– ସୁୁପ୍ରିମ୍ କୋର୍ଟରେ ସପକ୍ଷରେ ମତ ରଖିବେ ସରକାର
– ରାତିରେ ରଥଖଳାକୁ ଅଚାନକ ପରିଦର୍ଶନ କଲେ ମୁଖ୍ୟ ପ୍ରଶାସକ, ଡିଆଇଜି
ଭୁବନେଶ୍ୱର: ସୁପ୍ରିମ୍ କୋର୍ଟରେ ରଥଯାତ୍ରା ଶୁଣାଣି ସୋମବାର ହେବାକୁ ଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହା ପୂର୍ବରୁ ସକରାତ୍ମକ ଆଭିମୁଖ୍ୟ ରଖିଛନ୍ତି । କୋଭିଡ୍ ଆଇନ ପାଳନ ସହ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠି ଉପରେ ସଠିକ୍ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜି ରାତିରେ ଆଇନ ବିଭାଗ ପକ୍ଷରୁ ଏ ମର୍ମରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି ।
ବିଭାଗ ସ୍ପଷ୍ଟୀକରଣ ଦେଇଛି ଯେ ଜୁନ୍ ୨୩ ତାରିଖରେ ପଡୁଥିବା ରଥଯାତ୍ରା ବନ୍ଦ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍ କୋର୍ଟରେ ଏକ ରିଟ୍ ପିଟିସନ୍ (ସିଭିଲ୍) ନଂ. ୫୭୧ ଦାଏର ହୋଇଥିଲା । ତେବେ ପୁରୀରେ କୋଭିଡ୍ ନିୟମ ପାଳନ ସହ ତିନି ରଥକୁ କେବଳ ସେବାୟତ ଏବଂ ପୁଲିସମାନଙ୍କ ଦ୍ୱାରା ଟଣାଯାଇପାରିବ ବୋଲି ତିନୋଟି ଇଣ୍ଟରଭେନସନ୍ ଆବେଦନ ହୋଇଥିଲା ।
ସୁୁପ୍ରିମ୍ କୋର୍ଟ ରେ ରାଜ୍ୟ ସରକାର ଯେଉଁ ଆଭିମୁଖ୍ୟ ରଖିଥିଲେ ତାହା ମୁଖ୍ୟତଃ ରାଜ୍ୟର ବିଭିନ୍ନ ସ୍ଥାନ ଓ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ହଜାର ହଜାର ସଂଖ୍ୟକ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଉପରେ ପର୍ଯ୍ୟବେସିତ ଥିଲା । ଇତିମଧ୍ୟରେ ୫ ଲକ୍ଷରୁ ଅଧିକ ପ୍ରବାସୀ ରାଜ୍ୟକୁ ଫେରିଆସିଛନ୍ତି ଏବଂ ଜୁନ୍ ଶେଷ ସୁଦ୍ଧା ଅଧିକାଂଶ ବ୍ୟକ୍ତିଙ୍କର କ୍ୱାରେଣ୍ଟାଇନ୍ ଅବଧି ସରୁଛି । ଏଥିସହ ମୌସୁମୀ ବର୍ଷା ଆସିଯାଇଥିବାରୁ ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ କୋଭିଡ ମହାମାରୀ ଶୀର୍ଷକୁ ଯାଇପାରେ । କୋଭିଡ ମହାମାରୀ ଯୋଗୁଁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଚାଲିଯାଇଥିବା ବେଳେ ଓଡ଼ିଶାରେ ଏହା ନିୟନ୍ତ୍ରଣରେ ଅଛି । ଏହି ସମୟରେ କୌଣସି ଜାଗାରେ ଲୋକଙ୍କ ସମାଗମ ହେଲେ ଜୀବନ ପ୍ରତି ଭୟଙ୍କର ବିପଦ ଆଶଙ୍କା ରହିଛି ।
ସୁପ୍ରିମ୍ କୋର୍ଟ ଉଭୟ ପକ୍ଷଙ୍କ ଆବେଦନ ଶୁଣାଣି ପରେ ପୁରୀରେ ରଥଯାତ୍ରା ବନ୍ଦ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ତେବେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଭାପତି ତଥା ଗଜପତି ମହାରାଜାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇ ପୁରୀରେ ବିନା ଭକ୍ତରେ ରଥଯାତ୍ରା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିବାରୁ ରାଜ୍ୟ ସରକାର ଆଇନ ଅନୁଯାୟୀ ସଠିକ୍ ପଦକ୍ଷେପ ନେବେ ବୋଲି ଆଇନ ବିଭାଗ ସ୍ପଷ୍ଟ କରିଛି ।
ଏପଟେ ଆଜି ରାତିରେ ପୁରୀ ରଥଖଳାକୁ ଅଚାନକ ପରିଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର, ଡିଆଇଜି ଆଶିଷ ସିଂ, ପୁରୀ ଜିଲ୍ଲାପାଳ ଏବଂ ଏସପି । ରଥଖଳାରେ ରଥନିର୍ମାଣ ଓ ରଥଯାତ୍ରାର ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିବାରୁ ରଥଯାତ୍ରା ସମ୍ଭାବନା ଆଶା ଆହୁରି ଉଜ୍ଜଳ ହୋଇଛି । ତେବେ ସୋମବାର ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ଏବେ ସମସ୍ତଙ୍କର ଅପେକ୍ଷା ରହିଛି ।