ବେଙ୍ଗଲୁରୁ: ସେ ପୁରୁଷ ହୁଅନ୍ତୁ ବା ମହିଳା, ଗିରଫ ପୂର୍ବରୁ ଅଭିଯୁକ୍ତ କିମ୍ବା ଅଟକ ରଖିବା ପୂର୍ବରୁ ସନ୍ଦିଗ୍ଧଙ୍କୁ ଭଲଭାବେ ଗାଧୋଇ ଦେଇ ଏବଂ ସଫା ଜାମା-ପ୍ୟାଣ୍ଟ ପିନ୍ଧାଇ ଦେଇ ଗିରଫ କର । ସଙ୍ଗେ ସଙ୍ଗେ କରୋନା ଟେଷ୍ଟ କରାଅ, ଆଉ ରିପୋର୍ଟ ନଆସିବା ପର୍ଯ୍ୟନ୍ତ, ସେମାନଙ୍କ ଠାରୁ ସାମାଜିକ ଦୂରତା ରକ୍ଷା କର । ବେଙ୍ଗଲୁରୁ କମିଶନରେଟ୍ ପୋଲିସ୍ ପାଇଁ ଏଭଳି ପରାମର୍ଶ ଦେଇଛନ୍ତି ସିପି ଭାସ୍କର ରାଓ ।
କରୋନା ପାଇଁ ଚାପରେ ସାରା ଦେଶର ପୋଲିସ୍ ଫୋର୍ସ । ବିଭିନ୍ନ ସ୍ଥାନରେ ସେମାନଙ୍କ ମଧ୍ୟରୁ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କିଛି କର୍ମଚାରୀଙ୍କର ମଧ୍ୟ ପ୍ରାଣ ଗଲାଣି । ନିକଟରେ ବେଙ୍ଗଳୁରୁ କମିଶନରେଟ୍ ପୋଲିସର ୧୬ ହଜାର ଫୋର୍ସଙ୍କ ମଧ୍ୟରୁ ୩୮ ଜଣଙ୍କ ଠାରେ କରୋନା ପଜିଟିଭ୍ ବାହାରିଛି । ୨ ଜଣଙ୍କର ଜୀବନ ଯାଇଥିବା ବେଳେ ୩୫୦ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ତେଣୁ ଏଭଳି ସ୍ଥିତିରେ ଅଧସ୍ତନ କର୍ମଚାରୀ, ଅଭିଯୁକ୍ତଙ୍କୁ ଗିରଫ କରିବା କିମ୍ବା ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖିବା ପୂର୍ବରୁ ସାବଧାନତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଟି ଟପ୍ କପ୍ ଭାସ୍କର ରାଓ ।
ଏହା ସବୁ କ୍ଷେତ୍ରରେ ସମ୍ଭବ ହୋଇ ନପାରେ, କିନ୍ତୁ ଯଦି ସୁଯୋଗ ଅଛି ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧଙ୍କୁ ତାଙ୍କ ଘରେ କିମ୍ବା ପାଖରେ ଥିବା ସର୍ବସାଧାରଣ ଶୌଚାଳୟରେ ଗାଧୋଇବାକୁ କୁହାଯାଉ । ତା ପରେ ସଫା ପୋଷାକପତ୍ର ପିନ୍ଧାଇ ଥାନାକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ।
ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧଙ୍କ ଠାରୁ ପୋଲିସ୍ କର୍ମଚାରୀଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଥିବା ସନ୍ଦେହ କରିଛନ୍ତି ଭାସ୍କର ରାଓ । ତେଣୁ ନିଜ କର୍ମଚାରୀ ଓ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । ବିଭିନ୍ନ ମାମଲାରେ ବେଙ୍ଗଲୁରୁ ପୋଲିସକୁ କର୍ଣ୍ଣାଟକ ବାହାରକୁ ଯିବାକୁ ପଡୁଛି । କିନ୍ତୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳକୁ ସ୍ୱତନ୍ତ୍ର ଟିମ୍ ଯାଉଥିଲେ ମଧ୍ୟ କରୋନା ପାଇଁ ବର୍ତ୍ତମାନ ପରିସ୍ଥିତିରେ ମହାରାଷ୍ଟ୍ର ଯିବା ଉପରେ ପ୍ରତିବନ୍ଧକ ଲଗାଇଛି କର୍ଣ୍ଣାଟକ ପୋଲିସ ।