ଭୁବନେଶ୍ୱର: ଲୋକସଭା ସଦସ୍ୟ ପଦ ଛାଡ଼ିଲେ ବୈଜୟନ୍ତ ପଣ୍ଡା । ବାଚସ୍ପତିଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଥିବା ଟୁଇଟ୍ କରି ଜଣାଇଛନ୍ତି । ଗତ ମାସ ୨୮ ତାରିଖରେ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖି ନିଜର ଇସ୍ତଫା ଜଣାଇଥିଲେ । ବାପାଙ୍କ ଶୁଦ୍ଧିକ୍ରିୟା ପରେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି ସେହି ଚିଠିରେ ଉଲ୍ଲେଖ କରିଥିଲେ । ତେବେ ଶୁଦ୍ଧିକ୍ରିୟା ସରିବାର ୧୦ ଦିନ ପରେ ଆଜି ସେ ଲୋକସଭାରୁ ଇସ୍ତଫା ଦେଇଛନ୍ତି ।
ନିଜ ଟୁଇଟ୍ ରେ ବୈଜୟନ୍ତ ଲେଖିଛନ୍ତି ବାପାଙ୍କ ଶୁଦ୍ଧିକ୍ରିୟା ପରେ ସେ ବାଚସ୍ପତିଙ୍କୁ ଭେଟି ଇସ୍ତଫାପତ୍ର ଦେବାକୁ ଚାହିଁଥିଲେ । ମାତ୍ର ବାଚସ୍ପତି ବିଦେଶରେ ଥିବାରୁ ସେ ଭେଟିବା ସମ୍ଭବ ହୋଇନାହିଁ । ତେଣୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି ।
ବ୍ୟବସାୟରୁ ରାଜନୀତିକୁ ଆସିଥିବା ବୈଜୟନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ରାଜ୍ୟସଭାକୁ ପଠାଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ତାଙ୍କୁ କେନ୍ଦ୍ରାପଡ଼ା ଆସନରୁ ଟିକେଟ ଦେଇଥିଲେ । ୨୦୧୪ ମସିହାରେ ପୁନଶ୍ଚ ସେହି କେନ୍ଦ୍ରାପଡ଼ା ଆସନରୁ ବିଜେଡ଼ି ଟିକେଟ ପାଇ ନିର୍ବାଚିତ ହୋଇଥିଲେ ବୈଜୟନ୍ତ । ତେବେ ୨୦୧୪ ନିର୍ବାଚନ ଜିତିବା ପରଠାରୁ ବୈଜୟନ୍ତ ବିଜେଡ଼ି ଉପରେ ବିତୃଷ୍ଣା ହୋଇଥିଲେ । ଦଳର କାର୍ଯ୍ୟକଳାପ ତାଙ୍କୁ ଭଲ ଲାଗି ନ ଥିଲା । ଲୋକସଭାରେ ଫାଇନାନସ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ହାତେଇବାକୁ ଉଦ୍ୟମ କରି ବୈଜୟନ୍ତ ବିଫଳ ହୋଇଥିବାରୁ ବିଜେଡ଼ି ଉପରେ ତାଙ୍କର ରାଗ ବଢ଼ିଥିବା ଦଳ ପକ୍ଷରୁ କୁହାଯାଇଥିଲା । ବୈଜୟନ୍ତଙ୍କ ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତ ଜାନୁଆରୀ ୨୪ ତାରିଖରେ ବିଜେଡି ସଭାପତି ତାଙ୍କୁ ନିଲମ୍ବିତ କରିଥିଲେ । ୪ ମାସ ପରେ ଗତ ୨୮ ତାରିଖରେ ବୈଜୟନ୍ତ ବିଜେଡ଼ିରୁ ଇସ୍ତଫା ଦେଇଥିଲେ ।