ଭୁବନେଶ୍ୱର: ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପ୍ରଫୁଲ୍ଲ ଘଡ଼ାଇ, ପଞ୍ଚାନନ କାନୁନଗୋଙ୍କ ଭଳି ବିଜେଡିର ପୂର୍ବତନ ହେଭିୱେଟ୍ ମାନେ ଦଳକୁ ଫେରି ଆସୁଥିବା ୭/୮ ମାସ ତଳେ ଗଣମାଧ୍ୟରେ ପ୍ରବଳ ଚର୍ଚ୍ଚା ହୋଇଥିଲା । ପଞ୍ଚାୟତ ନିର୍ବାଚନରେ ବିଜେଡ଼ିକୁ ଝଟକା ଏବଂ ରାଜ୍ୟରେ ବିଜେପିର ଶକ୍ତିବୃଦ୍ଧି ପରିପ୍ରେକ୍ଷୀରେ ବିଜେଡ଼ି ସୁପ୍ରିମୋ କୁଆଡ଼େ ଏମାନଙ୍କୁ ଦଳକୁ ଫେରାଇ ଆଣିବାକୁ ଚାହୁଁଛନ୍ତି । ମେ ୩ ତାରିଖରେ ନିଜେ ସୁପ୍ରିମୋ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲେ । ଦଳକୁ ଫେରିବାକୁ ଚାହୁଁଥିବା ପୁରୁଖା ନେତାଙ୍କ କଥା ‘କେସ୍ ଟୁ କେସ୍ ବେସିସ୍’ ରେ ବିଚାର କରାଯିବ ବୋଲି ପ୍ରତିକ୍ରିୟା ରଖିଥିଲେ । ଏହି ପରିପ୍ରେକ୍ଷୀରେ ସର୍ବପ୍ରଥମେ ଦିଲ୍ଲୀପ ରାୟ ବିଜେଡ଼ିକୁ ଫେରୁଥିବା ଚର୍ଚ୍ଚା ହେଲା । ଦିଲ୍ଲୀପଙ୍କ ପରେ ପରେ ଅନ୍ୟମାନେ ଫେରୁଥିବା କୁହାଗଲା । ମାତ୍ର ସେମିତି କିଛି ହେଲାନି । ବରଂ ଆପେ ଆପେ ବନ୍ଦ ହୋଇଗଲା ଚର୍ଚ୍ଚା । ୭ ମାସ ପରେ ଏବେ ପୁଣି ସେହି ଚର୍ଚ୍ଚା ।
ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିର ବରିଷ୍ଠ ନେତା ହେଲେ ମଧ୍ୟ ଅଲୋଡ଼ା । ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଦୁହିଁଙ୍କ ଦେଖାମିଳୁନାହିଁ । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ହୋଇ ଓଡ଼ିଶାରେ ଦଳର ସର୍ବେସର୍ବା ହେଲା ପରେ ସେମାନେ ଅଣଦେଖା ହୋଇଯାଇଛନ୍ତି । ଏହି ଦୁଇ ନେତାଙ୍କର ବସ୍ତୁତଃ ଦଳରେ ମର୍ଯ୍ୟାଦା ନାହିଁ । ବିଜୟ ମହାପାତ୍ର ଖୋଲାଖୋଲି ନହେଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଧର୍ମେନ୍ଦ୍ର ଓ ତାଙ୍କ ବାହିନୀର କାର୍ଯ୍ୟକଳାପକୁ ସମାଲୋଚନା କରୁଛନ୍ତି । ଖୋଦ୍ ଅମିତ୍ ଶାହାଙ୍କ ମିସନ୍ ୧୨୦ ପ୍ଲସ୍ ର ବାସ୍ତବତାକୁ ପ୍ରଶ୍ନ ଉଠାଇଛନ୍ତି । ବିଜେପିରେ ଅହଂକାରର ଚକଡ଼ା ପୋକ ଲାଗିଗଲାଣି ଏବଂ ଆଗାମୀ ନିର୍ବାଚନରେ ନମ୍ରତା ଓ ଅହଂକାରର ଲଢ଼େଇ ହେବ ବୋଲି ଟିପ୍ପଣୀ ଦେଇଛନ୍ତି । ବିଜୟଙ୍କ ଭଳି ଦିଲ୍ଲୀପ ଉପରକୁ ଆଗ୍ରେସିଭ୍ ନ ଥିଲେ ମଧ୍ୟ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗରେ ବିଜେପିକୁ ଘାଇଲା କରିଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କୁ ସମାଲୋଚନା କରିଛନ୍ତି । ଦିଲ୍ଲୀପଙ୍କ ବାଣରେ ରାଜନୀତି ହଲଚଲ ହେବାବେଳକୁ ମହାନଦୀ ବାଣ ଛାଡ଼ିଛନ୍ତି ବନ୍ଧୁ ବିଜୟ । ବ୍ରାହ୍ମଣୀ ଓ ମହାନଦୀ ପ୍ରସଙ୍ଗରେ ଦିଲ୍ଲୀପ-ବିଜୟ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ସମାଲୋଚନା କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀର ଶରବ୍ୟ ହୋଇଛନ୍ତି । ଏପରିକି କାର୍ଯ୍ୟାନୁଷ୍ଠାନର ଧମକ ପାଇଛନ୍ତି ।
