ନୂଆଦିଲ୍ଲୀ: ୧୩୨ ବର୍ଷର ପୁରାତନ କଂଗ୍ରେସରେ ଆରମ୍ଭ ହୋଇଛି ରାହୁଲ ଯୁଗ । ମାଆ ସୋନିଆଙ୍କଠାରୁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ରାହୁଲ ଗାନ୍ଧୀ । ନେହେରୁ-ଗାନ୍ଧୀ ପରିବାରର ପଞ୍ଚମ ସଦସ୍ୟ ଭାବେ ରାହୁଲ ଜାତୀୟ କଂଗ୍ରେସର ସଭାପତି ପଦ ମଣ୍ଡନ କରିଛନ୍ତି । ଦିଲ୍ଲୀର ଏଆଇସିସି ଅଫିସଠାରେ ଆୟୋଜିତ ଦାୟିତ୍ୱଗ୍ରହଣ ସମାରୋହରେ ରାହୁଲ ପୁରାତନ ଏହି ଦଳ(ଗ୍ରାଣ୍ଡ ଓଲଡ ପାର୍ଟି)କୁ ‘ଗ୍ରାଣ୍ଡ ଓଲଡ ନିଉ ପାର୍ଟି’ ଭାବେ ଗଢ଼ି ତୋଳିବାକୁ ଶପଥ ନେଇଛନ୍ତି । ରାହୁଲ ନିଜ ଅଭିଭାଷଣରେ ବିଜେପି ଓ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ଏନଡିଏ ସରକାର ଘୃଣା ରାଜନୀତି କରୁଥିବା କହିଛନ୍ତି । କଂଗ୍ରେସ ଘୃଣାର ଜବାବ ଘୃଣାରେ ନୁହେଁ ବରଂ ଘୃଣାର ଜବାବ ଭଲ ପାଇ ଦେବାରେ ବିଶ୍ୱାସ କରେ ବୋଲି କହିଛନ୍ତି । ସୋନିଆ ତାଙ୍କ ବିଦାୟୀ ଅଭିଭାଷଣରେ ରାହୁଲଙ୍କ ନେତୃତ୍ୱକୁ କଂଗ୍ରେସର ଏକ ନୂଆ ଅୟମାରମ୍ଭ ଓ ନୂଆ ଆଶା ଭାବେ ଅଭିହିତ କରିଛନ୍ତି ।
୪୭ ବର୍ଷୀୟ ରାହୁଲ ୨୦୦୪ ମସିହାରେ ରାଜନୀତିରେ ପ୍ରବେଶ କରି ଉତ୍ତରପ୍ରଦେଶର ଆମେଥିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୭ ସେପ୍ଟେମ୍ବରରେ ଏଆଇସିସିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିଲେ । ପରେ ପରେ ସେ କଂଗ୍ରେସର ଛାତ୍ର ଓ ଯୁବ ସଂଗଠନ ଦାୟିତ୍ୱ ନେଇଥିଲେ । ୨୦୦୯ ରେ ସେ ଆମେଥିରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ । ୨୦୧୩ ରେ ସେ ଦଳର ଉପସଭାପତି ପଦ ସମ୍ଭାଳିଥିଲେ । ୨୦୧୪ ରେ ତୃତୀୟ ଥର ପାଇଁ ଆମେଥିରୁ ଲୋକସଭାରେ ସେ ପ୍ରତିନିଧିତ୍ୱ କରୁଛନ୍ତି ।