ବେଙ୍ଗାଲୁରୁ: ଶତଚେଷ୍ଟା କରି ମଧ୍ୟ ବିଜେପି ସଂଖ୍ୟା ଯୋଗାଡ଼ କରିପାରିଲାନି । ଅମିତ୍ ଶାହା ତାଙ୍କ ଟିମ୍ କୁ କର୍ଣ୍ଣାଟକରେ ଡେରା ପକାଇଥିଲେ ମଧ୍ୟ କଂଗ୍ରେସ ଓ ଜେଡ଼ିଏସ୍ ରୁ ମୁଣ୍ଡ ଟାଣିପାରିଲେନି । ଆଉ ପରିଣାମ ହେଲା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦୁରପ୍ପା । ଆଜି ଅପରାହ୍ନ ୪ଟାରେ ୟେଦୁରପ୍ପା ବିଧାନସଭାରେ ଶକ୍ତି ପରୀକ୍ଷା ଦେବାର ଥିଲା । ମାତ୍ର ତାହା ପୂର୍ବରୁ ସେ ଆତ୍ମସମର୍ପଣ କରିଦେଲେ । ଗୃହରେ କୋଡ଼ିଏ ମିନିଟ୍ ଧରି ଭାବପ୍ରବଣଭରା ଭାଷଣ ଦେଲା ପରେ ସେ ନିଜର ଇସ୍ତଫା ଘୋଷଣା କରିଥିଲେ । ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ତାଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ବୋଲି ମାନିଯାଇଥିଲେ । ଗୃହରେ ଭାଷଣ ସାରି ସେ ସିଧାସଳଖ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।
ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୧୨ । ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ବିଜେପି ହାତରେ ୧୦୪ ଟି ଆସନ ଅଛି । କଂଗ୍ରେସ ହାତରେ ୭୮ ଏବଂ ଜେଡ଼ିଏସ୍ ପାଖରେ ୩୮ ସଂଖ୍ୟା ଅଛି । କଂଗ୍ରେସ ଓ ଜେଡ଼ିଏସ୍ ମେଣ୍ଟ ୧୧୭ ସଂଖ୍ୟା ଧରି ସରକାର ଗଠନ କରିବାକୁ ଦାବି କରିଥିଲେ ମଧ୍ୟ ରାଜ୍ୟପାଳ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ଏବଂ ଗତ ୧୭ ତାରିଖରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଏହାକୁ ଚାଲେଂଜ କରି କଂଗ୍ରେସ ଓ ଜେଡ଼ିଏସ୍ ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟ ୟେଦୁରପ୍ପାଙ୍କ ଶପଥକୁ ରୋକି ପାରି ନ ଥିଲେ । ତେବେ ରାଜ୍ୟପାଳ ତାଙ୍କୁ ଶକ୍ତି ପରୀକ୍ଷା ପାଇଁ ଦେଇଥିବା ୧୫ ଦିନର ସମୟସୀମାକୁ ସୁପ୍ରିମକୋର୍ଟ ୪୮ ଘଣ୍ଟାକୁ ଖସାଇ ଦେଇଥିଲେ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ୪ଟାରେ ୟେଦୁରପ୍ପା ବିଧାନସଭାରେ ଶକ୍ତି ପରୀକ୍ଷା ଦେଇଥାଆନ୍ତେ । ବିଜେପି ଶେଷ ପର୍ଯ୍ୟନ୍ତ ଶକ୍ତି ଯୋଗାଡ଼ ପାଇଁ ସମସ୍ତ ବଳ ଖଟାଇଥିଲା । ମାତ୍ର ତାହା ସଫଳ ହେଲାନି । ବିଧାନସଭା ଆରମ୍ଭ ହେବା କ୍ଷଣି ୟେଦୁରପ୍ପା ତାଙ୍କର ଆବେଗପୂର୍ଣ୍ଣ ଭାଷଣ ଆରମ୍ଭ କରି ଇସ୍ତଫା ଘୋଷଣାରେ ଶେଷ କରିଥିଲେ ।