ଭୁବନେଶ୍ୱର: ଏଣିକି ମାଗଣାରେ ମିଳିବ ସରକାରୀ ସ୍ୱାସ୍ଥ୍ୟ ସେବା । ଉପ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଜିଲ୍ଲା ହସ୍ପିଟାଲ୍ ପର୍ଯ୍ୟନ୍ତ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ । ଏହି ଯୋଜନାରେ ବାର୍ଷିକ ୪.୮୪ କୋଟି ରୋଗୀ ଉପକୃତ ହେବେ । ଏଥିସହ ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଯୋଗାଇ ଦିଆଯିବ । ୭୦ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଏଥିରେ ଉପକୃତ ହେବେ । ପ୍ରସୂତୀ, ନବଜାତ ଓ ଅସୁସ୍ଥ ଶିଶୁ ସରକାରୀ ଡାକ୍ତରଖାନା ଆସିଲେ ସେମାନଙ୍କୁ ଯାତାୟତ ଖର୍ଚ୍ଚ ବାବଦକୁ ୫୦୦ ଟଙ୍କା ମିଳିବ । ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏହି ତିନିଟି ଯାକ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରଗୁଡ଼ିକ ପାଇଁ ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ଚିକିତ୍ସା ସେବା ନିମନ୍ତେ ବର୍ଷକୁ ୫ ଲକ୍ଷ ଟଙ୍କାର ସୁବିଧା ମିଳିପାରିବ । ଏହାର ସମ୍ପୂର୍ଣ୍ଣ ବ୍ୟୟ ରାଜ୍ୟ ସରକାର ବହନ କରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସେହିଭଳି ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ଡାକ୍ତରଖାନାଗୁଡ଼ିକରେ ୟୁଜର୍ସ ଫି ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ଏହାଦ୍ୱାରା ଓଡ଼ିଶାର ସବୁ ଲୋକ ସବୁପ୍ରକାର ସ୍ୱାସ୍ଥ୍ୟସେବା ମାଗଣାରେ ପାଇପାରିବେ ।
ରାଜ୍ୟରେ ଉପଲବ୍ଧ ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ, ଗୁଣାତ୍ମକ, ସୁଦୃଢ଼ ଓ ଅଧିକ ପ୍ରଭାବୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଉପରୋକ୍ତ ତିନିଗୋଟି ନୂତନ କାର୍ଯ୍ୟକ୍ରମ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଗଠନ ମିଶନକୁ ସଫଳ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।