ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ ଦିନ ଦଳର ଟିକେଟ ଫର୍ମୂଲା କହିଥିଲେ ନିରଞ୍ଜନ ପଟ୍ଟନାୟକ । ଆଜି ତାହାକୁ ଦୋହରାଇଛନ୍ତି । କହିଛନ୍ତି, ଭୁବନେଶ୍ୱରରେ ଡେରା ପକାଉଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିବନି । ଯିଏ ଗାଁ ଲୋକଙ୍କ ସାଥୀରେ ଥିବେ ସେ ହେବେ ପ୍ରାର୍ଥୀ । ୩/୪ ମାସ ଭିତରେ ଜଣାପଡ଼ିଯିବ କିଏ ଲୋକଙ୍କ ସାଥୀରେ ଅଛନ୍ତି । ଆଜି ଦକ୍ଷିଣାଞ୍ଚଳର ୧୧ ଟି ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ବୈଠକ ପରେ ଏହା କହିଛନ୍ତି ନିରଞ୍ଜନ । ପୂର୍ବରୁ ୱାନ୍ ମ୍ୟାନ୍, ୱାନ୍ ପୋଷ୍ଟ ନୀତି ଦଳୀୟ ନେତାଙ୍କ ପାଇଁ ଲାଗୁ ହେବନି ବୋଲି ସେ ସ୍ପଷ୍ଟ କରିଥିଲେ । ଯିଏ ଲୋକଙ୍କ ସାଥୀରେ ଥିବେ ଏବଂ ବିଜୟ ସମ୍ଭାବନା ଥିବ ସେ ହିଁ ପ୍ରାର୍ଥୀ ହେବେ ବୋଲି ଜଣାଇଥିଲେ ।
ଆଜି ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ୨୦୧୯ ପାଇଁ କଂଗ୍ରେସର ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । ରୋଡମ୍ୟାପ୍ ଅନୁଯାୟୀ ପ୍ରତି ଜିଲ୍ଲା ପରିଷଦ ଜୋନ୍ କୁ ଏକ ବ୍ଲକ୍ ଭାବେ ବିବେଚନା କରାଯିବ । ଜୁନ୍ ଶେଷ ସୁଦ୍ଧା ଜିଲ୍ଲା ପରିଷଦ ଜୋନ୍ ରେ ସଭାପତି ନିର୍ବାଚନ ହେବ । ଜୁଲାଇ ୧୦ ସୁଦ୍ଧା ବୁଥ୍ କମିଟି ଗଠନ ହେବ । ଜିଲ୍ଲା ସଭାପତିମାନେ ୧୫ ଦିନ ମଧ୍ୟରେ ପ୍ରୋଗ୍ରେସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଦାୟିତ୍ୱରେ ଥିବା ଦକ୍ଷିଣାଞ୍ଚଳର ୧୧ ଜିଲ୍ଲା ସଭାପତିଙ୍କ ସହ ପିସିସି ସଭାପତି ଓ ତାଙ୍କ ଟିମ୍ ଆଲୋଚନା କରିଥିଲେ । ବୈଠକ ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ପ୍ରଦୀପ ମାଝୀ କିଛି ଜିଲ୍ଲାରେ ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ଥିବା କଥାକୁ ସ୍ୱୀକାର କରିଛନ୍ତି । ତିନି ଚାରିଟି ଜିଲ୍ଲାରେ ଅସନ୍ତୋଷ ଥିବା ସେ ମାନିଯାଇଛନ୍ତି । ତେବେ ଖୁବ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, କଟକ, ପୁରୀ, ଭଦ୍ରକ, କୋରାପୁଟ ଭଳି କିଛି ଜିଲ୍ଲାରେ ନବନିଯୁକ୍ତ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ମଧ୍ୟରେ ତାଳମେଳ ନ ଥିବାରୁ ଗୋଷ୍ଠକନ୍ଦଳ ସୃଷ୍ଟି ହୋଇଛି । ବିଶେଷକରି କୋରାପୁଟରେ ଏହା ଉତ୍କଟ ରୂପ ନେଇଛି । ତେବେ କୋରାପୁଟ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ବୋଲି ଶ୍ରୀ ମାଝୀ କହିଛନ୍ତି ।