ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି
ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥ ଅବତାର ନୁହନ୍ତି, ଅବତାରୀ । ଭକ୍ତଙ୍କୁ ଆଶିର୍ବାଦ ଦେବାକୁ ମହାପ୍ରଭୁ ବର୍ଷରେ ଥରେ ବାହାରକୁ ଆସନ୍ତି । ପୁରୀ ହେଉଛି ଜଗନ୍ନାଥଙ୍କ ମୂଳପୀଠ । ସେଠାରେ ରଥଯାତ୍ରା ବନ୍ଦ ଠିକ୍ ନୁହେଁ । ଅତୀତରେ କୌଣସି ବିପର୍ଯ୍ୟୟ ଓ ମହାମାରୀ ବେଳେ ରଥଯାତ୍ରା ବନ୍ଦ ହୋଇନି । ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ହେଉ ପଛେ ମୂଳପୀଠ ପୁରୀରେ ବନ୍ଦ ନ ହେଉ । କୋଭିଡ୍ ନିୟମ ପାଳନ ସହ ରଥଯାତ୍ରାର ଆୟୋଜନ ହେଉ । ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ରାଜ୍ୟ ସରକାର ସୁପ୍ରିମ୍ କୋର୍ଟ ଯାଆନ୍ତୁ ।
ଶ୍ରୀମନ୍ଦିର ପରିଚାଳନା କମିଟିର ସଭାପତି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଅନୁରୋଧ କରିଛନ୍ତି । ପରିଚାଳନା କମିଟି ବୈଠକ ଆଧାରରେ ଗଜପତି ଲେଖିଥିବା ଚିଠିରେ ପୁରାଣ ଓ ପରମ୍ପରାରେ ପୁରୀ ରଥଯାତ୍ରାର ଗୁରୁତ୍ୱ ଦର୍ଶାଇଛନ୍ତି । ଶ୍ରୀମନ୍ଦିର ଆଇନ ଓ ରେକର୍ଡସ ଅଫ୍ ରାଇଟ୍ସ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।
ଗଜପତି ଲେଖିଛନ୍ତି ପୁରୀ ରଥଯାତ୍ରା ଇତିହାସ, ଧାର୍ମିକ ଭାବନା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରେକର୍ଡସ୍ ଅଫ୍ ରାଇଟ୍ସ ଅନୁଯାୟୀ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ତିଥିରେ ପରିଚାଳନା କମିଟି ରଥଯାତ୍ରା କରିବାକୁ ବାଧ୍ୟ । ଅତୀତରେ କୌଣସି ବିପର୍ଯ୍ୟୟ ଓ ମହାମାରୀ ବେଳେ ରଥଯାତ୍ରା ବନ୍ଦ ହୋଇନି । କେବଳ ମୋଗଲ ଆକ୍ରମଣ ବେଳେ ଅସମ୍ଭବ ପରିସ୍ଥିତିରେ ବନ୍ଦ ହୋଇଥିଲା । ସେ ସମୟରେ ମହାପ୍ରଭୁ ପାତାଳି ହେବାରୁ ରଥ ବନ୍ଦ ହୋଇଥିଲା । ତେଣୁ ବର୍ତ୍ତମାନ ସମୟରେ ରଥଯାତ୍ରା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ନିହାତି ଜରୁରୀ । ବିଶ୍ୱର ଅଗଣିତ ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ଏହାକୁ ବିଚାର କରନ୍ତୁ । ଏ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ମତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଗଜପତି ।
ରଥଯାତ୍ରା ବନ୍ଦ ନ କରିବା ପାଇଁ ଶଙ୍କରାଚାର୍ଯ୍ୟ, ମନ୍ଦିର ପରିଚାଳନା କମିଟିର ମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କୁ ଗଜପତିଙ୍କର ଏହି ଚିଠି ଉପରେ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେବେ ତାହା ଏବେ ଅଗଣିତ ଜଗନ୍ନାଥପ୍ରେମୀଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛି । ଆସନ୍ତା ୨୩ ତାରିଖରେ ରଥଯାତ୍ରା ପଡୁଥିବାରୁ ଆଉ ସମୟ ନାହିଁ ସତ ହେଲେ ସରକାର ଚାହିଁଲେ ସୁପ୍ରିମ୍ କୋର୍ଟରେ ସାନି ଆବେଦନ କରି ରଥଯାତ୍ରା ପାଇଁ ଅନୁମତି ଆଣିପାରିବେ ବୋଲି ଭକ୍ତମହଲରେ ବିଶ୍ୱାସ ଅଛି । ରଥ ନିର୍ମାଣ ସରିଥିବାରୁ କୋଭିଡ୍ ନିୟମ ପାଳନ ସହ ଦିନକରେ ରଥଯାତ୍ରାର ଆୟୋଜନ କରିପାରିବେ ବୋଲି ସେବାୟତମାନେ ମଧ୍ୟ ଭରସା ଦେଇଛନ୍ତି ।
ଗଜପତିଙ୍କର ଏହି ଚିଠି ସରକାରଙ୍କୁ ସଙ୍କଟରେ ପକାଇଥିବା କୁହାଯାଉଛି । ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହାକୁ ଅପେକ୍ଷା କରାଯାଇଛି । ଅନ୍ୟପକ୍ଷରେ ରଥଯାତ୍ରା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ସବୁଆଡୁ ସମାଲୋଚନା କରାଯାଉଛି । କୋଭିଡ୍ ପାଇଁ ରଥଯାତ୍ରା କରିବାରେ ଅସୁବିଧା ଥିବା ମୂଳରୁ ସରକାର ସ୍ପଷ୍ଟ କରି ପାରିଥାଆନ୍ତେ । ମାତ୍ର ତାହା ନ କରି ରଥଯାତ୍ରା ପାଇଁ ଆନୁସଙ୍ଗିକ ବ୍ୟବସ୍ଥାରେ ରହିଲେ । ଶେଷରେ ସୁପ୍ରିମ୍ କୋର୍ଟରେ ହରିଶ୍ ସାଲଭେଙ୍କ ଭଳି ନାମୀ ଓକିଲଙ୍କ ଜରିଆରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତ ବିରୋଧରେ ଯାଇଥିବାରୁ ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଯାଇଛି ।
ତେବେ କୋଟି କୋଟି ଲୋକଙ୍କ ଭାବାବେଗ ସହିତ ଜଡ଼ିତ ମହାପ୍ରଭୁଙ୍କର ରଥଯାତ୍ରା ଉପରେ ଏବେ ସରକାର କି ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।