ବେଙ୍ଗାଲୁରୁ: ୟେଦୁରପ୍ପା ଗାଦି ଛାଡ଼ିବାର ତିନି ଘଣ୍ଟା ପରେ ରାଜ୍ୟପାଳ ବଜୁଭାଇ ବାଲା କଂଗ୍ରେସ ଓ ଜେଡ଼ିଏସ୍ ମେଣ୍ଟ ନେତା ଏଚଡ଼ି କୁମାରସ୍ୱାମୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ଆସନ୍ତା ସୋମବାର ଦିନ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥଗ୍ରହଣ ଉତ୍ସବରେ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନ୍ୟ କିଛି ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ।
୭୮ ଆସନ ବିଶିଷ୍ଟ କଂଗ୍ରେସ ଓ ୩୮ ଆସନ ବିଶିଷ୍ଟ ଜେଡ଼ିଏସ୍ ମେଣ୍ଟ ସରକାରର ରୂପରେଖ ଆଜି ରାତିରେ ସ୍ଥିର ହେବ ବୋଲି କୁମାରସ୍ୱାମୀ କହିଛନ୍ତି । ତେବେ କଂଗ୍ରେସ ହାତରେ ଉପମୁଖ୍ୟମନ୍ତ୍ରୀ ପଦ ରହିବ ବୋଲି ସୂଚନା ମିଳିଛି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ରାଜ୍ୟ ଏକ ବଡ଼ ସାମ୍ବିଧାନିକ ସଙ୍କଟରୁ ବଞ୍ଚିଯାଇଛି ବୋଲି କୁମାରସ୍ୱାମୀ କହିବା ସହ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଗୁଲାମନବୀ ଆଜାଦ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେପଟେ ୟେଦୁରପ୍ପାଙ୍କ ଇସ୍ତଫା ଓ କଂଗ୍ରେସ-ଜେଡ଼ିଏସ୍ ମେଣ୍ଟର ସରକାର ଗଠନକୁ ନେଇ ବିଜେପି ମହଲରେ ନୈରାଶ୍ୟ ଖେଳିଯାଇଛି ।