ପୁରୀ: ଏବର୍ଷ ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମ୍ କୋର୍ଟ ଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିପାରିନାହାନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ । କୋଭିଡ୍ ନିୟମ ପାଳନ ସହ ବିନା ଭକ୍ତରେ ବଡ଼ଦାଣ୍ଡରେ ରଥ ଟଣାଯାଇପାରିବ ବୋଲି ସମସ୍ତଙ୍କର ସମ୍ମତି ରହିଛି । ଶୁକ୍ରବାର ଛତିଶା ନିଯୋଗ ପକ୍ଷରୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶର ସାନି ବିଚାର ପାଇଁ ଦୁଇଟି ପିଟିସନ୍ ପଡ଼ିଛି । ସେହିଭଳି ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶର ପୁନର୍ବିଚାର ପାଇଁ ରାଜ୍ୟ ସରକାର ସାନି ଆବେଦନ କରନ୍ତୁ ବୋଲି ଛତିଶା ନିଯୋଗ ଏବଂ ପରିଚାଳନା କମିଟି ମଧ୍ୟରେ ହୋଇଥିବା ବୈଠକରେ ସର୍ବସମ୍ମତ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାର ଏହାକୁ ଗ୍ରହଣ କଲେ ଆସନ୍ତା ସୋମବାର ଦିନ ରଥଯାତ୍ରା ନିଷ୍ପତ୍ତି ସ୍ପଷ୍ଟ ହୋଇଯିବ ।
ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ମଧ୍ୟରେ ଶୁକ୍ରବାର ସଂଧ୍ୟାରେ ବୈଠକ ହୋଇଥିଲା । ରଥଯାତ୍ରା ବନ୍ଦ ନେଇ ସୁପ୍ରିମ୍ କୋର୍ଟ ଙ୍କ ନିର୍ଦ୍ଦେଶ ଉପରେ ଦୀର୍ଘ ସାଢ଼େ ତିନି ଘଣ୍ଟା ଧରି ଆଲୋଚନା ହୋଇଥିଲା । କୋଭିଡ୍ ନିୟମ ଭିତରେ ବିନା ଭକ୍ତରେ ରଥଯାତ୍ରା କରାଯିବାରେ କୌଣସି ଅସୁବିଧା ନାହିଁ । ଏଣୁ ଏହାକୁ ବନ୍ଦ କରାଯିବା ଉଚିତ୍ ନୁହେଁ ବୋଲି ସମସ୍ତେ ଏକମତ ହୋଇଥିବା ପରିଚାଳନା କମିଟି ସଭାପତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି ।
ଗଜପତି ଶ୍ରୀ ଦେବ ଗଣମାଧ୍ୟମକୁ କହିଛନ୍ତି ଯେ ରଥଯାତ୍ରା ସମ୍ପନ୍ନ ପାଇଁ ପୂର୍ବରୁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇ ସରକାରଙ୍କୁ ଅବଗତ କରାଯାଇଥିଲା । ରଥଯାତ୍ରାରେ ୧୦ରୁ ୧୨ ଲକ୍ଷ ଭକ୍ତ ସମାଗମ ହେବ ଏକଥା ସରକାରଙ୍କୁ କୁହାଯାଇ ନ ଥିଲା । ବରଂ ବିନା ଭକ୍ତରେ ଏହାକୁ ଶୃଙ୍ଖଳାର ସହ କରାଯାଇପାରିବ ବୋଲି ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ନାମୀ ଓକିଲ ହରିଶ୍ ସାଲଭେ ରଥଯାତ୍ରାରେ ୧୦ ରୁ ୧୨ ଲକ୍ଷ ଜନସମାଗମ ହେବ ବୋଲି କହିଲେ । ସୁତରାଂ ରାଜ୍ୟ ସରକାର ଆମ ପ୍ରସ୍ତାବକୁ ସ୍ୱୀକାର କରିନାହାନ୍ତି ଏହା ସ୍ପଷ୍ଟ ।
ଗଜପତି ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ଦାୟିତ୍ୱ ଥିଲା ରଥଯାତ୍ରା ପାଇଁ ସୁପ୍ରିମ୍ କୋର୍ଟ ଙ୍କୁ ମନାଇବା । କରୋନା ରଥଯାତ୍ରାରେ କୌଣସି ଅସୁବିଧା ସୃଷ୍ଟି କରିପାରିବ ନାହିଁ ବୋଲି କହିପାରିଥାଆନ୍ତେ । ମାତ୍ର ସରକାର ତାହା କରିନାହାନ୍ତି । ପରିଚାଳନା କମିଟି ପକ୍ଷରୁ ସୁପ୍ରିମ୍ କୋର୍ଟରେ ଓକିଲ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଯୁକ୍ତି ବିରୋଧରେ ଯିବା ସମ୍ଭବ ନ ଥିଲା । କାରଣ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳନା କମିଟି ରହିଛି ।
ତେବେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମ୍ କୋର୍ଟ ରେ ପୁଣି ଆବେଦନ କରାଯାଇଛି ଏବଂ ସାନି ଆବେଦନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବାରୁ ସମସ୍ତଙ୍କର ଆଶା ରହୁଛି ଯେ ମହାପ୍ରଭୁଙ୍କ କୃପାରୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶର ପରିବର୍ତ୍ତନ ହୋଇପାରେ । ଏହା କହିଛନ୍ତି ଗଜପତି ମହାରାଜା ।
ଜୁନ୍ ୨୩ ତାରିଖରେ ରଥଯାତ୍ରା ପଡୁଥିବାରୁ ହାତରେ ସମୟ ନାହିଁ । ପରିଚାଳନା କମିଟି ଏବଂ ଛତିଶା ନିଯୋଗ ପକ୍ଷରୁ ଆଜିଠାରୁ ଏ ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସରକାର ରାଜିହେଲେ ସୋମବାର ଦିନ ନିଷ୍କର୍ସ ବାହାରିଯିବ । ତେଣୁ ସେ ପର୍ଯ୍ୟନ୍ତ ରଥଯାତ୍ରାର ବିକଳ୍ପ ନେଇ କିଛି କହିବା ସମ୍ଭବ ନୁହେଁ । ସୋମବାର ଦିନ ସୁପ୍ରିମ୍ କୋର୍ଟ ତାଙ୍କ ନିଷ୍ପତ୍ତି କାଏମ ରଖିଲେ ବିକଳ୍ପ ବିଚାର କରାଯିବ ବୋଲି ଗଜପତି କହିଛନ୍ତି ।
ତେବେ ରଥଯାତ୍ରା ବିକଳ୍ପ ବାହାର କରିବାରେ ଜଟିଳ ସମସ୍ୟା ରହିଥିବା ଗଜପତି ସ୍ୱୀକାର କରିଛନ୍ତି । ମହାପ୍ରଭୁଙ୍କର ବହୁ ନୀତିକାନ୍ତି ଥିବାରୁ ହଠାତ୍ କୌଣସି ନିଷ୍ପତ୍ତିରେ ପହଞ୍ଚିବା ସମ୍ଭବ ନୁହେଁ । ସେଭଳି ପରିସ୍ଥିତି ହେଲେ ଛତିଶା ନିଯୋଗ ସହିତ ଆଲୋଚନା କରାଯାଇ ବିକଳ୍ପ ବାହାର କରାଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯିବ । ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ ବୋଲି କହିଛନ୍ତି ଗଜପତି ମହାରାଜା ।