ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା
ଭୁୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ ଆଜି ନୂଆ ରେକର୍ଡ ସୃଷ୍ଟି କରିବା ସହ ୫ ହଜାର ପାର୍ କରିଛି । ଗତ ୨୪ ଘଣ୍ଟାରେ ୨୧ ଟି ଜିଲ୍ଲାରୁ ୩୦୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ଗତ ୧୩ ତାରିଖରେ ୧୬ ଜିଲ୍ଲାରୁ ସର୍ବାଧିକ ୨୨୫ କରୋନା ପଜିଟିଭ୍ କେସ୍ ଆସିଥିଲା । ନୂଆ ୩୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟାଇନ୍ ରେ ଥିଲା ବେଳେ ୩୨ ଜଣ ସ୍ଥାନୀୟ ଅଞ୍ଚଳର ।
ଅନ୍ୟପକ୍ଷରେ କରୋନା ଆଉ ଦୁଇ ଜଣଙ୍କର ଜୀବନ ନେଇଛି । ବରଗଡ଼ ଜିଲ୍ଲାର ୭୬ ବର୍ଷର ଜଣେ ବୃଦ୍ଧ ଏବଂ ଗଞ୍ଜାମ ଜିଲ୍ଲାର ଜଣେ ୪୯ ବର୍ଷର ଆକ୍ରାନ୍ତଙ୍କର ହସ୍ପିଟାଲ୍ ରେ ମୃତ୍ୟୁ ହୋଇଛି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି । କରୋନାରେ ଆକ୍ରାନ୍ତ ଥାଇ ଅନ୍ୟ ରୋଗରେ ୫ ଜଣଙ୍କର ମୃତ୍ୟୁ ହେଲାଣି ।
୩୦୪ ନୂଆ ପଜିଟିଭ୍ ତାଲିକାରେ ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଜଣ ଥିଲା ବେଳେ ଗଞ୍ଜାମରୁ ୪୦, ଝାରସୁଗୁଡ଼ାରୁ ୨୫, ଯାଜପୁରରୁ ୨୧, ବାଲେଶ୍ୱରରୁ ୧୭, ବରଗଡ଼ରୁ ୧୪, କଟକରୁ ୧୩, କନ୍ଧମାଳରୁ ୧୨, ଭଦ୍ରକରୁ ୧୧ ଜଣ ଅଛନ୍ତି । ସେହିଭଳି ଖୋର୍ଦ୍ଧାରୁ ୫, ମାଲକାନଗିରି ୨, ନୟାଗଡ଼ ୩, ଢ଼େଙ୍କାନାଳ ୧, ସୋନପୁର ୪, ପୁରୀ ୩, ସୁନ୍ଦରଗଡ଼ ୧, ସମ୍ବଲପୁର ୨, ବଲାଙ୍ଗୀର ୧, ମୟୁରଭଞ୍ଜ ୬ ଏବଂ କେନ୍ଦ୍ରାପଡ଼ାରୁ ୫ ଜଣ କରୋନା ପଜିଟିଭ୍ ଅଛନ୍ତି । ଅମ୍ଫନ୍ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ କୋଲକତା ଯାଇଥିବା ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗର ଆଉ ୪୨ ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ ରେ ପହଞ୍ଚିଛି । ୩୫୩୪ ସୁସ୍ଥ ହୋଇଥିବାରୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୬୦୭ ।