ପୁରୀ: ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବରେ ହୋଇଥିଲେ ମଧ୍ୟ ବିଧି ମତେ କାର୍ଯ୍ୟ ସମ୍ପନ୍ନ ହେଉଛି । ଶନିବାର ରଥଖଳାରେ ଚକାଡେରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଧି ଅନୁଯାୟୀ ଶୀତଳଷଷ୍ଠୀ ପର ପଞ୍ଚ ମହାଦେବଙ୍କ ଗୋଆଲୀ ପରଦିନ ଚକାଡେରା କାର୍ଯ୍ୟକ୍ରମ ହୋଇଥାଏ ।
ଶୁକ୍ରବାର ଦିନ ରଥଖଳାରେ ତିନି ରଥର ଗୟଳ ପ୍ରସ୍ତୁତି କାର୍ଯ୍ୟ ଜୋରସୋର ଚାଲିଥିଲା । ତିନି ରଥର ବଡ଼ ପୋହ ଗୟଳ କରତି ସେବକଙ୍କ ଦ୍ୱାରା ଚିରଟ୍ ହୋଇ ଚଉପଟ ପାଇଁ ରଥଖଳାକୁ ଅଣାଯାଇଛି । ତିନି ରଥର ମଝିଲା ଏବଂ ସାନ ପୋଲ ଗୟଳ ଏବଂ ଛନ୍ଦା ଗୟଳ କାଠ ଭୋଇ ସେବକମାନେ ରଥଖଳାରେ ମହାରଣା ସେବକମାନଙ୍କୁ ଯୋଗାଇ ଦେଇଛନ୍ତି । ସେଗୁଡ଼ିକୁ ବାରିସି ଦ୍ୱାରା ସାଇଜ୍ କରାଯାଇ ଚଉପଟ କାର୍ଯ୍ୟ ହେଉଛି । ସେହିଭଳି ରୂପକାର ସେବକମାନଙ୍କ ଦ୍ୱାରା ନାଟଗୋଡ଼ରେ ରାହୁମୂର୍ତ୍ତି ଖୋଦେଇ କାର୍ଯ୍ୟ ଜାରି ରହିଛି ।
ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସଂପୃକ୍ତ ସେବକମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାପଡ଼ିଛି । ସେହିଭଳି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୭୦ ଜଣ ଗରାବଡୁ ସେବକଙ୍କର କୋଭିଡ ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ କରାଯାଇଛି ।
ସେପଟେ ବଡ଼ଦାଣ୍ଡସ୍ଥିତ ନୀଳାଦ୍ର୍ରି ଭକ୍ତ ନିବାସ ସଭାକକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ‘ସୁଆର ମହାସୁଆର’ ସେବକମାନଙ୍କ ନିମନ୍ତେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।