ଦିବ୍ୟାଙ୍ଗ ମହୋତ୍ସବ-୨୦୧୭
ଭୁବନେଶ୍ୱର: ସାଧାରଣ ମଣିଷର ପରିଚୟ ଟିକକ ପାଇଁ ଏମାନେ କାହା ଦୟାର ପାତ୍ର ନୁହଁନ୍ତି । ନିଜ ଟାଲେଣ୍ଟ, ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେମାନେ ନିଜେ ବଳିୟାନ । ନିୟତିର ଅଭିଶାପ ସେମାନଙ୍କ ଶରୀରକୁ ଛୁଇଁଛି ସତ ହେଲେ ଆଶା, ଅଭିଳାଷ କି ବିବେକକୁ ଛୁଇଁପାରିନି । ପଢ଼ାପଢ଼ି, ନାଚଗୀତ, ଭାବ ଦିଆନିଆ କୌଣସିଥିରେ ଭଗବାନ ସେମାନଙ୍କୁ ଅଭାବୀ କରିନାହାନ୍ତି । ଏହି କୋମଳମତି ପିଲାଙ୍କ ନିଷ୍ଠା, ଆଗ୍ରହ ଓ ଆତ୍ମବିଶ୍ୱାସ ଦେଖିଲେ ସେମାନେ ଯେ ଜହ୍ନ ରାଇଜର ପରୀ ହେବାକୁ ସ୍ୱପ୍ନ ସାଉଁଟୁଛନ୍ତି ତାହା ବାରି ହୋଇପଡ଼େ । ଆଜି ଭୁବନେଶ୍ୱରର ବିପିନ ବିହାରୀ ଚୌଧୁରୀ ବଧିର ସ୍କୁଲ ପରିସରରେ ଆୟୋଜିତ ‘ଦିବ୍ୟାଙ୍ଗ ମହୋତ୍ସବ-୨୦୧୭’ ରେ ଏହାର ଝଲକ ଦେଖିବାକୁ ମିଳିଥିଲା । ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜରୁ ସମବେତ ହୋଇଥିବା ହଜାରରୁ ଅଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମାହୋଲ୍ ହିଁ ସେମାନଙ୍କ ଅସୁମାରୀ ସ୍ୱପ୍ନର ବାର୍ତ୍ତା ଧରିଥିଲା । ଷ୍ଟେଜ୍ ରେ ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ବେଶ୍ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେମାନଙ୍କୁ ଦେଖି ଓ ଶୁଣି ଲାଗୁ ନ ଥିଲା ଯେ ସେମାନେ ଦିବ୍ୟାଙ୍ଗ । ସାଧାରଣ ପିଲାଙ୍କ ଅସାଧାରଣ ପ୍ରତିଭା ଥିଲା ଏହି ଦିବ୍ୟାଙ୍ଗ ପିଲାଙ୍କ ପାଖରେ । ନାଚ, ଗୀତ, କମେଡ଼ି, ଅଭିନୟ କୌଣସି ଗୁଣରେ ସେମାନେ କମ୍ ନ ଥିଲେ ।
ଦିବ୍ୟାଙ୍ଗ ପିଲାଙ୍କୁ ଏକାଠି କରି ସେମାନଙ୍କ ପ୍ରତିଭାକୁ ସମାଜର ମୁଖ୍ୟସ୍ରୋତକୁ ଆଣିବାର ଏହି ଉଦ୍ୟମ କରିଛନ୍ତି ସମ୍ବାଦପତ୍ର ‘ନନ୍ଦିନୀ’ ଓ ‘ବ୍ରିଙ୍ଗ୍ ସ୍ମାଇଲ୍’ ଅନୁଷ୍ଠାନ । ଗତବର୍ଷ ଭଳି ଏଥର ମଧ୍ୟ ‘ଦିବ୍ୟାଙ୍ଗ ମହୋତ୍ସବ’ କୁ ସଫଳତାର ସହ ଆୟୋଜନ କରାଯାଇଛି । ‘ନନ୍ଦିନୀ’ ର ସମ୍ପାଦକ ହେମନ୍ତ ରଥଙ୍କ ପରିଚାଳନା ଓ ସଭାପତିତ୍ୱରେ ଆୟୋଜିତ ଆଜି ମହୋତ୍ସବର ମୁଖ୍ୟଅତିଥି ଥିଲେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ଦିବ୍ୟାଙ୍ଗମାନଙ୍କୁ ଦୟା ନୁହେଁ ବରଂ ସହଯୋଗ, ଆଦର ଓ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ସେ ତାଙ୍କ ଭାଷଣରେ କହିଥିଲେ । ‘ବ୍ରିଙ୍ଗ୍ ସ୍ମାଇଲ୍’ ର ଅଧ୍ୟକ୍ଷା ସୁଚରିତା ମିଶ୍ର ତାଙ୍କ ବକ୍ତବ୍ୟରେ ଦିବ୍ୟାଙ୍ଗମାନଙ୍କ ବିକାଶ ପାଇଁ ଏକ ସଭ୍ୟ ଓ ସମ୍ବେଦନଶୀଳ ସମାଜ ଗଢ଼ିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା କିଛି ସଫଳ ସାମ୍ବାଦିକ ଓ ବ୍ୟକ୍ତି ବିଶେଷଙ୍କୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଅର୍ଥମନ୍ତ୍ରୀ ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଅଭିପ୍ସା ପୂଜାରୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରତାପ ମିଶ୍ର, ସିପୁ ନାଥ, ସୁଶାନ୍ତ ସାହୁ, ଜଗବନ୍ଧୁ ମହାନ୍ତ, କୁନି ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦିବ୍ୟାଙ୍ଗଙ୍କୁ ନେଇ ଏଭଳି ଏକ ମହୋତ୍ସବର ସଫଳ ଆୟୋଜନ କରିବାରେ ହେମନ୍ତ ରଥଙ୍କ ଉଦ୍ୟମକୁ ଭୂରି ଭୂରି ପ୍ରଶଂସା ମିଳିଥିଲା ।