– ବିଜେପିକୁ ଧୂଳି ଚଟେଇବା ଯୋଜନାରେ ନବୀନ
– ଦଳୀୟ ନେତାଙ୍କୁ ନିର୍ଘାତ ଟିଉସନ୍
– ଚରମବାଣୀ: କର ବା ମର
ଭୁବନେଶ୍ୱର: ବିଜେପିର ମିଶନ୍ ୧୨୦ ପ୍ଲସ୍ ହାଇଜାକ୍ କରିନେବାକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଜନା କରୁଛନ୍ତି । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଦଳୀୟ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି । ୧୧୭ ସଂଖ୍ୟାକୁ ଏଥର ଅନ୍ୟୁନ ୧୩୦ କରିବାକୁ ନବୀନ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସେମାନେ କହିଛନ୍ତି । ବିଜେପିର ୧୨୦ ମିଶନ୍ କୁ ବୁମେରାଂ କରି ଓଲଟି ବିଜେଡ଼ି କ୍ଷେତ୍ରରେ ଦେଖାଇ ଦେବାକୁ ନବୀନ କୁଆଡ଼େ ଚାଲେଂଜ ନେଇଛନ୍ତି । ଏଥିପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ସେ ପ୍ରସ୍ତୁତ କରାଉଛନ୍ତି । ଡିସେମ୍ବର ୨୬ ତାରିଖ ଦଳର ପ୍ରତିଷ୍ଠା ଦିବସରେ ଏହି ଯୁଦ୍ଧର ଶୁଭ ପକାଇବାକୁ ପ୍ରସ୍ତୁତି ହୋଇଛି ।
ପଞ୍ଚାୟତ ନିର୍ବାଚନ ପରୀକ୍ଷାରେ ବିଜେପିର ଶକ୍ତିବୃଦ୍ଧି ବିଜେଡ଼ି ସୁପ୍ରିମୋଙ୍କୁ ଭୀଷଣ ବିଚଳିତ କରିଛି । ବିଜେପିର ଏହି ଶକ୍ତିବୃଦ୍ଧି ପଛରେ ବିଜେଡ଼ି ନେତାଙ୍କ ଗର୍ବ, ଅହଂକାର ଓ ଅନ୍ତଃକନ୍ଦଳ ଯେ ଦାୟୀ ତାହା ସେ ବୁଝିଯାଇଛନ୍ତି । ନିଜକୁ ଆଉ ଚୁପ୍ ନ ରଖି ନବୀନ ନିଜକୁ ବଦଳେଇ ଦେଇଛନ୍ତି । ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କିଛି ଜାଣୁ ନାହାନ୍ତି ବୋଲି ଭାବୁଥିବା ଦଳୀୟ ନେତାମାନେ ତାଙ୍କ ଉଗ୍ର ରୂପ ଦେଖି ଟେରା ହେଲେଣି । ଗତ ସପ୍ତାହରେ କେନ୍ଦ୍ରାପଡ଼ା ଜିଲ୍ଲାର ଦଳୀୟ ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନାଲିଆଖି ଜିଲ୍ଲାର ଅନ୍ୟନେତାଙ୍କୁ ତାଜୁବ୍ କରିଥିଲା । କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ଦଳ ଦହନୀୟ ଅବସ୍ଥାକୁ ଚାଲିଯାଇଥିବା କହି ବିଧାୟକ ତରାଇଙ୍କୁ ନିର୍ଧୁମ ଗାଳି କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ସୁପ୍ରିମୋଙ୍କ ଗାଳିରେ ଥରିଥିଲେ ତରାଇ । ଏରିଆକୁ ସଜାଡ଼, ନହେଲେ ବିକଳ୍ପ ଚିନ୍ତା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସଫା ସଫା ଶୁଣାଇଥିଲେ । ନବୀନ ଜଣ ଜଣ କରି ସମସ୍ତ ବିଧାୟକଙ୍କୁ ନିଜ ଅଞ୍ଚଳର ହାଳଚାଲ ପଚାରୁଥିଲେ ମଧ୍ୟ ସବୁ ଖବର ଥିଲା ତାଙ୍କରି ପାଖରେ । ଜିଲ୍ଲାରେ ନେତାଙ୍କ ମଧ୍ୟରେ ଚାଲିଥିବା ଗୋଛି କଟାକଟି ମୁଖ୍ୟମନ୍ତ୍ରୀଙ୍କୁ ଭୀଷଣ ଉତକ୍ଷିପ୍ତ କରିଥିଲା । ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀ ଛଡ଼ା ବାହାର ନିର୍ବାଚନମଣ୍ଡଳୀରେ ମୁଣ୍ଡ ପୂରାଇଲେ ପରିଣାମ ଭୋଗିବେ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ ।
