ଭୁବନେଶ୍ୱର: ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରାପଡ଼ିଥିଲେ । କୋର୍ଟ ଏହି ମାମଲାର ବିଚାର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ । କୋର୍ଟ ରାୟ ଆସିବାର ୬ ମାସ ବିତିଗଲାଣି । ମାତ୍ର ସଂପୃକ୍ତ ଓଏଏସ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କୁ ଗେହ୍ଲା ପୁଅ କରି କୋଳରେ ବସାଇଛନ୍ତି । ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଧରି ଅୟସ କରୁଛନ୍ତି ଏହି ଲାଞ୍ଚୁଆ ଅଫିସର । ପ୍ରଶାସନର ବଡ଼ବଡ଼ିଆଙ୍କ ଗୁଡବୁକ୍ ରେ ଏହି ଅଫିସରଙ୍କ ନାଁ ଗଡୁଛି ।
ଏହି ଅଫିସର ଜଣଙ୍କ ହେଲେ ମନମୋହନ ମିଶ୍ର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଯୁଗ୍ମ ଶାସନ ସଚିବ ଭାବେ ସଚିବାଳୟରେ ଅବସ୍ଥାପିତ ଅଛନ୍ତି । ଖାଉ ଅଫିସର କହି ତାଙ୍କୁ ବିଭାଗର ତଳିଆ କର୍ମଚାରୀମାନେ ପଛରେ ଟାହିଟାପରା କରନ୍ତି । ଲାଞ୍ଚ ନେବା ଓ ଲାଞ୍ଚ ଦେଇ ଭଲ ପୋଷ୍ଟିଂ ନେବାରେ ମିଶ୍ରବାବୁ କୁଆଡ଼େ ବେଶ୍ ପାରଙ୍ଗମ । ତେବେ ସେ ଲାଞ୍ଚୁଆ ଅଫିସର ବୋଲି ଆମେ କହୁନୁ । ଭିଜିଲାନସ୍ କୋର୍ଟ ତାଙ୍କୁ ଏହି ସାର୍ଟିଫିକେଟ୍ ଧରାଇଛନ୍ତି । ଗତ ସେପ୍ଟେମ୍ବର ମାସରେ କୋର୍ଟ ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ବିରୋଧରେ ମାମଲାଟି ଏମିତି..
ମନମୋହନ ବାବୁ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବିଡ଼ିଓ ଥିବା ବେଳେ ଭିଜିଲାନସ ହାତରେ ଧରାପଡ଼ିଥିଲେ । ବିନୋଦ ବିହାରୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ୬୫ ହଜାର ଟଙ୍କାର ଚେକ୍ ରିଲିଜ୍ କରାଇବା ପାଇଁ ସେ ୨ ହଜାର ଟଙ୍କା ହାତଗୁଞ୍ଜା ନେଉଥିଲେ । ୧୬.୦୩.୨୦୦୬ ମସିହାର ଏହି ଘଟଣା । ୨ ହଜାର ଟଙ୍କା ନେଉଥିବା ବେଳେ କଟକ ଭିଜିଲାନସ୍ ଅଧିକାରୀମାନେ ବିଡ଼ିଓ ମନମୋହନଙ୍କୁ କାବୁ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଘର, ବ୍ଲକ୍ ଅଫିସ ତଲାସି କରିଥିଲେ ଭିଜିଲାନସ୍ ଅଧିକାରୀ । ମନମୋହନଙ୍କ ବିରୋଧରେ ଭିଜିଲାନସ୍ ମାମଲା(ଭିଜିଆର କେସ୍ ନଂ ୦୭) ରୁଜୁ ହୋଇଥିଲା । ଦୀର୍ଘ ୧୨ ବର୍ଷ ଧରି ମାମଲାର ବିଚାର ହେବା ପରେ ଗତ ୨୮.୦୯.