ନୂଆଦିଲ୍ଲୀ: ଯେତେବେଳେ ଦେଶର ପ୍ରମୁଖ ଗଣମାଧ୍ୟମ ସରକାରୀ ଚାଟୁକାର ପ୍ରତିଯୋଗିତାରେ ମାତିଥିଲେ ସେତେବେଳେ ନିଜ ନୀତି ଓ ଆଦର୍ଶରୁ ତିଳେ ମାତ୍ର ହଲି ନ ଥିଲେ । ଏନଡିଟିଭିରେ ତାଙ୍କ କାର୍ଯ୍ୟକ୍ରମ ‘ପ୍ରାଇମ୍ ଟାଇମ୍’ ରେ ସାଧାରଣ ଲୋକଙ୍କ ସ୍ୱରକୁ ଅତି ମାର୍ଜିତ ଓ ଶାଣିତ ଢ଼ଙ୍ଗରେ ଆଣି ସରକାରଙ୍କୁ ଅଡୁଆରେ ପକାଉଥିଲେ । କୌଣସି ଚାପ ଓ ଧମକକୁ ତାଙ୍କର ଖାତିର ନ ଥିଲା । ସାମାଜିକ ଗଣମାଧ୍ୟମରେ ଗଦା ଗଦା ଟ୍ରୋଲ୍ ତାଙ୍କୁ ବିଚଳିତ କରୁ ନ ଥିଲା । ଲୋକଙ୍କ ସ୍ୱରକୁ ସତ୍ତା ସାମନାରେ ନିର୍ଭୀକ ଭାବେ ଉପସ୍ଥାପିତ କରୁଥିବା ରବିଶ କୁମାର ଦେଶର ଗଣମାଧ୍ୟମ ଦୁନିଆର ଜଣେ ବିରଳ ବ୍ୟକ୍ତିତ୍ୱ । ପ୍ରସଙ୍ଗ ଉପରେ ଗଭୀର ଅଧ୍ୟୟନ, ଧୀରସ୍ଥିର ମନ, ପ୍ରଶ୍ନ ପଚାରିବାରେ ଅଦମ୍ୟ ସାହାସ ଏବଂ ଯାଦୁକରୀ ଉପସ୍ଥାପନା ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ରବିଶ କୁମାରଙ୍କୁ ଆର୍ନ୍ତଜାତୀୟ ସ୍ତରରେ ମିଳିଛି ସ୍ୱୀକୃତି । ୨୦୧୯ ମସିହାର ସମ୍ମାନଜନକ ରମଣ ମାଗାସେସ୍ ଆୱାର୍ଡ୍ ପାଇଛନ୍ତି ସେ ।
ରମଣ ମାଗାସେସ ଆୱାର୍ଡ ଫାଉଣ୍ଡେସନ୍ ରବିଶ କୁମାରଙ୍କ ସାମ୍ବାଦିକତାକୁ ଭୂୟସୀ ପ୍ରଶଂସା କରିଛନ୍ତି । “ବାସ୍ତବ ଜୀବନରେ ଲୋକଲୋଚନର ଆଢ଼ୁଆଳରେ ଲୁଚିଯାଉଥିବା ସାଧାରଣ ଲୋକର ସମସ୍ୟା ସହ ନିଜକୁ ଜଡ଼ିତ ରଖିଛନ୍ତି । ଜଣେ ମାର୍ଜିତ, ଦୃଢ଼ ଏବଂ ଅଧ୍ୟବସାୟୀ ଆଙ୍କର ଭାବେ ସାମ୍ବାଦିକତାର ମୂଲ୍ୟବୋଧକୁ ଅକ୍ଷୂର୍ଣ୍ଣ ରଖିପାରିଛନ୍ତି । ସତ୍ୟକୁ ଧରି ନିର୍ଭିକତାର ସହ ସତ୍ତାକୁ ପ୍ରଶ୍ନ ପଚାରିବାରେ ସେ ଅତୁଳନୀୟ । ଏଭଳି ସାମ୍ବାଦିକତା ଏକ ସୁସ୍ଥ ଗଣତନ୍ତ୍ରର ଲକ୍ଷ୍ୟ ପୂରଣ କରିଥାଏ । ରବିଶ କୁମାର ଏଭଳି ଜଣେ ସାମ୍ବାଦିକ ଯିଏ ସାଧାରଣ ଲୋକଟିର ସ୍ୱର ହୋଇପାରିଛନ୍ତି ।”
୧୯୯୬ ମସିହାରୁ ଏନଡିଟିଭି ଇଣ୍ଡିଆ(ହିନ୍ଦୀ)ରେ କାମ କରୁଥିବା ୪୪ ବର୍ଷୀୟ ରବିଶ କୁମାର ଏବେ ଚାନେଲ୍ ର ମ୍ୟାନେଜିଂ ଏଡ଼ିଟର । ବାସ୍ତବରେ ସେ ଏଭଳି ଜଣେ ସାମ୍ବାଦିକ ଯିଏ ଏସି ନ୍ୟୁଜ୍ ରୁମ୍ ରେ ନ ବସି ପ୍ରକୃତ ସମସ୍ୟା ପାଖରେ ପହଞ୍ଚି ଯାଆନ୍ତି । ସେଥିପାଇଁ ଖରା,ବର୍ଷା କି କାହାର ଚାପ, ଧମକକୁ ଖାତିର କରନ୍ତି ନାହିଁ । ଆଙ୍କର ଭାବେ ସେ ଅଧିକ ନ ଗପି ଅତିଥିମାନଙ୍କୁ ଅଧିକ କହିବାର ସୁଯୋଗ ଦିଅନ୍ତି । ନିଜର ମତକୁ ଅନ୍ୟ ଉପରେ ଲଦି ଦେବାକୁ ଚେଷ୍ଟା କରନ୍ତି ନାହିଁ । ନେତା ଏବଂ ଅଫିସରଙ୍କୁ କଡ଼ା ପ୍ରଶ୍ନ କରନ୍ତି ହେଲେ ନିଜେ କଡ଼ା ହୁଅନ୍ତି ନାହିଁ । ତାଙ୍କ ଟିଭି ଶୋ’ ରେ କାହାରି ଉପରେ ସେ ରାଗିବା କିମ୍ବା ଆକ୍ରୋଶ ରଖିବା କେହି ଦେଖିନାହାନ୍ତି । ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ରମଣ ମାଗାସେସ୍ ଆୱାର୍ଡ ଫାଉଣ୍ଡେସନ୍ ର ସ୍ୱୀକୃତି ସବୁ ସାମ୍ବାଦିକଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ।