ନୂଆଦିଲ୍ଲୀ: ପୁରୀରେ ଏବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଭକ୍ତମାନଙ୍କର ଶେଷ ଆଶା ଉଜ୍ଜୀବିତ ହୋଇଛି । ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମ୍ କୋର୍ଟ ମାମଲାକୁ ଗ୍ରହଣ କରିଛନ୍ତି । ଆସନ୍ତାକାଲି ସୋମବାର ଦିନ ୧୧ଟାରେ ସୁପ୍ରିମ୍ କୋର୍ଟର ଜଣିକିଆ ବେଞ୍ଚ ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏହାର ଶୁଣାଣି ହେବ । ଗ୍ରୀଷ୍ମ ଅବକାଶ ଥିଲେ ମଧ୍ୟ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ ରେ ଶୁଣାଣି ପାଇଁ ମାମଲା ଲିଷ୍ଟିଂ ହୋଇଛି ।
ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶର ପୁନର୍ବିଚାର ପାଇଁ ଦାଖଲ ହୋଇଥିବା ୧୭ଟି ମୋଡ଼ିଫିକେସନ୍ ପିଟିସନ୍ ଗ୍ରହଣଯୋଗ୍ୟ ନା ନାହିଁ ତାହାର ବିଚାର ହେବ । ଜଣିକିଆ ବେଞ୍ଚ ଏହା ଗ୍ରହଣଯୋଗ୍ୟ ବୋଲି ଅନୁଭବ କଲେ ଯାଇ ଶୁଣାଣି ପାଇଁ ତାଲିକାଭୁକ୍ତ ହେବ । ମାମଲାର ରାୟ ଶୁଣାଇଥିବା ତିନିଜଣିଆ ବେଞ୍ଚ ହିଁ ଏହାର ଶୁଣାଣି କରିବେ ।
ରଥଯାତ୍ରା ପାଇଁ ମଝିରେ ଦିନଟିଏ ସମୟ ଥିବାରୁ କାଲି ମାମଲାର ଫଇସଲା ହେବା ଜରୁରୀ ହୋଇଥିବାରୁ ଏବେ ସମସ୍ତଙ୍କ ନଜର ସୁପ୍ରିମ୍ କୋର୍ଟଙ୍କ ଉପରେ । ତେବେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଚୁପ୍ ରହିଥିବାରୁ ଆସନ୍ତାକାଲି ସୁପ୍ରିମ୍ କୋର୍ଟରେ କ’ଣ ଆଭିମୁଖ୍ୟ ରଖିବେ ଜଣାପଡ଼ିନାହିଁ । ଯଦି ସରକାର ରଥଯାତ୍ରା ପାଇଁ ଚାହୁଁଥାଆନ୍ତି, ତେବେ ଆଜି କ୍ୟାବିନେଟ୍ ବୈଠକ ଡାକି ପୂର୍ବ ନିଷ୍ପତ୍ତିକୁ ବଦଳାଇବାକୁ ପଡ଼ିବ ।
ଇତିମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶା ନିଯୋଗ ଏବଂ ଖୋଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଗ୍ରହଣ କରିନାହାନ୍ତି । ପରିଚାଳନା କମିଟି ସଭାପତି ତଥା ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି ଜଗନ୍ନାଥଙ୍କ ମୂଳପୀଠ ପୁରୀରେ ରଥଯାତ୍ରା ବନ୍ଦ ନ ହେଉ ବୋଲି କହିଛନ୍ତି । ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଗଜପତି ଲେଖିଛନ୍ତି ।
ସୂଚନାଯୋଗ୍ୟ, ଏବର୍ଷ ରଥଯାତ୍ରା ବନ୍ଦ ପାଇଁ ଗତ ୧୮ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ, ବିଚାରପତି ଏ.ଏସ୍.ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ପରିସ୍ଥିତିରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବାର ସମ୍ଭାବନା ଥିବାରୁ ରଥଯାତ୍ରା ବନ୍ଦ କରିବା ପାଇଁ ଓଡ଼ିଶା ବିକାଶ ପରିଷଦର ଆବେଦନ ଉପରେ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ । ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ହୋଇ ନ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ନାମୀ ଓକିଲ୍ ହରିଶ୍ ସାଲଭେ ରଥଯାତ୍ରା ବିପକ୍ଷରେ ଆଭିମୁଖ୍ୟ ରଖିଥିଲେ ।
ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ସଂଧ୍ୟାରେ ରାଜ୍ୟ କ୍ୟବିନେଟ୍ ର ଜରୁରୀ ବୈଠକ ଡକାଯାଇ ଏହାକୁ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ପାରିତ କରାଯାଇଥିଲା । ତେବେ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବିନା ଭକ୍ତରେ କୋଭିଡ୍ ନିୟମ ଭିତରେ ରଥଯାତ୍ରା କରିବା ପାଇଁ ନିଜର ମତ ସ୍ପଷ୍ଟ କରିଛନ୍ତି ।