ଦିଲ୍ଲୀପ ଓ ବିଜୟଙ୍କ ଆଭିମୁଖ୍ୟ ସେମାନଙ୍କୁ ବିଜେଡ଼ିର ନିକଟତର କରିଛି ବୋଲି ଏବେ କୁହାଯାଉଛି । ଏମିତି ବେଳେ ଗତକାଲି ପାରାଦ୍ୱୀପରେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଜନ୍ମଦିନ ଉତ୍ସବରେ ବିଜୟ ମହାପାତ୍ରଙ୍କ ଉପସ୍ଥିତି ଏବଂ ଦାମଙ୍କ ସହ କୋଳାକୋଳି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଖାଲି ବିଜୟ ନୁହଁନ୍ତି ପଞ୍ଚାନନ କାନୁନଗୋ ମଧ୍ୟ ସେଠାରେ ଉପସ୍ଥିତ ରହି ଦାମଙ୍କୁ ପ୍ରଶଂସାରେ ପୋତି ପକାଇବା ରାଜନୈତିକ ଭ୍ରୃକୁଞ୍ଚନ ସୃଷ୍ଟି କରିଛି । ଅର୍ଥାତ୍ ତାଙ୍କର ମଧ୍ୟ ବିଜେଡ଼ିକୁ ଫେରିବାର ସମ୍ଭାବନାକୁ ଏହା ପ୍ରଶସ୍ତ କରିଛି । ଖାଲି ଦିଲ୍ଲୀପ, ବିଜୟ କି ପଞ୍ଚାନନ ନୁହଁନ୍ତି, ପ୍ରଫୁଲ୍ଲ ଘଡ଼ାଇଙ୍କ କାର୍ଯ୍ୟକଳାପ ମଧ୍ୟ ରାଜନୈତିକ ମହଲକୁ ଚମକାଇଲାଣି । ଦଳରୁ ବହିଷ୍କୃତ ହେଲା ପରେ ନିର୍ବାସନ ଭୋଗୁଥିବା ଘଡ଼ାଇ ବିଜେଡ଼ି ଫେରନ୍ତା ବାଟକୁ ଗୋଡ଼ ଟେକି ରହିଥିବା କୁହାଗଲାଣି । ତିନିବର୍ଷ ଧରି ଚୁପ୍ ରହିବା ପରେ ହଠାତ୍ ସେ ସକ୍ରିୟ ହୋଇପଡ଼ିଛନ୍ତି । ନିଜ ଇଲାକା ସୁକିନ୍ଦାରେ ସଭାସମିତିରେ ଯୋଗ ଦେଉଛନ୍ତି । ଅପହଞ୍ଚ ନଗଡ଼ାକୁ ଯାଇ ନିଜର ଜନ୍ମଦିନ ପାଳିଛନ୍ତି । ତାଙ୍କର ଏଭଳି ସକ୍ରିୟତା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ । ବିଜେଡ଼ିକୁ ଫେରି ପୁଣିଥରେ ନିର୍ବାଚନ ଲଢ଼ିବାକୁ ସେ କ୍ଷେତ୍ର ପ୍ରସ୍ତୁତ କରୁଥିବା ଆଲୋଚନା ହେଲାଣି ।
ତେବେ ଏମାନେ ସତରେ ବିଜେଡ଼ିକୁ ଫେରିବାକୁ ଚାହୁଁଛନ୍ତି ନା ନାହିଁ କି ବିଜେଡ଼ି ଏମାନଙ୍କୁ ଗ୍ରହଣ କରିବ କି ନାହିଁ ତାହା ଏବେ ବି ଅସ୍ପଷ୍ଟ ରହିଛି । ଏ ସମ୍ପର୍କରେ କେହି ପାଟି ଖୋଲିନାହାନ୍ତି । ବିଜୟ ମହାପାତ୍ର ଏହି ପ୍ରଶ୍ନକୁ ଏଡାଇ ଦେଇଥିବା ବେଳେ ଦିଲ୍ଲୀପ ରାୟ ଧରାଛୁଆଁ ଦେଇନାହାନ୍ତି । ପଞ୍ଚାନନ କାନୁଗୋଙ୍କ ମୁହଁରୁ ମଧ୍ୟ ସ୍ପଷ୍ଟ ଉତ୍ତର ମିଳିନାହିଁ । ପ୍ରଫୁଲ୍ଲ ଘଡ଼ାଇ ସିଧାସଳଖ କିଛି କହିନାହାନ୍ତି ସତ ହେଲେ ବିଜେଡ଼ି ପ୍ରତି ତାଙ୍କ ମନର ଦୁର୍ବଳତାକୁ ଚାପିପାରିନାହାନ୍ତି । ସେପଟେ ବିଜେଡ଼ି ମହଲରୁ ଏମାନଙ୍କ ଯୋଗଦାନ ନେଇ ବିଭିନ୍ନ କଥା ଶୁଣାଯାଉଥିଲେ ମଧ୍ୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଇସାରା ଓ ନିଷ୍ପତ୍ତିକୁ ସମସ୍ତେ ଚାହିଁଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କଠାରୁ ପ୍ରସ୍ତାବ ପାଇଛନ୍ତି କି ନାଁ, ଯଦି ପାଇଛନ୍ତି ତାଙ୍କ ମନରେ କ’ଣ ରଖିଛନ୍ତି ଏବଂ ଏମାନଙ୍କୁ ଦଳକୁ ଫେରାଇ ଲାଗି କାହା ସହିତ କ’ଣ କଥାବାର୍ତ୍ତା ହେଉଛନ୍ତି ତାହାର ଟେର୍ କେହି ପାଇନାହାନ୍ତି ।