ଭୁବନେଶ୍ୱର: ମିଳିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି । ଅର୍ଜିନାଲ୍ ନୁହଁ ଡୁପ୍ଲିକେଟ୍ ଚାବି । ଜିଲ୍ଲା ରେକର୍ଡ ରୁମ୍ ଲକରରେ ଏକ ଜଉମୁଦା ଲଫାପାରୁ ଏହି ଡୁପ୍ଲିକେଟ୍ ଚାବିର ସନ୍ଧାନ ମିଳିଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ, ରେକର୍ଡ ରୁମ୍ ଲକରରେ ଏକ ଜଉମୁଦା ଲଫାପା ଥିଲା । ଯାହାର ଉପରେ ଲେଖାଥିଲା ‘ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି’ । ଚାବି ଖୋଜିବାକୁ ଦୁଇଟି ଟିମ୍ ଗଠନ ହୋଇଥିଲା । ଗତ ୫ ଦିନ ଧରି ଦୁଇଟି ଟିମ୍ ଚାବି ଖୋଜୁଥିଲେ । ଖୋଜୁ ଖୋଜୁ କିଛି ଚାବି ଥିବା ଲଫାପାକୁ ଆଜି ପାଇଲେ ।
ତେବେ ରତ୍ନଭଣ୍ଡାର ଚାବି ମିଳିଥିବା ଜିଲ୍ଲାପାଳ ଦାବି କରିବା ପରେ ରହସ୍ୟ ଆହୁରି ଘନୀଭୂତ ହୋଇଛି । ରାଜ୍ୟ ସରକାରଙ୍କ ରେକର୍ଡ ମାନୁଆଲ୍ ଅନୁଯାୟୀ, ରେକର୍ଡ ରୁମ୍ ଲକରରେ କେବଳ ରେକର୍ଡ ରହିବା କଥା । ସେଠି ଚାବି ରହିବାର ବ୍ୟବସ୍ଥା ନାହିଁ । ଜିଲ୍ଲା ଟ୍ରେଜେରୀରେ ରତ୍ନଭଣ୍ଡାର ଚାବି ରହିବା କଥା । ତେଣୁ ରେକର୍ଡ ରୁମ୍ ଲକରକୁ ରତ୍ନଭଣ୍ଡାର ଚାବି ଆସିଲା କେମିତି ?
ରତ୍ନଭଣ୍ଡାରର ଡୁପ୍ଲିକେଟ୍(ନକଲି) ଚାବି କଥା କେହି ଶୁଣିନାହାନ୍ତି କି ଜଗନ୍ନାଥ ମନ୍ଦିର ଆଇନରେ ସେଭଳି ବ୍ୟବସ୍ଥା ନାହିଁ । ରତ୍ନଭଣ୍ଡାରର ଚାବି ଗୋଟିଏ । ସେଠି ଅର୍ଜିନାଲ୍ କି ଡୁପ୍ଲିକେଟ୍ ର ପ୍ରଶ୍ନ ଉଠୁନି । ସୁତରାଂ ଡୁପ୍ଲିକେଟ୍ ଚାବି କନସେପ୍ଟ ଆସିଲା କେଉଁଠୁ ବୋଲି ପ୍ରଶ୍ନ ଉଠିଛି ।
ଜିଲ୍ଲାପାଳ କହୁଛନ୍ତି ରେକର୍ଡ ରୁମ୍ ଲକରରୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିଛି । ମାତ୍ର ଏହି ଚାବିଟି ରତ୍ନଭଣ୍ଡାରର ବୋଲି ସେ ନିଶ୍ଚିତ ହୋଇଗଲେ କେମିତି ? ଜିଲ୍ଲାପାଳ ସେଭଳି ଚାବିକୁ ଆଗରୁ ଦେଖି ନ ଥିଲେ କି ଜାଣି ନ ଥିଲେ । ଏକ ଲଫାପା ଭିତରୁ ସନ୍ଧାନ ହୋଇଥିବା ଚାବିଟି ରତ୍ନଭଣ୍ଡାରର ବୋଲି ସେ ଆଖିବୁଜି ଦାବି କରୁଛନ୍ତି କେମିତି ?
ପୁରୀ ଦଇତାପତି ନିଯୋଗର ସହ ସମ୍ପାଦକ ବିନାୟକ ଦାସମହାପାତ୍ର ଜିଲ୍ଲାପାଳଙ୍କ ଦାବିକୁ ବିଶ୍ୱାସ କରିନାହାନ୍ତି । ଚାବି ତ ଚାବି, ଡୁପ୍ଲିକେଟ୍ ଚାବି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ଓ ବିଜେପି ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଜିଲ୍ଲାପାଳ ବିଭ୍ରାନ୍ତ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।