୨୦୧୮ ରେ ଆଡ଼ିସିନାଲ୍ ସେସନସ୍ ଜଜ୍-କମ୍- ସ୍ପେଶାଲ୍ ଜଜ୍(ଭିଜିଲାନସ୍), ଢ଼େଙ୍କାନାଳ ଏହି ମାମଲାର ରାୟ ଶୁଣାଇଛନ୍ତି । ପ୍ରିଭେନସନ୍ ଅଫ କରପ୍ସନ୍ ଆକ୍ଟ,୧୯୮୮ ଧାରା ୭ ଏବଂ ଧାରା ୧୩୨(୨)ରେ ଅଭିଯୁକ୍ତ ମନମୋହନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ସରକାରୀ ନିୟମ ଅନୁଯାୟୀ, ଜଣେ ସରକାରୀ କର୍ମଚାରୀ/ ଅଧିକାରୀ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତୁରନ୍ତ ଚାକିରିରୁ ବହିଷ୍କାର ହେବା କଥା । ଏ ନେଇ ସୁପ୍ରିମକୋର୍ଟଙ୍କ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି । ମାତ୍ର ଆଶ୍ଚର୍ଯ୍ୟର କଥା, ମନମୋହନଙ୍କ କ୍ଷେତ୍ରରେ ସରକାରୀ କାର୍ଯ୍ୟାନୁଷ୍ଠାନ ଏ ଯାଏଁ ହେଲାନାହିଁ । ୬ ମାସ ବିତିଯାଇଥିଲେ ମଧ୍ୟ ରାଜସ୍ୱ ବିଭାଗ ଭଳି ଦୁଧିଆଳ ବିଭାଗର ଯୁଗ୍ମ ସଚିବ ଚଉକିରୁ ସେ ହଲିନାହାନ୍ତି । ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେବା ପାଇଁ କିଛି ରାଜ୍ୟ ସରକାର ସବୁ ଆଇନକାନୁନକୁ ଆଖି ବୁଜି ଦେଇଛନ୍ତି । ନିର୍ଦ୍ଦିଷ୍ଟ ଭାବେ ସାଧାରଣ ପ୍ରଶାସନ ବିଭାଗର ଜଣେ ପଦସ୍ଥ ଅଫିସର ଏହି ଲାଞ୍ଚୁଆ ଅଫିସରଙ୍କୁ ସୁରକ୍ଷା ଦେବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ରାଜସ୍ୱ ବିଭାଗରେ ଚର୍ଚ୍ଚା ହେଉଛି ।
ଏଠାରେ ଆମେ ଆଉ ଜଣେ ଅଫିସରଙ୍କ କଥା ଉଲ୍ଲେଖ କରୁଛୁ । ନଗର ଉନ୍ନୟନ ବିଭାଗକୁ ଡେପୁଟେସନ୍ ରେ ଯାଇ ଗୃହ ବିଭାଗର ମୂଳ କର୍ମଚାରୀ ପଦ୍ମନାଭ ନାୟକ ତିନିବର୍ଷ ତଳେ ଢ଼େଙ୍କାନାଳ ମ୍ୟୁନିସିପାଲିଟିର ଏକଜ୍ୟୁଟିଭ୍ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ଅଫିସ କାଗଜପତ୍ରରେ ହେରଫେର ଓ ଅନିୟମତା କରିବା ଅଭିଯୋଗରେ ଢ଼େଙ୍କାନାଳ ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲେ । ନିୟମ ଅନୁଯାୟୀ ଏହି ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ହାତ ଯାଇନି । ଦଣ୍ଡ ବଦଳରେ ଆର୍ଶିବାଦ ଢ଼ାଳି ତାଙ୍କୁ ଭୁବନେଶ୍ୱରରେ ରଖାଯାଇଛି । ଫୁଡ଼ କମିଶନ ଅଫିସରେ ଏବେ ସେ କାର୍ଯ୍ୟରତ ।
ରାଜ୍ୟରେ କିଭଳି ଶାସନ ଚାଲିଛି ଏହି ଦୁଇଟି ଘଟଣା ତାହାର ନମୁନା ବୋଲି ଖୋଦ୍ ସଚିବାଳୟ କର୍ମଚାରୀମହଲରେ ଆଲୋଚନା ହେଉଛି ।