ଛତିଶା ନିଯୋଗ ସହ ସଂଧ୍ୟାରେ ଆଲୋଚନା
ପୁରୀ: ଏବର୍ଷ ବଡ଼ଦାଣ୍ଡରେ ରଥ ଗଡ଼ିବନି । କରୋନା ପାଇଁ ରଥଯାତ୍ରାକୁ ବନ୍ଦ କରିଛନ୍ତି ସୁପ୍ରିମ୍ କୋର୍ଟ । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ଓ ବିଧିରକ୍ଷା ଶ୍ରୀମନ୍ଦିର ଭିତରେ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଆଜି ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏହା ଉପରେ ବିସ୍ତୃତ ଆଲୋଚନା ହୋଇଛି ।
ପରିଚାଳନା କମିଟି ସଭାପତି ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଆଜି ପରିଚାଳନା ବୈଠକ ବସି ଶ୍ରୀମନ୍ଦିର ଭିତରେ ବିଧିରକ୍ଷା କରିବା ପାଇଁ ସିଦ୍ଧାନ୍ତ କରାଯାଇଛି । କରୋନା କଡ଼କଣାରେ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଏବର୍ଷ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ହୋଇପାରିବ ନାହିଁ । ତେଣୁ ମହାପ୍ରଭୁଙ୍କ ଅଧରପଣା ଓ ନିଳାଦ୍ରୀବିଜେ ମଧ୍ୟ ସମ୍ଭବ ନୁହେଁ । ଯାହା ଅତ୍ୟନ୍ତ ଦୁଃଖଦାୟକ । ତେବେ ଶାସ୍ତ୍ର ସମ୍ମତ ବ୍ୟବସ୍ଥା ଭିତରେ ପରମ୍ପରା ରକ୍ଷା କରିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ।
ପରମ୍ପରା ରକ୍ଷା ଓ ଶାସ୍ତ୍ର ସମ୍ମତ ବ୍ୟବସ୍ଥାରେ ତେବେ ଏହା କେମିତି ପାଳନ କରାଯାଇପାରିବ ଆଜି ସଂଧ୍ୟାରେ ଛତିଶା ନିଯୋଗ ସହ ଆଲୋଚନା ହେବ । ରେକର୍ଡ ଅଫ୍ ରାଇଟସ୍ ଛାଡ଼ି ସ୍ୱତନ୍ତ୍ର ବ୍ୟବସ୍ଥା ଜରୁରୀ ହୋଇଛି । ଛତିଶା ନିଯୋଗ ସହ ଆଲୋଚନା ପରେ ଯାହା ନିର୍ଯ୍ୟାସ ବାହାରିବ କାଲି ସକାଳୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯିବ । ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତିକ୍ରମେ ଏହାର ଚୂଡ଼ାନ୍ତ ରୂପରେଖ ହେବ ବୋଲି ଗଜପତି କହିଛନ୍ତି ।
ଗଜପତି ମହାରାଜା କହିଛନ୍ତି, ସବୁ ମହାପ୍ରଭୁଙ୍କ ଲୀଳା । ମହାପ୍ରଭୁ ନୂତନ ଇତିହାସ ସୃଷ୍ଟି କରୁଛନ୍ତି ।
ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ସମେତ ସବୁ ସଦସ୍ୟ ଉପସ୍ଥିତ ଥିଲେ ।