ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଗୁଜୁରାଟ ନିର୍ବାଚନ ଆଜି ଶେଷ ହେବା ପରେ ଜାତୀୟ ଟିଭି ଚାନେଲଗୁଡ଼ିକରେ ଏକଜିଟ୍ ପୋଲ ପ୍ରକାଶ ପାଇଛି । ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ଷଷ୍ଠ ଥର ପାଇଁ କ୍ଷମତାକୁ ଆସିବ ବୋଲି ପୂର୍ବ ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବାରେ ରାହୁଲ ଗାନ୍ଧୀ ସଫଳ ହୋଇପାରି ନ ଥିବା କୁହାଯାଇଥିଲେ ବି କଂଗ୍ରେସର ଆସନ ସଂଖ୍ୟାକୁ ବଢ଼ାଇବାରେ ସକ୍ଷମ ହୋଇଥିବା କୁହାଯାଇଛି । ଗତଥର କଂଗ୍ରେସ ୬୧ ଆସନ ପାଇଥିଲା ବେଳେ ଏଥର ତାହା ୭୦କୁ ଟପିବ ବୋଲି ଆକଳନ କରାଯାଇଛି । ହିମାଚଳପ୍ରଦେଶରେ ମଧ୍ୟ ବିଜେପିକୁ ବହୁମତ ମିଳିବ ବୋଲି ଏକଜିଟ୍ ପୋଲ୍ ଦର୍ଶାଇଛି ।
ଗୁଜୁରାଟରେ ଗତଥର ବିଜେପି ୧୧୫ ଆସନ ପାଇଥିଲା । ଆଜି ଶେଷ ହୋଇଥିବା ନିର୍ବାଚନ ପରେ ଇଣ୍ଡିଆ ଟୁଡ଼େ-ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ୍ ବିଜେପିକୁ ୯୯ରୁ ୧୧୩ ଆସନ ଦେଇଥିବା ବେଳେ କଂଗ୍ରେସକୁ ୬୮ରୁ ୮୨ ଆସନ ଦେଇଛି । ଅନ୍ୟାନ୍ୟ ଦଳକୁ ୧ରୁ ୪ ଆସନ ଦେଇଛି । ଟାଇମ୍ସ ନାଓ-ଭିଏମଆର ବିଜେପିକୁ ୧୦୯, କଂଗ୍ରେସକୁ ୭୦ ଏବଂ ଅନ୍ୟାନ୍ୟ ଦଳକୁ ୩ଟି ଆସନ ଦେଇଛି । ଏବିପି-ସିଏସଡିଏସ୍ ବିଜେପିକୁ ୧୧୭, କଂଗ୍ରେସକୁ ୬୪ ଏବଂ ଅନ୍ୟାନ୍ୟକୁ ୧ ଆସନ ଦେଇଛି । ରିପବ୍ଲିକ୍-ସି ଭୋଟର ବିଜେପିକୁ ୧୦୮, କଂଗ୍ରେସକୁ ୭୪ ଆସନ ଦେଇଛି । ନିଉଜ୍ ଏକ୍ସ ବିଜେପିକୁ ୧୧୦ରୁ ୧୨୦, କଂଗ୍ରେସକୁ ୬୫ରୁ ୭୫ ଏବଂ ଅନ୍ୟାନ୍ୟଙ୍କୁ ୨ ରୁ ୪ ଆସନ ଦେଇଛି । ଇଣ୍ଡିଆ ଟିଭି-ଭିଏମଆର୍ ବିଜେପିକୁ ୧୦୪ରୁ ୧୧୪ ଏବଂ କଂଗ୍ରେସକୁ ୬୫ରୁ ୭୫ ଆସନ ଦେଇଛି । ନିଉଜ୍ ୨୪-ଚାଣକ୍ୟ ବିଜେପିକୁ ୧୩୫ ଏବଂ କଂଗ୍ରେସକୁ ୪୭ ଆସନ ଦେଇଛି ।
ଏକଜିଟ୍ ପୋଲ୍ ଆକଳନର ସତ୍ୟାସତ୍ୟ ଆସନ୍ତା ୧୮ ତାରିଖ ଭୋଟଗଣତି ପରେ ଜଣାପଡ଼ିବ । ମାତ୍ର ଏହାକୁ ନେଇ ଦେଶର ରାଜନୈତିକ ମାହୋଲ୍ ସରଗରମ ହୋଇପଡ଼ିଛି । ଏକଜିଟ୍ ପୋଲ୍ ଆକଳନକୁ ଧରି ବିଜେପି ଉତ୍ସାହିତ ହୋଇପଡ଼ିଥିଲେ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ମୋଦିଙ୍କ ପାଇଁ କଡ଼ା ଚାଲେଂଜ ରହିବାର ଏହା ସୂଚନା ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଗୁଜୁରାଟରେ ବିଜେପି ଗତଥର ଠାରୁ କମ୍ ଆସନ ହାସଲ କଲେ ମୋଦିଙ୍କ ପାଇଁ ଏହା ଶୁଭଙ୍କର ହେବ ନାହିଁ । କଂଗ୍ରେସ ଆସନ ବୃଦ୍ଧି ହେଲେ ଓଲଟି ରାହୁଲଙ୍କ ପାଇଁ ଉତ୍ସାହପ୍ରଦ ହେବ ବୋଲି ସେମାନଙ୍କ ମତ । ଗୁଜୁରାଟରେ ଖାଲି ଆସନ ନୁହେଁ, ବରଂ ଭୋଟ ପ୍ରତିଶତ ହାରରୁ ବିଜେପି ଓ କଂଗ୍ରେସ ଦେଶରେ ସେମାନଙ୍କ ଆଗାମୀ ଦିନର ସ୍ଥିତି ନିର୍ଦ୍ଧାରଣ କରିବେ ବୋଲି କୁହାଯାଉଛି । ଦେଶର ଆଉ କିଛି ଜଣାଶୁଣା ସାମ୍ବାଦିକ ଓ ରାଜନୈତିକ ପଣ୍ଡିତ ଏକଜିଟ୍ ପୋଲ୍ ର ଆକଳନକୁ ଗ୍ରହଣ କରିନାହାନ୍ତି । ଅତୀତରେ ବିହାର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଏକଜିଟ୍ ପୋଲ୍ ଆକଳନ ଫେଲ୍ ହୋଇଥିବା ସେମାନେ ଦର୍ଶାଇଛନ୍ତି । ଯୋଗେନ୍ଦ୍ର ଯାଦବଙ୍କ ପରି ଦେଶର ଜଣାଶୁଣା ନିର୍ବାଚନ ଭବିଷ୍ୟକାରୀ(ସେଫୋଲୋଜିଷ୍ଟ) ଟିଭି ଚାନେଲଗୁଡ଼ିକର ଏକଜିଟ୍ ପୋଲ୍ ଆକଳନକୁ ସ୍ୱୀକାର କରିବାକୁ ତଥାପି ନାରାଜ ଅଛନ୍ତି । ଗୁଜୁରାଟରେ କଂଗ୍ରେସ ପୂର୍ଣ୍ଣ ବହୁମତ ପାଇ ସରକାର ଗଢ଼ିବ ବୋଲି ତାଙ୍କର ଆକଳନ ।