ଖାଲି କେନ୍ଦ୍ରାପଡ଼ା ନୁହେଁ । ବିଭିନ୍ନ ଜିଲ୍ଲାର ସମୀକ୍ଷା ବୈଠକରେ ନବୀନ ସମାନ ଆଭିମୁଖ୍ୟ ନେଇଛନ୍ତି । ନିଜେ ସବୁ ଖବର/ସୂଚନାକୁ ଧରି ଦଳୀୟ ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି । ଦଳୀୟ ସଂଗଠନ ବ୍ୟାପାରରେ ସେମାନେ କୌଣସି ଖବର ଲୁଚାଇବାକୁ ଚାହିଁଲେ ମଧ୍ୟ ସୁପ୍ରିମୋଙ୍କ ହାବୁଡରୁ ଖସିପାରୁନାହାନ୍ତି । ଦଳରେ ଅର୍ନ୍ତଦ୍ୱନ୍ଦ, ଗୋଷ୍ଠୀବିବାଦକୁ ନବୀନ ଖାଲି ଛାଟ ଦେଖାଉନାହାନ୍ତି ବରଂ ଆଗାମୀ ନିର୍ବାଚନରେ ଟିକେଟ କଥା ମନେ ପକାଇ ତାଗିଦ୍ କରିଦେଉଛନ୍ତି । ଦଳୀୟ ସଂଗଠନ କଥା ଛଡ଼ା ବିଭିନ୍ନ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ପଞ୍ଚାୟତ ଓ ବ୍ଲକସ୍ତରରେ ସମନ୍ୱୟ ଭିତିରେ କାର୍ଯ୍ୟକ୍ରମ ହେଉଛି ନା ନାହିଁ ତାହାର କଡ଼ାଗଣ୍ଡା ହିସାବ ମାଗୁଛନ୍ତି । ମୋଟାମୋଟି, ଦଳରେ ଅସଜଡ଼ା ଜିନିଷକୁ ସଜାଡ଼ିବା ପାଇଁ ନବୀନ ସମସ୍ତଙ୍କୁ କଡ଼ା ତାଗିଦ୍ କରୁଛନ୍ତି । ଇତିମଧ୍ୟରେ ୧୮ ଟି ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ସମୀକ୍ଷା ସାରିଛନ୍ତି ନବୀନ । ଆଗାମୀ ୨୫ ତାରିଖ ପୂର୍ବରୁ ଅବଶିଷ୍ଟ ଜିଲ୍ଲାଗୁଡ଼ିକର ସମୀକ୍ଷା ସାରି ଜାନୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ସମୀକ୍ଷା ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।
ଦଳୀୟ ନେତାଙ୍କ କହିବାନୁଯାୟୀ, ସାଧାରଣ ନିର୍ବାଚନକୁ ନେଇ ନବୀନ ଏଥର ଅଧିକ ଆଗ୍ରେସିଭ୍ ହୋଇଛନ୍ତି । ପ୍ରତି ନିର୍ବାଚନମଣ୍ଡଳୀର ଟିକନିକ୍ ଖବର ଉପରେ ନବୀନଙ୍କର ଏଭଳି ଦଖଲ ଓ ହୋମୱାର୍କ ଆଗରୁ କେବେ ଦେଖିବାକୁ ମିଳି ନ ଥିଲା । ପୂର୍ବରୁ ସେ ଛୋଟ ଛୋଟ ଦଳୀୟ ବ୍ୟାପାରରେ ମୁଣ୍ଡ ଖେଳାଉ ନ ଥିଲେ ମଧ୍ୟ ଏଥର ସେ ନିଜେ ସବୁକଥା ବୁଝୁଛନ୍ତି । ଦଳୀୟ ପଦପଦବୀରେ ଥିବା କର୍ମକର୍ତ୍ତାଙ୍କୁ ଡାକି ସୁବିଧା ଅସୁବିଧା ପଚାରୁଛନ୍ତି । ବିଭିନ୍ନ ସ୍ତରରେ ଦଳୀୟ ଗୋଷ୍ଠୀକନ୍ଦଳ ଉପରେ ତାଙ୍କର ତୀକ୍ଷ୍ମ ନଜର ରହିଛି । ପରସ୍ପରର ଗୋଛି କଟାକଟିରେ ଥିବା ଦଳର ତଥାକଥିତ ମୁଣ୍ଡିଆଳମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି । ନିଜ ପରିଧି ବାହାରକୁ ଗଲେ ପରିଣାମ ଭୋଗିବ ବୋଲି ଚେତାଇ ଦେଇଛନ୍ତି । ସୂଚନାଯୋଗ୍ୟ, ଦଳର ମୁଣ୍ଡିଆଳ ଭାବେ ପରିଚିତ ଯୁବବାହିନୀରେ ଏବେ ବିଷ ଚରିଯାଇଛି । ଏକାଠି ହୋଇ ସଂଗଠନକୁ ମଜବୁତ କରିବା ପରିବର୍ତ୍ତେ ନିଜ ନିଜ ଭିତରେ ସେମାନେ ବାଡ଼ିଆପିଟାରେ ମାତିଛନ୍ତି । କେହି କାହାରି କ୍ଷମତାକୁ ସହ୍ୟ କରୁନାହାନ୍ତି । ଦଳକୁ ଏହା ପ୍ରବଳ କ୍ଷତି କରୁଥିବାରୁ ମୁଖ୍ୟମନ୍ତ୍ରୀ ଏବେ ସଜାଗ ହୋଇଯାଇଛନ୍ତି । ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ତାଙ୍କ କାର୍ଯ୍ୟଶୈଳୀରେ ଜଣାଇ ଦେଇଛନ୍ତି ।