ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ସ୍ଥାନକୁ ଖସିଥିବା କଂଗ୍ରେସ ଏଥର ଶାସନ କ୍ଷମତାକୁ ଫେରିବା ଆଶା ବାନ୍ଧିଛି । ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଆଜି ବେଶ୍ ଦମ୍ଭର ସହ ଏକଥା କହିଛନ୍ତି । ମଝିରେ ମଝିରେ ଆଗରୁ ଏଭଳି କୁନ୍ଥେଇ କହୁଥିଲେ ହେଲେ ଏଥର କୁନ୍ଥାଇ ନାହାନ୍ତି । ଆସନ୍ତା ନିର୍ବାଚନରେ ତାଙ୍କ ଦଳ ବିଜୟ ଲାଭ କରି କ୍ଷମତାକୁ ଫେରିବା ସୁନିଶ୍ଚିତ ବୋଲି ଦମ୍ଭ ଦେଖାଇଛନ୍ତି । ବିଜେପିର ୧୨୦ ପ୍ଲସ୍ ସଂଖ୍ୟା ଭଳି ନିରଞ୍ଜନ କିନ୍ତୁ କେତେ ସିଟ୍ କଂଗ୍ରେସ ପାଇବ ସେହି ଆକଳନ ଖୋଲିନାହାନ୍ତି ।
ରାଜ୍ୟରେ କଂଗ୍ରେସ ଏବେ ଚଳଚଞ୍ଚଳ ହୋଇଛି । ନିରଞ୍ଜନ ପଟ୍ଟନାୟକ ନେତୃତ୍ୱ ନେବା ପରେ ବେଗ ଯେତିକି ବଢ଼ିଥିଲା ଏବେ ରାହୁଲ ଗାନ୍ଧୀ ଦୁଇ ଦୁଇ ଥର ଓଡ଼ିଶାକୁ ଆସି ଭାଷଣ ଦେଲା ପରେ କଂଗ୍ରେସର ବେଗ ଦ୍ୱିଗୁଣିତ ହୋଇଛି । ଆଗକୁ ପୁଣି ରାହୁଲ ଓଡ଼ିଶା ଆସିବେ । ପ୍ରିୟଙ୍କା ବି ଆସିବେ । ଏଥିରେ ଖାଲି ନିରଞ୍ଜନ ନୁହଁନ୍ତି, କଂଗ୍ରେସ ମାର୍କା ସବୁ ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି । ଶେଷ ମୁହୁର୍ତ୍ତରେ ଓଡ଼ିଶାର ରାଜନୀତି ପାଣିପାଗ କଂଗ୍ରେସ ସପକ୍ଷରେ ବଦଳିବ ବୋଲି ସେମାନଙ୍କ ବିଶ୍ୱାସ ।
ଇତିମଧ୍ୟରେ ଦଳୀୟ ଟିକେଟକୁ ନେଇ ଜୋରଦାର କସରତ୍ ଚାଲିଛି । ସ୍କ୍ରିନିଂ କମିଟି ପ୍ରାର୍ଥୀ ବାଛିବା କାମରେ ଲାଗିଛନ୍ତି । ସମାନ୍ତରାଳ ଭାବେ ଅନ୍ୟ ଛୋଟ ଛୋଟ ଦଳଗୁଡ଼ିକୁ ନିଜ ପଟରେ ରଖିବାକୁ କଂଗ୍ରେସ ନେତାମାନେ କଥାବାର୍ତ୍ତା ଚଳାଇଛନ୍ତି । ବାମପନ୍ଥୀ ଓ ଜେଏମଏମ ଦଳ ସହ ମେଣ୍ଟ କରିବାକୁ କଥା ସରିଲାଣି ।
ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ସରକାର ଗଢ଼ିବା ପରେ ରାଜ୍ୟ କଂଗ୍ରେସକୁ ଏହା ଅଧିକ ବଳ ଦେଇଛି । ପଡ଼ୋଶୀ ଛତିଶଗଡ଼ ଢ଼ାଞ୍ଚାରେ ଓଡ଼ିଶାରେ ଜନଇସ୍ତାହାର କରି ଜନମତକୁ କିଭଳି ପ୍ରଭାବିତ କରାଯାଇପାରିବ, ତାହାର କସରତ୍ ଆରମ୍ଭ ହୋଇଛି । ଆଜି ଦିନ ତମାମ କଂଗ୍ରେସ ଭବନରେ ଅଙ୍କ କଷିଛନ୍ତି ଦଳୀୟ ନେତା । ଛତିଶଗଡ଼ର ତିନିଜଣିଆ ପ୍ରତିନିଧି ଦଳ ସହ ଇସ୍ତାହାର କମିଟି ବିଚାରବିମର୍ଷ କରିଛନ୍ତି । ଚାଷୀଙ୍କୁ ଋଣଛାଡ଼, ଏମଏସପି ବୃଦ୍ଧି, ବେକାରୀଙ୍କୁ ସର୍ବନିମ୍ନ ଆୟ ସହ ସବୁ ବର୍ଗଙ୍କୁ ଛୁଇଁଲା ଭଳି ଇସ୍ତାହାର ପ୍ରସ୍ତୁତ କରିବାକୁ ଫୋକସ୍ ଦିଆଯାଇଛି ।
ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସର ଏହିସବୁ ଯୋଜନା ବାଦ୍ ଗହନ ଉଧାର ଯୋଜନାଟେ ରହିଛି । ମାନେ ବିଜେପି ଯୋଜନାକୁ ହଡ଼ପ କରିବାକୁ ବସିଛନ୍ତି କଂଗ୍ରେସ ନେତୃତ୍ୱ । ଯୋଜନାଟି ହେଉଛି, ବିଜେଡ଼ି ଅସନ୍ତୁଷ୍ଟଙ୍କୁ ମନାଇ ଦଳ ନିଜ ପକ୍ଷକୁ ଆଣିବା । ବିଜେପି ଏହି ଯୋଜନା ବହୁ ପୂର୍ବରୁ ସାରିସାରିଛି । ଏବେ ନିଜର ପାଗ ଅନୁକୂଳ ଦେଖି ଜିତେନ୍ଦ୍ର ସିଂ ଓ ଟିମ୍ ନିରଞ୍ଜନ ବିଜେପି ଯୋଜନାକୁ ହାଇଜାକ୍ କରିବା ଚକ୍କରରେ ଅଛନ୍ତି । ବିରୋଧୀ ଦଳରେ ଥିବା ସମ୍ପର୍କୀୟଙ୍କ ଉପରେ ମଧ୍ୟ ନିରଞ୍ଜନ ଭରସା ରଖିଛନ୍ତି । ସବୁଆଡୁ ମିଶାଣ ଫେଡ଼ାଣ କରି ନିରଞ୍ଜନ କ୍ଷମତା ଅଙ୍କ କଷିଛନ୍ତି ।