ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରେ ନିଯୁକ୍ତି ସହ କ୍ୟାବିନେଟ୍ ପାହ୍ୟାର ମର୍ଯ୍ୟାଦା ଦେଇଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏହି ନିର୍ଦ୍ଦେଶାନାମା ପ୍ରକାଶ ପାଇଛି । ପୂର୍ବରୁ ରଘୁନାଥ ମହାନ୍ତିଙ୍କୁ ଦଳର ଉପସଭାପତି ପଦ ସହ ଢ଼େଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଥିଲା । ଆଜିର ଏହି ନିଯୁକ୍ତିନାମା ସହ ରଘୁନାଥଙ୍କୁ ପୁଣି ଦଳରେ ଶକ୍ତିଶାଳୀ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏକଦା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଖୁବ୍ ବିଶ୍ୱସ୍ତ ଥିଲେ ଏହି ୫ ଥରର ବିଧାୟକ ରଘୁନାଥ ମହାନ୍ତି । ଶିଳ୍ପ, ଖଣି ଓ ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ମାତ୍ର ୨୦୧୩ ମାର୍ଚ୍ଚ ମାସରେ ତାଙ୍କ ଜୀବନ ଆକାଶରେ ଆସିଥିଲା କଳାବାଦଲ । ବୋହୁ ବର୍ଷାସୋନୀ ଚୌଧୁରୀ ତାଙ୍କ ଓ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବାରୁ ସେ ଫସିଯାଇଥିଲେ । ଏହି ମାମଲାରେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ । ମନ୍ତ୍ରୀ ପଦ ଯିବା ସହ ୨୦୧୪ ନିର୍ବାଚନରେ ତାଙ୍କୁ ବିଜେଡ଼ି ଟିକେଟ ବି ମିଳିଲାନି । ଦୀର୍ଘ ୩ ବର୍ଷ ପରେ ପାରିବାରିକ ମାମଲା ସମାଧାନ ହୋଇଥିଲେ ମଧ୍ୟ ରଘୁ ଦଳରେ ଅଲୋଡ଼ା ହୋଇଯାଇଥିଲେ । ଗତବର୍ଷ ଜୁନ୍ ମାସରେ ହଠାତ୍ ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ରଘୁଙ୍କର ପୁର୍ନଜନ୍ମ ହେଲା ବୋଲି ସମସ୍ତେ ଧରିନେଇଥିଲେ । ହେଲେ ତାପରେ କିଛି ଘଟିଲାନି । ଦଳରେ ସେମିତି ଅଲୋଡ଼ା ହୋଇ ରହିଗଲେ ।
ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଗତ ମାର୍ଚ୍ଚ ୧୬ ତାରିଖରେ ରଘୁଙ୍କୁ ଦଳର ମୁଖ୍ୟସ୍ରୋତକୁ ଫେରାଇ ଆଣିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କୁ ଦଳର ଉପସଭାପତି ଦାୟିତ୍ୱ ଦେବା ସହ ଢ଼େଙ୍କାନାଳ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲେ । ଆଉ ଆଜି ତାଙ୍କୁ କ୍ୟାବିନେଟ୍ ମର୍ଯ୍ୟାଦା ସହ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଆସ୍ଥା ଫେରାଇଛନ୍ତି ।