏବଂ ସୁସ୍ଥରେ ରହିବା ବୋଲି କହିଥିଲେ ବାଗଚୀ ।
ବାଗଚୀ ଆରମ୍ଭରୁ ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ସଫଳତା ଉପରେ କହିଥିଲେ । କୋଭିଡ୍ ନିୟମ ଭିତରେ ସ୍ନାନଯାତ୍ରା ଅତ୍ୟନ୍ତ ସମନ୍ୱିତ, ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ ହେଲା । ସେଥିପାଇଁ ସମସ୍ତ ସେବାୟତ, ଶ୍ରୀମନ୍ଦିର ସେବକ ଏବଂ ପ୍ରଶାସନ ଧନ୍ୟବାଦର ପାତ୍ର । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ବଧେଇ ଓ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ଗଜପତି ମହାରାଜା କୋଭିଡ୍ ଯୁଦ୍ଧରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବୟସ ଦୃଷ୍ଟିରୁ କୋଭିଡ୍ ନିୟମ ମାନି ଛେରା ପହଁରାରୁ ନିବୃତ ରହି ଶ୍ରୀନଅରରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
କୋଭିଡ୍ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଅଦଳବଦଳକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ଦେଇଥିଲେ ବାଗଚୀ । ଯୁଦ୍ଧ ପୂର୍ବରୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇ ପ୍ରସ୍ତୁତି ଜୋରଦାର କରାଯାଇଥିଲା । ଏବେ ପ୍ରଶାସନର ସୁବିଧା ପାଇଁ ସେମାନଙ୍କୁ ମୂଳ ବିଭାଗର ଦାୟିତ୍ୱ ବୁଝିବାକୁ ଦିଆଯାଇଛି । ସେମାନଙ୍କ କ୍ଲାନ୍ତ ଦୂର କରି ନୂଆ ଯୋଦ୍ଧାମାନଙ୍କୁ ଦାୟିତ୍ୱ ଦେବାର ବେଳ ଆସିଛି । ତେଣୁ ଏହି ଅଦବଳବଦଳକୁ ନେଇ ସୃଷ୍ଟି କରାଯାଉଥିବା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଏହା ହେଲେ କରୋନା ଯୁଦ୍ଧର ସମ୍ମୁଖ ଭାଗରେ ଲଢ଼ୁଥିବା ଏହି ଯୋଦ୍ଧାମାନେ ହତୋତ୍ସାହିତ ବୋଲି ବାଗଚୀ କହିଥିଲେ ।
ସୂଚନାଯୋଗ୍ୟ, ଦୀର୍ଘ ଦିନ ପରେ ବାଗଚୀଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ସୋସିଆଲ୍ ମିଡ଼ିଆରେ ସରଗରମ ଚର୍ଚ୍ଚା ହେଉଛି । କୋଭିଡ୍ ମୁକାବିଲା ପାଇଁ ଶ୍ରୀ ବାଗଚୀ ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଦାନ କରି ପ୍ରଶଂସିତ ହେବା ସହ ଅଧିକ ଚର୍ଚ୍ଚାରେ ଅଛନ୍ତି ।